ଆକାଶ ମଝିରୁ ଆଉ ଫେରିଲେନି ବାୟୁବୀର ବିପିନ ରାୱତ । ଆକାଶରେ ଅଘଟଣ, ଉଡିଗଲା ପ୍ରାଣ… ସ୍ତବ୍ଧ ସାରା ଦେଶ

364

କନକ ବ୍ୟୁରୋ: ଆଉ ନାହାନ୍ତି ସିଡିଏସ ବିପିନ ରାୱତ… ଏ ଖବର ଯେତେବେଳେ ସାରା ଦେଶରେ ଖେଳିଗଲା ସେତେବେଳେ ସ୍ତବ୍ଧ ହୋଇଗଲା ସାରା ଦେଶ । ଶୋକରେ ବୁଡିଲା ପୂରା ଭାରତ । ଆକାଶରେ ଏ ଆକସ୍ମିକ ମୃତ୍ୟୁକୁ ନା ଗ୍ରହଣ କରିପାରିଥିଲେ ଦେଶବାସୀ ନା ବିଶ୍ୱାସ କରିପାରୁଥିଲେ କେହି । ସମସ୍ତେ କହୁଥିଲେ ହେ ପ୍ରଭୁ ! ଏ ଖବର ମିଛ ହୋଇଥାଉ… କିନ୍ତୁ ମଝି ଆକାଶରୁ ଦେଶର ମହାଯୋଦ୍ଧାଙ୍କୁ ଆବୋରି ନେଇଥିଲା ମୃତ୍ୟୁ । ଆକାଶରୁ ଆରପାରିକୁ ଚାଲିଯାଇଥିଲେ ଶତ୍ରୁ ଦେଶରେ ଆତଙ୍କ ରଚୁଥିବା ସର୍ଜିକାଲ ଷ୍ଟ୍ରାଇକର ସିଂହ ସାଜିଥିବା ଜେନେରାଲ ବିପିନ ରାୱତ ।

ତାମିଲନାଡୁର କୁନ୍ନୁର ଅଞ୍ଚଳରେ ହଠାତ୍ ଆକାଶରୁ ଖସିପଡ଼ିଲା ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହଲିକପ୍ଟର ଏମଆଇ ସେଭେଂଟିନ୍-ଭି-ଫାଇଭ୍ । ଜଙ୍ଗଲର ନିଆଁ ଭଳି ମାତ୍ର କେଇ ମିନିଟ ଭିତରେ ଏହି ଦୁର୍ଘଟଣାର ଖବର ସାରା ଦେଶରେ ବ୍ୟାପିଗଲା । ଭାରତୀୟ ବାୟୁସେନା ଟୁଇଟ କରି ଜଣାଇଲା ଯେ, ହେଲିକପ୍ଟରରେ ଥିଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା । ତାଙ୍କ ସହ ଅନ୍ୟ କିଛି ସେନାର ଉଚ୍ଚ ଅଧିକାରୀ ବି ଏହି ହେଲିକପ୍ଟରରେ ଯାଉଥିଲେ । ସାରା ଦେଶରେ ଚିନ୍ତା ଖେଳିଗଲା ଯେ, ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଓ ଅନ୍ୟ ଅଧିକାରୀ ସୁରକ୍ଷିତ ଅଛନ୍ତି ତ ? ଭାରତ ସରକାର ମଧ୍ୟ ତତ୍ପର ହୋଇ ଉଠିଲେ, କାରଣ ଦୁର୍ଘଟଣା ସ୍ଥଳରୁ ଯେଉଁ ଦୃଶ୍ୟ ଆସୁଥିଲା, ତାହା ଯେତିକି ସାଂଘାତିକ ଥିଲା, କାରଣ ପୁରା ହେଲିପ୍ଟର ଏକପ୍ରକାର ଚୁରମାର ହୋଇଯାଇଥିଲା ।

ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ୍ ବିପିନ ରାୱତଙ୍କ ଘରେ ପହଞ୍ଚିବାର ଖବର ଆସିଲା । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିବୃତି ରଖିବେ ବୋଲି ସୂଚନା ଆସିଲା । ସମୟ –ପ୍ରାୟ ସଂଧ୍ୟା ୬ଟା, ଟୁଇଟ୍ କଲା ଭାରତୀୟ ବାୟୁସେନା ଯାହା ଆଶଙ୍କା କରାଯାଉଥିଲା, ଟୁଇଟରେ ସେଇଆ ହିଁ ଥିଲା । ଭାରତୀୟ ବାୟୁସେନା ପକ୍ଷରୁ ଏହି ଟୁଇଟରେ କୁହାଗଲା ଯେ, ଜେନେରାଲ ବିପିନ ରାୱତ ଏହି ଦୁଭାର୍ଗ୍ୟଜନକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ହେଲିକପ୍ଟରରେ ଥିବା ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି ଯେ, ଏହି ଦୁର୍ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ରାୱତଙ୍କ ୪୦ ବର୍ଷର ସେବାକୁ କେହି ଭୁଲି ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଗଭୀର ଶୋକ ପ୍ରକାଶ କରିବା ସହ ଲେଖିଛନ୍ତି ଯେ, ପ୍ରତିରକ୍ଷା ସଂସ୍କାରରେ ବିଭିନ୍ନ ଦିଗରୁ କାମ କରିଥିଲେ, ଏବଂ ତାଙ୍କର ଗଭୀର ଅନୁଭୂତି ଭାରତୀୟ ସେନାକୁ ବହୁ ଭାବେ ସାହାଯ୍ୟ କରଥିଲା । ଏ ଦେଶ କେବେ ତାଙ୍କର ଅବଦାନକୁ ଭୁଲି ପାରିବ ନାହିଁ । ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଶାହା ଲେଖିଛନ୍ତି ଯେ, ଭାରତୀୟ ସେନାର ସବୁଠୁ ସାହସୀ ସୈନିକଙ୍କ ମଧ୍ୟରେ ଜଣେ ଥିଲେ ଜେନେରାଲ ବିପିନ ରାୱତ । ସତରେ ଦେଶ ସେବା ପ୍ରତି ସମର୍ପିତ ଥିବା ଜଣେ ଯୋଦ୍ଧାଙ୍କର ଏମିତି ଯିବାର ନଥିଲା କି ଏମିତି ଆକସ୍ମିକ ମୃତ୍ୟୁ ହେବାର ନଥିଲା । ଦେଶ ଆଜି ତାର ସୁଯୋଗ୍ୟ ସନ୍ତାନକୁ ହରାଇ ଝୁରି ହେଉଛି ।