ଡାକବାକ୍ସ ଡାକୁଛି ଆ… ଆସୁନି ଚିଠି, ଆଜି ବି ଅପେକ୍ଷାରେ ଅବହେଳିତ ଡାକବାକ୍ସ ।

217

କନକ ବ୍ୟୁରୋ: ଆଉ ଡାକୁନି ଡାକବାଲା କି ଆସୁନି ଚିଠି । ସମୟ ସହ ତାଳ ଦେଇ ଏ ମଣିଷ ଚିଠିର ବ୍ୟବହାରକୁ ବି ଭୁଲିବାକୁ ବସିଛି । ଡାକକଥା ମନେପଡିଲେ, ମନେପଡେ ଚିଠି ପତ୍ର କଥା । ଆଉ ଚିଠି କଥା ଉଠିଲେ କାନରେ ଆପେ ଆପେ ଶୁଭିଯାଏ ଗୋଟେ ନିଛାଟିଆ ଅପରାହ୍ନର ଚିଠି ବାଲାର ଡାକ…’ଚିଠି ଚିଠି… ଚିଠି ନିଅ ଚିଠି…’ ଏ ଡାକରେ ସତରେ ଗୋଟେ ଆତ୍ମୀୟତା ଥିଲା, ଅପେକ୍ଷା ଥିଲା, ଉତ୍ସାହ, ଉଚ୍ଛ୍ୱାସ ଭରିରହିଥିଲା । ହେଲେ ଆଜି ସେ ଡାକ କେଉଁଠି ହଜିଗଲା- ସେ ପ୍ରଶ୍ନର ନିଜକୁ ପଚାରିଲେ, ତାର ଉତ୍ତର ଆମେ ଆଉ ଆମ ଆଧୁନିକ ଚାଲିଚଳନି ହିଁ ଦାୟୀ ବୋଲି କହିହେବ ।

ଆଜିର ବ୍ୟସ୍ତବହୁଳ ଜୀବନ ଓ ସୁବିଧାବାଦୀ ଦୁନିଆରେ କିଏ ବା କେଉଁଠି ଚିଠି ଲେଖୁଛି । ଆମେ ସମସ୍ତେ ଏତେ ସହଜ ଓ ସୁବିଧାର ପନ୍ଥା ଆପଣାଇ ନେଲୁଣି ଯେ, କାଗଜର ପୃଷ୍ଠାରେ କଲମ ଧରି ଲେଖିବାକୁ ସମୟ ନାହିଁ କି ଧର୍ଯ୍ୟ । ଯଦିଓ ଚିଠି ପହଞ୍ଚିବାକୁ ସମୟ ନିଏ ଆଉ ଲେଖିବାକୁ ବି ସମୟର ଆବଶ୍ୟକତା ପଡେ । ତେଣୁ ଆଜିର ଯୁବପିଢି ହୁଅନ୍ତୁ କି ଆଜିର ମଣିଷ ହ୍ୱାଟ୍ସଆପ, ମେସେଞ୍ଜର ପରି ସୋସିଆଲ ମିଡିଆର ବ୍ୟବହାର କରି ଗୋଟିଏ କ୍ଲିକରେ ନିଜ ମନର ପରିଭାଷା, କଥାବାର୍ତ୍ତା ଓ ତଥ୍ୟ ପହଞ୍ଚାଇ ପାରୁଛନ୍ତି ସତ ହେଲେ ସଫେଦ କାଗଜର ଛାତି ଉପରେ କଳା କାଳିରେ ହୃଦୟର ପରିଭାଷା ଲେଖିବାର ଯେଉଁ ମଜା ତାହା ଏ ସୋସିଆଲ ମିଡିଆରେ ମିଳିବନି । ଚିଠି କେବଳ କାଗଜରେ ଲେଖା ମାଳ ମାଳ ଅକ୍ଷରର ସମ୍ଭାର ନୁହେଁ । ଚିଠି ସ୍ନେହ, ପ୍ରେମ, ଭଲପାଇବାର ନିଆରା ଅନୁଭବ । ଯିଏ ଚିଠି ଦିଏ ଆଉ ଯିଏ ପଢେ ଉଭୟ ଚିଠିର ଗଭୀର ଭାବନାରେ ବୁଡି ସୁଖ ଅନୁଭବ କରନ୍ତି ।

ଅକ୍ଟୋବର ୯ – ବିଶ୍ୱ ଡାକ ଦିବସ ହୋଇଥିବା ବେଳେ ଅକ୍ଟୋବର ୧୦ – ଜାତୀୟ ଡାକ ଦିବସ ଭାବେ ପାଳନ କରାଯାଏ । ତେବେ ଚିଠିକୁ ନେଇ ଅନେକ କଥା, ଅନେକ କାହାଣୀ, କବିତା ଲେଖା ଯାଉଥିବା ବେଳେ ଚିଠି ଲେଖିବାର ମାତ୍ରା କମିଛି । କିନ୍ତୁ ଭାରତୀୟ ଡାକ ବିଭାଗ ସମୟ ସହ ତାଳ ଦେଇ ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କ ପାଖରେ ପହଞ୍ଚୁଛି । ସେ ଯାହା ବି ହେଉନା କାହିଁକି ଚିଠି ଯେତେ ଅତୀତ ହେବ ତାର ସୁନ୍ଦର ସ୍ମୃତି ଚିରକାଳ ମନେରହିବ । ତେଣୁ ଚାଲନ୍ତୁ ଚିଠି ଲେଖିବା, ଡାକବାକ୍ସରେ ଚିଠି ପକାଇ ଆସିବା…