କଂକ୍ରିଟର ସହରରେ କାଁ ଭାଁ ଦେଖିବାକୁ ମିଳୁଛି ଗଛ । ବିନା ଗଛରେ କେମିତି ବଞ୍ଚିବ ମଣିଷ ? ଏସି ନୁହେଁ ଗଛଟିଏ ଲଗାନ୍ତୁ, ଆପେଆପେ ଥଣ୍ଡା ହୋଇଯିବ ତତଲା ସହର ।

204

କନକ ବ୍ୟୁରୋ: ଚିକମିକ ରାସ୍ତା, କଂକ୍ରିଟର ସହର । ଯୁଆଡେ ଚାହିଁଲେ ଖାଲି କୋଠାବାଡି, ବିରାଟ ବିରାଟ ଅଟ୍ଟାଳିକା । ସହର ସୁନ୍ଦର ହେଉଛି ବୋଲି ତ କାନ୍ଥବାଡ ସବୁଠି ଅଙ୍କାଯାଉଛି ପରିବର୍ତ୍ତନର ପଟ୍ଟଚିତ୍ର, ପୁରୁଣା ସହରକୁ ସମାଧି ଦେଇ ଗଢା ଚାଲିଛି ଆଧୁନିକ ସହର । ହେଲେ ଏହି ବିକାଶ ଓ ସୌନ୍ଦର୍ଯ୍ୟକରଣ ଆଳରେ ଆମେ ପରିବେଶ ସହ ଖେଳ ଖେଳୁନେ ତ, ପୃଥିବୀର ଛାତିକୁ ଛୁରୀମାରୁନେ ତ ? ଏ ପ୍ରଶ୍ନର ଉତ୍ତର ସବୁ ସହରିଆଙ୍କ ପାଖେ ଅଛି, ସବୁ ସରକାରଙ୍କ ପାଖେ ଅଛି । ହେଲେ ନିଜ ସୁବିଧା ପାଇଁ ପାଟି ଫିଟାଉ ନାହାନ୍ତି କେହି । ବିକାଶ ନାଁରେ ପଦା ହେଉଛି ଗଛଲତା । କଟାଯାଉଛି ବହୁ ପୁରୁଣା ଓ ବଡ ବଡ ଗଛ । ମାଟିର ମଲାଟ ଉପରେ କଂକ୍ରିଟର ଢଲେଇ କରି ମାଟିର ସୌନ୍ଦର୍ଯ୍ୟକୁ କବର ଦିଆଯାଉଛି । ଟକଟକ ପିଚୁ ଢାଳି, ଟାଇଲ୍ସ ବସାଇ ମାଟି ମାଆର ଛାତିକୁ ବିଦାରି ଦିଆଯାଉଛି, ମାରି ଦିଆଯାଉଛି ।

ବିକାଶ ନାଁରେ ବେଧଡକ ଚାଲିଛି ଗଛକଟା । ସେ ଭୁବନେଶ୍ୱର ହେଉ କି ଅନ୍ୟ ସହର ସବୁଠି କଂକ୍ରିଟର ସହର ଗଢିବାକୁ ଚାଲିଛି ବ୍ୟାପକ ଗଛକଟା । ଯିଏ ଜୀବନ ଦେଉଥିଲା ତାକୁ ନିଜ ସ୍ୱାର୍ଥପାଇଁ ହାଣିଦେଉଛି ମଣିଷ । ଆଉ ରାସ୍ତା ଘାଟରେ ଥକା ମେଣ୍ଟାଇବାକୁ ଛାଇଟିଏ ପାଉନି ବାଟୋଇ । ସହରରେ ପଥିକକୁ ଗଛ ଛାଇ ଖୋଜିବାକୁ ପଡୁଛି । ଗଛର ଛାଇ ବଦଳରେ ଦେଖିବାକୁ ମିଳୁଛି ବଡ ବଡ ଆପାର୍ଟମେଣ୍ଟର ଛାଇ । ରାଜଧାନୀ ଭୁବନେଶ୍ୱରରେ ତ ଆଉ ମାଟି ଟିକେ ଦେଖିବାକୁ ମିଳୁନି । କଂକ୍ରିଟର ଚାଦର ଢାଙ୍କିଦେଲାଣି ଭୁବନେଶ୍ୱରର ଭୁପୃଷ୍ଠ । ମାଟି କି ଘାସ ଟିକିଏ ଦେଖିବା ଏବେ ସହରରେ ବିରଳ ହେଲାଣି । ଏହାହିଁ ଦର୍ଶାଉଛି ସହରର ସୁନ୍ଦର ହେଲା ଆଳରେ କେଉଁ ସ୍ତରରେ ପହଞ୍ଚିଲାଣି ।

ଗାଁ ଅପେକ୍ଷା ସହରରେ ବଢି ଚାଲିଛି ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର । ସହରର ସବୁ ସ୍ଥାନରେ ଗଦା ହୋଇଛି ପଲିଥିନର ପାହାଡ । ନାଳ ନର୍ଦ୍ଦମାରେ ଏହି ପଲିଥିନ ପଡି ପରିବେଶ ପାଇଁ ବିପଦ ନେଇଆସେ । ଯାଜା ଜୀବନ ପାଇଁ ବିପଦ । ସହରି ଆଭିଜାତ୍ୟରେ ବଢୁଥିବା ଲୋକ ସବୁଦିନ ଅଣନିଶ୍ୱାସୀ ହେଉଛନ୍ତି । ଦିନକୁ ଦିନ ସହରରେ ବଢୁଛି ଗାଡିମୋଟରର ଚଳାଚଳ । ନିର୍ମାଣ କାର୍ଯ୍ୟ ସହର ଭିତରେ ଦୃତ ଗତିରେ ବଢି ଚାଲିଛି । ଗୋଟେ ପଟେ ଗଛ ସଫା ହେଉଛି, ଅନ୍ୟପଟେ ସହର ଗଢାହେଉଛି । ଯେଉଁଥିପାଇଁ ଗ୍ରୀଷ୍ମଦିନେ ଟକଟକ ହୋଇ ଫୁଟୁଛି ସହର । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ମଣିଷ । ସମସ୍ୟା ବଢୁଛି ସତ ହେଲେ କେହି ସୁଧୁରୁ ନାହାନ୍ତି ।

ଘଞ୍ଚ ଜଙ୍ଗଲ ପତଳା ହେଉଛି, ଜଙ୍ଗଲରେ ନିଆଁ ଜଳୁଛି । ଜୀବଜନ୍ତୁ ମରୁଛନ୍ତି । ପଶୁପକ୍ଷୀ ଗାଁ ମୁହାଁ ହେଉଛନ୍ତି । ସବୁ ସମସ୍ୟା. ସବୁ ଜଟିଳ ପରିସ୍ଥିତି ଭିତରେ ପୃଥିବୀ କାନ୍ଦୁଛି । ନିଜ ପାଇଁ ନିଜ ଆଖିରେ ଲୁହ ଆଣିଛି । ଆଉ ତା ଛାତିରେ ଜାଗା ଦେଇଥିବା ମଣିଷଙ୍କୁ ପଚାରୁଛି, ମୁଁ କଣ ସତରେ ଶାନ୍ତିରେ ଅଛି । ଆସନ୍ତୁ ପୃଥିବୀ ଦିବସ ଅବସରରେ ମାଟି ମାଆ, ପରିବେଶର ସୁରକ୍ଷା କରିବା । ଏସି ନୁହେଁ ବରଂ ଗଛଟିଏ ଲଗାଇବା । ସୁସ୍ଥ ପରିବେଶ ପାଇଁ ସଚେତନ କରିବା । ଆମେ ଯଦି ପୃଥିବୀର ସୁରକ୍ଷା ନକରିବା ଆଉ କିଏ କରିବ ।