ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା । ତାଲା ଫିଟିବ, ତତଲା ଖରାରେ ସିଝି ସିଝି ପୁଣି ସ୍ୱପ୍ନର ତାଜମହଲ ତୋଳିବ । ଶ୍ରମିକ ଦିବସରେ ଦେଖନ୍ତୁ କରୋନାର କାନ୍ଥ ପଛରେ ଲୁଚିଥିବା ଶ୍ରମିକଙ୍କ ସଂଘର୍ଷମୟ କାହାଣୀ

ସେ ଝାଳ ବୁହାଏ, ଲୁହ ଝରାଏ, ଦୁମ ଦୁମ ଖରାର ଝାଞ୍ଜି ସହି ବି ଶ୍ରମଦାନ କରୁଥାଏ । ପେଟ ଆଉ ପରିବାର ପାଇଁ ସବୁ ଯନ୍ତ୍ରଣାକୁ ପାଣି କରି ପିଇଯାଏ । ସେଇଥିପାଇଁ ତ ଶ୍ରମ ଓ ସଂଘର୍ଷର ନାଁ ଶ୍ରମିକ...

251

କନକ ବ୍ୟୁରୋ: ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ ଶ୍ରମିକ । ଭିତରେ ଭିତରେ ନିଜ ଆଶାକୁ ଗଢୁଥିବା, ଭାଙ୍ଗୁଥିବା ଆସ୍ପର୍ଦ୍ଧାର ନାଁ ଶ୍ରମିକ । ତା ଶ୍ରମରେ ନଥାଏ ଭେଜାଲପଣ କି ତା କଷ୍ଟରେ ନଥାଏ କୌଣସି ଛଳନା । ସେ ଝାଳ ବୁହାଏ, ଲୁହ ଝରାଏ, ଦୁମ ଦୁମ ଖରାର ଝାଞ୍ଜି ସହି ବି ଶ୍ରମଦାନ କରୁଥାଏ । ପେଟ ଆଉ ପରିବାର ପାଇଁ ସବୁ ଯନ୍ତ୍ରଣାକୁ ପାଣି କରି ପିଇଯାଏ । ସେଇଥିପାଇଁ ତ ଶ୍ରମ ଓ ସଂଘର୍ଷର ନାଁ ଶ୍ରମିକ…

ଶ୍ରମିକ ନଥିଲେ ଆମ ସ୍ୱପ୍ନ ପୂରଣ ହୁଅନ୍ତାନି । ଆମ ଚାକଚକ୍ୟ ଜୀବନ, ଆମ ବିଳାସପୂର୍ଣ୍ଣ ଜୀବନଶୈଳୀ ଶ୍ରମିକ ବିନା ସମ୍ଭବ ହୁଅନ୍ତାନି । ଟଙ୍କା ପାଇଁ ଝାଳ ବୁହାଉଥିବା ଶ୍ରମିକଟିଏ ହିଁ ଆମ ସ୍ୱପ୍ନକୁ ସଜାଡେ, ଆମ ପ୍ରତିଟି ସମ୍ଭାବନାରେ ଶେଷ ସ୍ପର୍ଶ ଦିଏ… ଆଉ ତାରି ଭିତରେ ସେ ଆଙ୍କି ଚାସିଥାଏ ନିଜ ଭବିଷ୍ୟତର ରଙ୍ଗୀନ ଚିତ୍ର ।

ରୋଜଗାର କରି ରଙ୍ଗୀନ ସ୍ୱପ୍ନକୁ ସତ କରିବାକୁ ଶ୍ରମିକ ରାସ୍ତାକୁ ଓହ୍ଲାଏ, ବାହାର ରାଜ୍ୟକୁ ପାଦ ଆଗାଏ… ୧୦/୧୨ର ଭଡାଘର ଭିତରେ ନିଜେ ଆଙ୍କିଥିବା ପେନସିଲର ସ୍କେଚରେ ରଙ୍ଗ ବୋଳିବା ଆରମ୍ଭ କରେ । ଭଙ୍ଗା ଘର ଭିତରୁ କୋଠା ଘରର ଛବି ଆଙ୍କେ । ନିଜେ ଭୋକରେ ରହି ପରିବାର ପାଇଁ ପଇସା ପଠାଏ । ପୁଅ ପାଠ ପଢିବ, ସ୍ତ୍ରୀ ଗହଣା ପିନ୍ଧିବ ଆଉ ବୁଢା ବାପାମାଆ ତା ରୋଜଗାର ଟଙ୍କାରେ ତୀର୍ଥ ବୁଲିବେ । ଏଇ ଆଶା ନେଇ ଅହରହ ଖଟୁଥାଏ ଶ୍ରମିକ ।

ତେବେ ଲକଡାଉନ ପାଇଁ ଆଜି ଶ୍ରମିକ ବାହାରେ ଫଶିଯାଇଛି । ଘରକୁ ଫେରିବାକୁ ଚାତକ ପରି ଚାହିଁ ବସିଛି । ଘର, ପରିବାରଠୁ ଦୂରରେ ଥିବାରୁ ବ୍ୟାକୁଳତାର ଲୁହ ପିଇ ମନ ମାରି ବସିଛି । ଲକଡାଉନର ଲକ୍ଷ୍ମଣରେଖା ଡେଇଁ ଯିଏ ବାହାରି ଆସିଛି ସିଏ ଚାଲୁଛି ଯେ ଚାଲୁଛି, ନା ବାଟ ସରୁଛି ନା ଘର ଆସୁଛି । ତତଲା ତାତିର ଖଇଫୁଟା ଖରାରେ ରାସ୍ତା ମଝିରେ ଶ୍ରମିକର ଚିକ୍ରାର ମଉଳି ଯାଉଛି ।

ଆଜି ଶ୍ରମିକ ଦିବସ । ଶ୍ରମିକଙ୍କ ପାଇଁ ଦିନଟିଏ । ଯେଉଁ ଶ୍ରମିକମାନେ ଆମ ସ୍ୱପ୍ନର ସ୍ରଷ୍ଟା ପାଲଟିଛନ୍ତି, ନିଜେ ସଙ୍ଘର୍ଷ କରି ଶିଳ୍ପଠୁ ସଡକ ଯାଏଁ ତିଆରିଛନ୍ତି । ସେମାନେ ଭଲରେ ଭଲରେ ଘରକୁ ଫେରନ୍ତୁ । ସ୍ତିତି ସୁଧୁରିଲା ପରେ ଜୀବନ ସହ ଜିବିକାକୁ ସୁଦୃଢ କରନ୍ତୁ । ଆଉ ତାଙ୍କ ମଉଳା ମୁହଁରେ ପୁଣି ଥରେ ଫୁଟି ଉଠୁ ଅଲିଭା ହସ ।

Comments are closed.