ଗୋଟିଏ ସହର, ଦୁଇଟି ନାଁ ! ଓଡିଆରେ ବ୍ରହ୍ମପୁର, ଇଂରାଜୀରେ ବେରହମପୁର… ରେଶମ ସହରର ନାଁକୁ ନେଇ ଉପୁଜିଲା ଦ୍ୱନ୍ଦ୍ୱ । କେବେ ହେବ ସମାନ ନାଁ, ଜୋର ଧରିଲା ଦାବି…

928

କନକ ବ୍ୟୁରୋ: ଓଡିଆରେ ବ୍ରହ୍ମପୁର । ଇଂରାଜୀରେ ବେରହମପୁର ? ବନାନଗତ ଅଶୁଦ୍ଧି ଏବଂ ଉଚ୍ଚାରଣ ପାଇଁ ଏବେ ରେଶମ ସହରର ନାଁକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । କେଉଁଠି ଓଡିଆରେ ବ୍ରହ୍ମପୁର ଲେଖାଯାଇଛି ତ ଆଉ କେଉଁଠି ଇଂରାଜୀରେ ବେରହମପୁର ଲେଖାଯାଇଛି । ସାରା ସହରର ବିଭିନ୍ନ ସ୍ଥାନରେ ଏହି ଭୁଲକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।

ସ୍ୱାଧୀନତାର ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ଇଂରେଜଙ୍କ ଅପଭ୍ରଂଶ ଉଚ୍ଚାରଣରେ ପରିଚିତ ହେଉଛି ବ୍ରହ୍ମପୁର ସହର । ଯେଉଁଠି ଯେଉଁଠି ଇଂରାଜୀରେ ସହରର ନାଁ ଲେଖାଯାଇଛି ସେଇଠି ସେଇଠି ଇଂରେଜଙ୍କ ଅପଭ୍ରଂଶ ଶବ୍ଦରେ ବେହେରମପୁର ଲେଖାଯାଇଛି । ବ୍ୟାଙ୍କ ଫଳକ, ଭିଜିଲାନ୍ସ ଅଫିସ , ଫରେଷ୍ଟ ଡିପାର୍ଟମେଣ୍ଟ, ବଡ ବଡ ପୋଷ୍ଟର ହୋର୍ଡିଂରେ ଇଂରାଜୀରେ ବେହେରମପୁର ଲେଖାଯାଇଛି । ତେବେ କେବଳ ରେଳ ଷ୍ଟେସନକୁ ଛାଡି ଦେଲେ ଆଉ ସବୁଠି ଏହି ଅପଭ୍ରଂଶ ନାମ ଲେଖାଯାଇଛି ।

ତେବେ ଇତିହାସ କୁହେ ୧୬୭୦ରେ ମହୁରୀଗଡ ରାଜା ବ୍ରହ୍ମପୁର ସହର ପ୍ରତିଷ୍ଠା କରିଥିଲେ । ଏହି ଅଞ୍ଚଳରେ ବହୁ ଦେବାଦେବୀଙ୍କ ମନ୍ଦିର ଥିବାରୁ ବ୍ରହ୍ମାଙ୍କ ନାମ ଅନୁସାରେ ବ୍ରହ୍ମପୁର ରଖାଯାଇଥିଲା । ମାତ୍ର ୧୮୫୦ରେ ଯେତେବେଳେ ଏହା ଇଂରେଜ ଶାସନକୁ ଆସିଲା ସେତେବେଳେ ଇଂରେଜମାନେ ବ୍ରହ୍ମପୁରକୁ ସଠିକ ଉଚ୍ଚାରଣ କରିନପାରି ବେରହମପୁର କହିଥିଲେ । ବାସ୍ ସେବେଠାରୁ ସବୁ ସରକାରୀ କାଗଜ ପତ୍ରରେ ସେହି ନାମ ହିଁ ଲେଖାଯାଉଛି ।

ତେବେ ବ୍ରହ୍ମପୁରର ଇଂରାଜୀ ନାମକୁ ପରିବର୍ତ୍ତନ କରିବାକୁ ପୂର୍ବତନ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ ବିଧାନସଭାରେ ଉଠାଇଥିଲେ ବି ଏହା ଆନ୍ଦୋଳନରେ ପରିଣତ ହୋଇନଥିଲା କି କୌଣସି ସୁଫଳ ମିଳିନଥିଲା । ସେବେଠାରୁ ସେହି ଅପଭ୍ରଂଶ ନାମକୁ ସମସ୍ତେ ଲେଖି ଆସୁଥିବା ବେଳେ ନା ପ୍ରଶାସନ ନା ସାଧାରଣ ଲୋକେ କେହି ବି ଏହାକୁ ବଦଳାଇବାକୁ ସ୍ୱର ଉଠାଉ ନାହାନ୍ତି ।