ଅବହେଳିତ ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ । ପାଇକ ବୀରଙ୍କ ବୀରତ୍ୱ ଗାଥାର ମୁକସାକ୍ଷୀ ଆଜି ଭଗ୍ନସ୍ତୁପ, ଖୋଲା ଆକାଶ ତଳେ ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ।

114

କନକ ବ୍ୟୁରୋ : ଇଂରେଜ ଶାସନ ସମୟର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ ଆଜି ଅବହେଳିତ । ବୀର ପାଇକଙ୍କ ବୀରତ୍ୱ ଗାଥାର ସ୍ୱାକ୍ଷର ବହନ କରୁଥିବା ଏହି ଐତିହାସିକ ଗଡ ଭଗ୍ନସ୍ତୁପରେ ପରିଣତ ହୋଇଛି । ଗଡ, ପୋଖରୀ ଓ ଅନ୍ୟ ଐତିହାସିକ କିର୍ତ୍ତୀରାଜି ଜରାଜୀର୍ଣ୍ଣ ହୋଇ ପଡିରହିଛି । ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ପଡିରହିଛି ।

ଖୋର୍ଦ୍ଧା ଗଡ଼ । ବରୁଣେଇ ପାଦଦେଶରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଗାଥାର ଅକ୍ଷୂର୍ଣ୍ଣ ସ୍ୱାକ୍ଷର । ସ୍ୱାଧୀନତା ସଂଗ୍ରାମୀ ଜୟୀରାଜଗୁରୁ, ବକ୍ସି ଜଗବନ୍ଧୁ ପଣ୍ଡା, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନେତୃତ୍ୱରେ ଏଠାରୁ ଆରମ୍ଭ ହୋଇଥିଲା ଇଂରେଜ ବିରୋଧରେ ବିଦ୍ରୋହ । ଗଡର କାନ୍ଥରେ ଏବେ ରହିଛି ଗୁଳି ଓ ଗୋଳାମାଡର ଚିହ୍ନ । ସେହି ଐତିହାସିକ ସଂଗ୍ରାମର ମୂକସାକ୍ଷୀ ଆଜି ଅବହେଳିତ । ଖୋର୍ଦ୍ଧା ଗଡର ରକ୍ଷଣାବେକ୍ଷଣା ଅଭାବରୁ ଗଡ, ରାଣୀ ପୋଖରୀ, ମନ୍ଦିର, ଆଦି କିର୍ତ୍ତୀରାଜି ଭଗ୍ନସ୍ତୁପ । ଖୋଲା ଆକାଶ ତଳେ ପଡିରହିଛି ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । ଘଞ୍ଚ ଗଛଲତାର ଆଢୁଆଳରେ ଲୁଚିଯାଇଛି ଓଡିଶାର ଗୌରବମୟ ଐତିହାସିକ ସ୍ୱାକ୍ଷର ।

୧୫୬୮ ମସିହାରେ ଉତ୍କଳ ସାମ୍ରାଜ୍ୟ ଖଣ୍ଡବିଖଣ୍ଡିତ ହେବା ପରେ ବରୁଣେଇ ପାଦ ଦେଶରେ ରମେଇ ରାଉତରାୟ ନିର୍ମାଣ କରିଥିଲେ ଖୋର୍ଦ୍ଧା ଗଡ । ଇଂରେଜ ଶାସନ ସମୟରେ ଶେଷ ସ୍ୱାଧୀନ ଦୁର୍ଗ ଥିଲା ଖୋର୍ଦ୍ଧା ଗଡ । ହେଲେ ଆଜି ଓଡିଆ ପାଇକଙ୍କ ବୀରତ୍ୱର ମୂକ ସାକ୍ଷୀ ପ୍ରତି କାହାର ନଜର ନାହିଁ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଠାରୁ ରାଜ୍ୟ ଯାଏଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଗଲା । ମହାମହିମ ରାଷ୍ଟ୍ରପତି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଶିଳାନ୍ୟାସ କରିବା ଏକ ବର୍ଷ ହୋଇଗଲା । ହେଲେ ବିକାଶ କାମ ଆରମ୍ଭ ହୋଇପାରିଲା ନାହିଁ । ଯାହା ବରେଣ୍ୟ ପାଇକ ବୀରଙ୍କ ପାଇଁ ଅପମାନ ।