ଫଗୁଣ ମାସ, ବସନ୍ତର ସ୍ପର୍ଶ, ଚୋରା ପବନର ଫାଶ । ମହୁଲର ମହକରେ ମହକେ ଜୀବନ ଓ ଜୀବିକା…

91

କନକ ବ୍ୟୁରୋ: “ଦେଖିଲା କୁନା ମହୁଲ ଡାଳେ, ବସିଛି ଏକ ବଣି… ଝଡୁଛି ଯେତେ ମହୁଲ ଫୁଲ, ହିସାବ କରେ ଗଣି…”

ଆପଣ ଭାବୁଥିବେ ଆମେ ତୃତୀୟ ଶ୍ରେଣୀରେ ପଢିଥିବା ବଣ ଓ ବଣି କବିତା ଆଜି ହଠାତ୍ କଣ ପାଇଁ ମନେପଡିଗଲା । ସ୍କୁଲ ବେଳର ସେ ଘୋଷା କବିତା ପଢି ମୁଁ କଣ କହିବାକୁ ଯାଉଛି । ଆଜ୍ଞା ! ଆମେ ସିନା ବଡ ହେଇଯାଇଛୁ କିନ୍ତୁ ପିଲାଦିନେ ସେହି ବଣି କବିତାରେ ହିଁ ବଣ ମହୁଲର ପ୍ରଥମ ବାସ୍ନା ପାଇଥିଲୁ । ମହୁଲକୁ ନିତିଦିନିଆ ଜୀବନରେ ପାହାଡି ଇଲାକାର ପିଲା ହେଉ କିମ୍ବା ଗ୍ରାମାଞ୍ଚଳର ପିଲା ଯେତେ ଦେଖିଲେ ବି ମହୁଲ କଥା ଉଠିଲେ ହିଁ ଛାଏଁ ମନେପଡିଯାଏ ବଣି କବିତା ଓ କୁନାର କଥା…

ଛାଡନ୍ତୁ ସେସବୁ… ପିଲାଦିନ କଥା ଯେତେବେଳେ ଉଠିଛି, ଆଦ୍ୟ ଜୀବନରେ ମହୁଲ ବାସ୍ନାର ଆକର୍ଷଣ କଥା କେମିତିବା ଭୁଲିହେବ । ମଣିଷ ଗ୍ରାମୀଣ ଜୀବନରେ ହିଁ ମହୁଲର ମହମହ ମୃଦୁ ବାସ୍ନାରେ ପୁଲକିତ ହୁଏ । ପାହାଡି ଇଲାକାରେ ବସବାସ କରୁଥିବା ଅଧିବାସୀମାନେ କାକରର ତାଳେ ତାଳେ ଗଛରୁ ଟପ୍ ଟପ୍ ଝରି ପଡୁଥିବା ମହୁଲ ଫୁଲର ଶବ୍ଦରୁ ହିଁ ଜୀବନ ଜିଇଁବାର ଆଶା ବାନ୍ଧନ୍ତି ।

ଫଗୁଣ ମାସ, ବସନ୍ତର ମୃଦୁ ସ୍ପର୍ଶ । ଦିନରେ ଡହଡହ ଖରା, ସଞ୍ଜ ନଇଁଲେ ସୁଲୁସୁଲିଆ ପବନ । ଘଞ୍ଚ ଜଙ୍ଗଲରେ ମହୁଲ ଫୁଲ ଆଦ୍ୟ ଯୌବନରେ ପାଦ ଦେଇଥିବା ଫୁଲେଇ ଫୁଲଟିଏ । ଯିଏ ଗଛ ଡାଳକ ଆକଟ ଭିତରେ ବି ଏ ଲୋଭନୀୟ ପବନର ମାୟାଜାଲରେ ପଡିଯାଏ । ଆଉ ପ୍ରେମର ଫାଶରେ ଫସି ପେନ୍ଥା ପେନ୍ଥା ହୋଇ ଖସିପଡେ । ଗଛ ଚାରିପଟେ, ମାଟିର ଛାତି ଉପରେ ବିଛେଇ ହୋଇ ପଡେ ଗଛଠୁ ସବୁଦିନିଆ ସମ୍ପର୍କ ତୁଟାଇ । ବୋଧେ ଝରିପଡିବା ହିଁ ତା ଧର୍ମ । ସିଏ ଝଡିଲେ ତ କାହା ଘରେ ଚୁଲି ଜଳିବ ।

ମହୁଲ ଫୁଲ ! କାହା ପାଇଁ ନିଶା ତ କାହା ପାଇଁ ଭାତହାଣ୍ଡିର ଭରସା । ବସନ୍ତ ଆସିଲେ ଲୋକଙ୍କ ଜୀବନ ଜୀବୀକା ସହ ଯୋଡି ହୋଇଯାଏ ମହୁଲ ଫୁଲ । ଏଇ ଯେମିତି ବଣ ପାହାଡ ଘେରା ଔପଦା ବାଳିମୁଣ୍ଡୁଳି ଅଞ୍ଚଳରେ ଲୋକେ ମହୁଲ ଫୁଲ ସାଉଁଟି ବେସ୍ ଦିପଇସା ରୋଜଗାର କରନ୍ତି । ମାର୍ଚ୍ଚ ଓ ଏପ୍ରିଲ ମାସରେ ମହୁଲ ଗଛ ପାଖରେ ଲାଗେ ଲୋକଙ୍କ ଗହଳି । ରାତିରେ ଝରି ପଡିଥିବା ମହୁଲ ଫୁଲ ଗୋଡାଇବାକୁ ଗାଁରେ ସକାଳେ ଏକପ୍ରକାରର ପ୍ରତିଯୋଗିତା ଦେଖିବାକୁ ମିଳେ । କିନ୍ତୁ ସୁନ୍ଦର ଦିଶୁଥିବା ଏ ମହୁଲ ଶୁଖି ଲାଲ ପଡିଲେ ହିଁ ତାର ମୂଲ ବଢେ । ଆଉ ଜଙ୍ଗଲ ଉପରେ ନିର୍ଭର କରୁଥିବା ମଣିଷଙ୍କ ଜନଜୀବନରେ ରୋଜଗାରର ରଙ୍ଗବୋଳେ ।