ହାତ ଧରି ଅଭିନୟର ଅ, ଆ ଶିଖାଇଥିଲେ, କୁମ୍ଭାର ଭଳି ଅନେକ ମାଟିକୁ ମାଠିଆ କରିଥିଲେ… ମୁଣ୍ଡ ଉପରୁ ମୁରବୀଙ୍କ ହାତ ଉଠିଯିବା ପରେ ଏବେ ମର୍ମାହତ ବିଜୟଙ୍କ ଶିଷ୍ୟ… ଶେଷ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଛାତ୍ର କହୁଥିଲେ ବିଜୟ ସାର୍ ! ଆମକୁ ଛାଡିକି କେମିତି ଯାଇପାରିଲେ…???

ବିଜୟ ମହାନ୍ତି ! ଓଡିଆ ସିନେ ଜଗତର ବେତାଜ ବାତସାହା । ଜଣେ ମୁକୁଟ ବିହୀନ ସମ୍ରାଟ । ଓଡିଆଙ୍କ ଛାତିରେ ଅମାପ ଜାଗା ହଡପ କରିଥିବା ‘ହାକିମ ବାବୁ’ । ସିଲଭର ସ୍କ୍ରିନରେ ସହରର ବାଘ ସାଜିଥିବା ବିଜୟ ସିନେ ଇଣ୍ଡଷ୍ଟ୍ରିର ଅସ୍ମିତା, ଏକ ସର୍ବୋଚ୍ଚ ସ୍ୱର, ସ୍ୱର୍ଣ୍ଣିମ ଅଧ୍ୟାୟର ସୂତ୍ରଧର...

763

କନକ ବ୍ୟୁରୋ: ଛ ଖଣ୍ଡ କାଠରେ କୋକେଇ ବନ୍ଧାହେଲା, ଦେହରେ ବୋଳାହେଲା ବିଦାୟର ଅବିର ଆଉ ରାମ ନାମ ସତ୍ୟ ହେ… ଡାକରେ ଶଗଡିଆର ଶବ ଶ୍ମଶାନ ଚାଲିଲା ।

ବିଜୟ ମହାନ୍ତି ! ଓଡିଆ ସିନେ ଜଗତର ବେତାଜ ବାତସାହା । ଜଣେ ମୁକୁଟ ବିହୀନ ସମ୍ରାଟ । ଓଡିଆଙ୍କ ଛାତିରେ ଅମାପ ଜାଗା ହଡପ କରିଥିବା ‘ହାକିମ ବାବୁ’ । ସିଲଭର ସ୍କ୍ରିନରେ ସହରର ବାଘ ସାଜିଥିବା ବିଜୟ ସିନେ ଇଣ୍ଡଷ୍ଟ୍ରିର ଅସ୍ମିତା, ଏକ ସର୍ବୋଚ୍ଚ ସ୍ୱର, ସ୍ୱର୍ଣ୍ଣିମ ଅଧ୍ୟାୟର ସୂତ୍ରଧର… ଆଜି ଘରର ମୁରବୀକୁ ହରାଇ ଭାଙ୍ଗି ପଡିଛି ଓଲିଉଡ । ଭୀଷ୍ମ ପିତାମକଙ୍କୁ ଦୂରେଇ ଗୁମୁରି କାନ୍ଦୁଛନ୍ତି ଛାତ୍ରଛାତ୍ରୀ । ହାତଧରି ପାଠ ପଢାଇଥିବା ବିଜୟ ସାର ପଞ୍ଚଭୂତରେ ଲୀନ ହେବା ପରେ ମୁଣ୍ଡ ଉପରୁ ମୁରବୀଙ୍କ ହାତ ହରାଇଛନ୍ତି ଅନେକ ଅଭିନେତା

ହାଇଦ୍ରାବାଦରୁ ଫେରିଲା ପରେ ବିଜୟ କହିଯାଇଥିଲେ, ହସ୍ପିଟାଲରୁ ଫେରିଲେ ନାଟକ କରିବା । କିନ୍ତୁ କିଏ ଜାଣିଥିଲା ତାଙ୍କ ଜୀବନ ନାଟକର ପରଦା ଏତେ ଶୀଘ୍ର ପଡିଯିବ । କୋଟି କୋଟି ଓଡିଆଙ୍କ ହୃଦୟରେ ମାୟା ଲଗାଇ ସବୁଦିନ ପାଇଁ ଚାଲିଯିବେ ଅଫେରା ରାଇଜକୁ । ପ୍ରଶଂସକ ତ କାନ୍ଦୁଛନ୍ତି ହେଲେ ଯେଉଁମାନେ ତାଙ୍କ ହାତ ଧପି ଅଭିନୟର ଅ, ଆ ଶିଖିଥିଲେ ସେମାନେ ଅବାକ ହୋଇଛନ୍ତି, ବାକ୍ରୁଦ୍ଧ ହୋଇଛନ୍ତି । ଆଖିର ଲୁହକୁ ଅଟକାଇ ପାରି ନାହାନ୍ତି…

ବିଜୟ ମହାନ୍ତି କେବଳ ଅଭିନେତା ନୁହଁନ୍ତି ସେ ଜଣେ ଅନୁଷ୍ଠାନ । ଉକଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଅନେକ ମାଟିକୁ ମାଠିଆ କରିଛନ୍ତି । ଅନେକ ଅଭିନେତାଙ୍କୁ ନିଜ ହାତରେ ଗଢିଛନ୍ତି । ସେଇଥିପାଇଁ ତ ତାଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଛନ୍ତି ତାଙ୍କ ଠାରୁ ଶିକ୍ଷା ପାଇଥିବା ଛାତ୍ରଛାତ୍ରୀ । ଖାଲି ପ୍ରସିଦ୍ଧ କଳାକାର ନୁହଁନ୍ତି ଯାତ୍ରା, ମେଲୋଡି, ଗାଁ ଗଣ୍ଡାରେ ଅନେକ ବିଜୟଙ୍କ ଅନେକ ଅପରିଚିତ ଶିଷ୍ୟ ଅଛନ୍ତି ଯେଉଁମାନେ ସାରଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି । ଲୁହ ତାଙ୍କର ଲକଡାଉନ ହୋଇଛି, ଶବ୍ଦ ସଟଡାଉନ ପାଲଟିଛି । ଆଉ ଦୂରରୁ ଥାଇ ପ୍ରିୟ ବିଜୟ ସାରଙ୍କୁ ହାତଯୋଡି ଶେଷ ବିଦାୟ ଦେଇଛନ୍ତି ।