ପୋଖରାନର ‘ଅଟଳ’ କାହାଣୀ । ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବାଜପେୟୀଙ୍କ କାହାଣୀକୁ ମନେ ପକାଇଲା ଦେଶ । ୧୯୯୮ରେ ଆମେରିକାର ଗୁଇନ୍ଦା ଉପଗ୍ରହକୁ ଚକମା ଦେଇ ସଫଳତାର ସହ ହୋଇଥିଲା ପରମାଣୁ ବୋମା ପରୀକ୍ଷଣ । ବାଜପେୟୀଙ୍କ ବିଚକ୍ଷଣ ରଣନୀତି ଯୋଗୁଁ ସୁରକ୍ଷା କ୍ଷେତ୍ରରେ ଲମ୍ବ ଡିଆଁ ମାରିଥିଲା ଭାରତ

498

କନକ ବ୍ୟୁରୋ: ଆଜି ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ସଫଳତା ମନେ ପକାଇଛି ଦେଶ । ତାଙ୍କ ସହ କାମ କରିଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ ମନେ ପକାଇଛନ୍ତି, ପୋଖରାନ ପରମାଣୁ ବୋମା ପରୀକ୍ଷଣର କଥା । କେମିତି ଆମେରିକାର ଗୁଇନ୍ଦା ଉପଗ୍ରହ ଆଖିରେ ଧୂଳି ଦେଇ, ଭାରତୀୟ ସେନା ସଫଳତାର ସହ ଏହି କାମ କରିପାରିଥିଲା ।

ଭାରତର ପୋଖରାନ ପରୀକ୍ଷଣ ବାବଦରେ ଆମେରିକା ବି ସୁରାଗ ପାଇ ପାରିନଥିଲା । ୧୯୯୮ ମସିହାରେ ରାଜସ୍ଥାନର ପୋଖରାନ ଅଂଚଳରେ ଭାରତୀୟ ସେନା ପରମାଣୁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥାଏ । ସବୁଠାରୁ ବଡ ଶଙ୍କା ଥାଏ- କାଳେ ଆମେରିକାର ଗୋଇନ୍ଦା ଉପଗ୍ରହ ଏ ଗତିବିଧିକୁ ଲକ୍ଷ୍ୟ କରିଦେବ । ଯଦି ଆମେରିକା କିମ୍ବା ବିଶ୍ୱ ସମୁଦାୟ ଏ ପ୍ରସ୍ତୁତିର ଖବର ପାଇଯାଇଥାନ୍ତେ, ତେବେ ପରମାଣୁ ପରୀକ୍ଷା ନକରିବା ପାଇଁ ପ୍ରବଳ ଚାପ ସୃଷ୍ଟି ହୋଇଥାନ୍ତା । ତେଣୁ ଆମେରିକାର ଗୋଇନ୍ଦା ଉପଗ୍ରହ ଯେତେବେଳେ ସେହି ସ୍ଥାନକୁ ଦେଖି ପାରୁଥାଏ, ସେତେ ବେଳେ କାମ ବନ୍ଦ ଥାଏ ଏବଂ ପୁଣି ଉପଗ୍ରହ ସେଠାରୁ ହଟିଯିବା ପରେ କାମ ଆରମ୍ଭ ହୋଇଯାଏ ।

କୁହାଯାଏ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଚକ୍ଷଣ ରଣନୀତି ଯୋଗୁଁ ଏହି ପରମାଣୁ ବୋମା ପରୀକ୍ଷା ସଫଳତାର ସହ କରାଯାଇପାରିଥିଲା । ଏପରିକି ୧୯୭୪ରେ ଇନ୍ଦିରା ଗାନ୍ଧୀଙ୍କ ସରକାର ପ୍ରଥମ ପରମାଣୁ ବୋମା ପରୀକ୍ଷା କରିଥିଲେ ମଧ୍ୟ, ବିଶ୍ୱ ସମୁଦାୟର ଚାପ ଯୋଗୁଁ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରିନଥିଲେ ।

ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବାଜପେୟୀଙ୍କର ଏହିପରି ଅନେକ ସଫଳତାକୁ ଆଜି ଦେଶ ମନେ ପକାଇଛି ।