ଆଖିରୁ ଶୁଖୁନି ୨୧ ବର୍ଷର ଲୁହ… କାର୍ଗିଲ କୁରୁକ୍ଷେତ୍ରରେ ଶତ୍ରୁର ଗୁଳିରେ ଟଳିପଡିଥିଲେ ବୀର ଓଡିଆ ପୁଅ ଗୋପୀନାଥ ମହାରଣା । ମାଟି ମାଆ ପାଇଁ ପ୍ରାଣବଳି ଦେଇ ସିନା ଗୌରବ ସାଜିଲେ, ହେଲେ ଜନ୍ମକଲା ମାଆକୁ ଏକାକରି ଚାଲିଗଲେ… ୨୧ ବର୍ଷ ଧରି ସହିଦ ପୁଅର ସ୍ମୃତିକୁ ମନେପକାଇ ଲୁହ ଝରାଉଛି ମାଆ…

638

କନକ ବ୍ୟୁରୋ: ମାଆ ଆଖିର ଏ ଲୁହ କେବଳ ଆଜି ପାଇଁ ନୁହେଁ ବରଂ ଦୀର୍ଘ ୨୧ ବର୍ଷ ହେଲା ଏ ଅସରନ୍ତି ଲୁହ ଶୁଖିବାର ନାଁ ଧରୁନି । ଝୁମୁରିଙ୍କ ଆଖିରୁ ଝରୁଛି ଯେ ଝରୁଛି । ଓଠ ପାଟି ଦେଇ କେବେ ମାଟିରେ ମିଶୁଛି ତ କେବେ ପୁଅର ଫଟୋ ଭିଜୁଛି । ଭାରତ ମାଆ ପାଇଁ ପୁଅ ପ୍ରାଣବଳୀ ଦେଇଥିବାରୁ ଜନ୍ମକଲା ମାଆ ସିନା ଗର୍ବ କରୁଛି ହେଲେ ତା ସ୍ନେହବୋଳା ମୁହଁ ମନେପଡିଗଲେ ଏ ବୁଢି ବୟସରେ ବି ଅମାନିଆ ଅଶ୍ରୁ ବନ୍ଧବାଡ ମାନୁନି । ଆଉ ଲୁହକୁ ପୋଛି ସହିଦ ପୁଅର ସ୍ମୃତିକୁ ନେଇ ବଞ୍ଚିବାକୁ ପଡୁଛି…

ଯୁଦ୍ଧ ଭୂମିକୁ ଫେରିଯିବା ପୂର୍ବରୁ ପୁଅ ଯେବେ ମାଆ କୋଳକୁ ଆସିଥିଲା । ସେବେ ମାଆକୁ ନିଜ ହାତରେ ରାନ୍ଧିବାଢି ଖାଇବାକୁ ଦେଇଥିଲା । କର୍ମମାଟିକୁ ଗଲା ଦିନ ପୁଅ ହାତର ସେ ହାତରନ୍ଧାକୁ ଆଜିବି ଝୁରୁଛନ୍ତି ମାଆ ଝୁମୁରି ମହାରଣା । କାରଣ ସେଇଟା ହିଁ ଥିଲା ମାଆପୁଅ ସମ୍ପର୍କର ଶେଷ ଦିନ । କିଏ ଜାଣିଥିଲା ମାଆ କୋଳକୁ ତା ପୁଅ ନୁହେଁ ବରଂ ଫେରିବ ପୁଅର ଶବ । ଯୁଦ୍ଧ ଭୂମିରେ ଦେଶ ମାତୃକା ପାଇଁ ଜୀବନ ଦେଇ ସହିଦ ହୋଇ ଫେରିବେ ବୀର ପୁଅ ଗୋପୀନାଥ ମହାରଣା ।

କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣା, କାର୍ଗିଲ ଯୁଦ୍ଧରେ ବଳିଦାନ ଦେଇଥିଲେ । ମାତ୍ର ୨୩ ବର୍ଷ ବୟସରେ ଶତ୍ରୁ ଗୁଳିରେ ଟଳିପଡିଥିଲେ । ତେବେ ୧୯୯୯ ମସିହା ମେ ୩ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ୨ ମାସ, ୩ ସପ୍ତାହ, ୨ ଦିନର କାର୍ଗିଲ ଯୁଦ୍ଧରେ ନିଜକୁ ସାମିଲ କରିଥିଲେ ଗୋପିନାଥ । ଆଉ ଭାରତ- ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧସ୍ଥଳୀକୁ ଯବାନମାନଙ୍କୁ ଗାଡିରେ ନେବାଆଣିବା କରୁଥିଲେ । ହେଲେ ଯୁଦ୍ଧ ମଝିରେ ମେ ୧୯ ତାରିଖ ଦିନ ଶତ୍ରୁଙ୍କ ଗୁଳିରେ ଟଳିପଡିଥିଲେ ଗୋପିନାଥ । ଆଉ ଦେଶ ପାଇଁ ସହିଦ ହୋଇଥିଲେ ।

କାର୍ଗିଲ ବିଜୟ ଦିବସକୁ ଆଜି ୨୧ ବର୍ଷ ପୂରିଥିଲେ ହେଁ, ଏ ମାଆ ଆଖିରୁ ୨୧ ବର୍ଷ ହେବ ଲୁହ ଶୁଖୁନି । ସେପଟେ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତି ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରୁଥିବା ଅଭିଯୋଗ ହୋଇଛି । ଏମିତି କି ସହିଦଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ବି ଦେବାକୁ କେହି ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେଦିନର କାର୍ଗିଲ ହିରୋ…

#ସେଦିନର_କାର୍ଗିଲ_ହିରୋ…#ଆଖିରୁ_ଶୁଖୁନି #୨୧_ବର୍ଷର_ଲୁହ…କାର୍ଗିଲ କୁରୁକ୍ଷେତ୍ରରେ ଶତ୍ରୁର ଗୁଳିରେ ଟଳିପଡିଥିଲେ ବୀର ଓଡିଆ ପୁଅ ଗୋପୀନାଥ ମହାରଣା । ମାଟି ମାଆ ପାଇଁ ପ୍ରାଣବଳି ଦେଇ ସିନା ଗୌରବ ସାଜିଲେ, ହେଲେ ଜନ୍ମକଲା ମାଆକୁ ଏକାକରି ଚାଲିଗଲେ… ୨୧ ବର୍ଷ ଧରି ସହିଦ ପୁଅର ସ୍ମୃତିକୁ ମନେପକାଇ ଲୁହ ଝରାଉଛି ମାଆ… କାର୍ଗିଲ ବିଜୟ ଦିବସରେ ଦେଖନ୍ତୁ ଓଡିଆ ଯବାନଙ୍କ ବୀରତ୍ୱର କାହାଣୀ…#SpecialReport #OdiaJawan #KargilVijayDiwas #KargilWar #Odisha #India ADGPI – Indian Army

Posted by Kanak News on Saturday, 25 July 2020