କନକ ବ୍ୟୁରୋ: ମାସେ ପୂର୍ବରୁ ଲିଭିଗଲା ମଥାର ସିନ୍ଦୂର । ହାତରୁ ଭାଙ୍ଗିଗଲା ସମ୍ପର୍କର ଶଙ୍ଖା । ଏକାକରି ଚାଲିଗଲା ଜୀବନ ସାଥୀ । ଆଜିକୁ ଠିକ ମାସେ ତଳେ ଆଦିତ୍ୟଙ୍କ ଅର୍ଦ୍ଧାଙ୍ଗୀନୀ ସାଜିଥିଲେ ବିଦ୍ୟାଶ୍ରୀ । ପ୍ରେମର ସମ୍ପର୍କକୁ ବିବାହ ବନ୍ଧନରେ ବାନ୍ଧି ଜୁନ ୯ ତାରିଖରେ ସାତ ଜନମ ପାଇଁ ଜୀବନ ସାଥୀ ପାଲଟିଥିଲେ ଏ ଦୁଇ ପ୍ରେମପକ୍ଷୀ । ହାତରେ ମେହେନ୍ଦି, ପାଦରେ ଅଳତା, ମଥାରେ ମାନବପ୍ରେମୀଙ୍କ ହାତରୁ ସିନ୍ଦୂର ନାଇ ସାର୍ଥକ ହୋଇଥିଲା ବିଦ୍ୟାଶ୍ରୀଙ୍କ ପ୍ରେମ । ଆଉ ହୋମନିଆଁକୁ ସାକ୍ଷୀ ରଖି ସାରା ଜୀବନ ସାଙ୍ଗ ହୋଇ ରହିବେ ବୋଲି ଦୁହେଁ ଦୁହିଁଙ୍କୁ ଦେଇଥିଲେ ଅଭୟ ପ୍ରତିଶ୍ରୁତି । ବାସ୍ ତାପରେ ସମାଜ ପାଇଁ ସେମାନେ ପାଇଥିଲେ ସ୍ୱାମୀସ୍ତ୍ରୀର ସ୍ୱିକୃତୀ । ଆଉ ଇଏ ହେଉଛି ବିହାବ ବେଳର କିଛି ମିଠା ମୁହୂର୍ତ୍ତ ଯାହା ଆଦିତ୍ୟ ତାଙ୍କ ଫେସବୁକରେ ପୋଷ୍ଟ କରିଥିଲେ ।

Advertisment

publive-image

ବାହାଘର ପରେ ବେସ ଖୁସିରେ ଥିଲେ ଆଦିତ୍ୟ । ବିଦ୍ୟାଶ୍ରୀଙ୍କୁ ବିବାହ କରିଥିବା ନେଇ ତାପର ଦିନ ସୋସିଆଲ ମିଡିଆରେ ସାର୍ବଜନୀନ କରିଥିଲେ ସେ । ଆଉ ନିଜ ଢଙ୍ଗରେ ଲେଖିଥିଲେ ଏକ କୁନି କବିତା । ତେବେ କରୋନା କଟକଣା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିପାରିନଥିବାରୁ ଏକ ପୋଷ୍ଟ ମାଧ୍ୟମରେ ରାଗରୁଷା ଭୁଲି ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ ଆଦିତ୍ୟ ଆଉ ଦୁହିଁଙ୍କ ନାଁ ଯୋଡି ଲେଖିଥିଲେ ‘ଆଦିଶ୍ରୀ’ । ବାସ୍ ତାପରେ ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ କେମିତି କରିହେବ ସ୍ମୃତିମୟ ? କେମିତି ଦାମ୍ପତ୍ୟ ଜୀବନ ମଧୁମୟ ହେବ? କେମିତି ଭୁଲ ବୁଝାବଣା ଭୁଲି ସମ୍ପର୍କ ଆଗକୁ ଗଡିବ? ସ୍ତ୍ରୀଙ୍କ ସହ ଏମିତି କିଛି ଭିଡିଓ କରି ସୋସିଆଲ ମିଡିଆରେ ବାର୍ତା ଦେଉଥିଲେ ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ।

publive-image

ହେଲେ ବିବାହକୁ ମାସେ ପୂରିବା ପୂର୍ବରୁ ମଉଳି ଯାଇଥିଲା ସବୁ ଆଶା । ଭାଙ୍ଗି ଯାଇଥିଲା ସବୁ ସ୍ୱପ୍ନ । ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ୩୦ ଦିନ ବି ବିତିନି କିନ୍ତୁ ତରଳି ଯାଇଛି ଜୀବନର ଜଉଘର । ମାସେ ପୂରିବାକୁ ଠିକ୍ ଦୁଇ ଦିନ ପୂର୍ବରୁ ଆଦିତ୍ୟଙ୍କୁ ମାଡିବସିଛି ମୃତ୍ୟୁ । ଲିଭିଯାଇଛି ସ୍ତ୍ରୀର ସିନ୍ଦୂର, ଭାଙ୍ଗିଯାଇଛି ଶଙ୍ଖା । ଆଉ ଗଢା ହେଉ ହେଉ ଅଧାରେ ରହିଛି ଆଦିଶ୍ରୀଙ୍କ ସୁନାର ସଂସାର ।

publive-image

ଆଦିତ୍ୟଙ୍କ ଘର ବୌଦ୍ଧ ଜିଲ୍ଲାରେ । ସେ ଗତ ଜୁନ ୯ ତାରିଖରେ କଟକ ଖପୁରିଆରେ ବିଦ୍ୟାଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ଠିକ ଆଜି ତାଙ୍କ ବିବାହକୁ ମାସେ ପୂରିଥାନ୍ତା । ହେଲେ ମାସେ ପୂର୍ବରୁ ଜନମ ଜନମର ପ୍ରତିଶ୍ରୁତି ଦେଇଥିବା ମଣିଷଟା ଆଜି ଯନ୍ତ୍ରଣା ଦେଇ ଚାଲିଗଲା... ନୂଆ ରାସ୍ତାରେ ଚଲା ଶିଖାଇ ଏକାକରି ଛାଡିଗଲା... ଆଦିତ୍ୟଙ୍କ ସୁଇସାଇଡ ନୋଟକୁ ନେଇ ଏବେ ବିବାଦ ଦେଖାଦେଇଛି । ୪ ପୃଷ୍ଠାର ଚିଠି ଆଦିତ୍ୟ ନିଜେ ଲେଖିଥିଲେ ନା ଆଉ କେହି ଲେଖିଥିଲେ ହୁଏତ ତଦନ୍ତ ପରେ ମାନବପ୍ରେମୀଙ୍କ ମୃତ୍ୟୁ ମିଷ୍ଟ୍ରିର ରହସ୍ୟ ଫିଟିବ । ହେଲେ ମାନବଙ୍କ ବିନା କେମିତି ମାନିବ ଏ ମନ ? ଆଦିତ୍ୟଙ୍କୁ ନଦେଖି କେମିତି ରହିବ ଏ ଆଖି ? ଶୂନ୍ୟତା ଆଉ ନିରବତା ମଝିରେ ଆଦିତ୍ୟଙ୍କ ଅଭୁଲା ସ୍ମୃତି ହିଁ ବିଦ୍ୟାଶ୍ରୀଙ୍କୁ ବଞ୍ଚାଇ ରଖିବ...