କନକ ବ୍ୟୁରୋ: କାଳିଆରେ କୁଆଡେ ଗଲୁ...ମୁଁ ତତେ ପାଉନିରେ କାଳିଆ, ତତେ ଦେଖି ପାରୁନି । ଏତେ ବଡ ଦାଣ୍ଡରେ ଛିଡା ହୋଇ ବି ମୁଁ ତୋ ଦର୍ଶନ ପାଉନିରେ କାଳିଆ... ଦର୍ଶନ ପାଉନି । ତତେ ପାଖରୁ ଟିକେ ପାଇବାକୁ, ଆଖି ପୂରେଇ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଥିଲି । ହେଲେ ତୁ କଣ କଲୁ...?

Advertisment

publive-image
ଏତେ ଦୂରରୁ ମୁଁ କେମିତି ଆସିିଲି, କାହା ସାଙ୍ଗରେ ଆସିଲି ସବୁ ତତେ ହିଁ ଜଣା । ପାଖରେ ଫୁଟି କଉଡିଟେ ନଥାଇ ବି ତୋ ଯାତ ବୁଲୁଛି, ଏଇଟା ମୋର ସୌଭାଗ୍ୟ । ହେଲେ ଯେଉଁଥି ପାଇଁ ଆସିଥିଲି ସେଇଟା ହେଲାନି । ତତେ ଏଯାଏଁ ଟିକେ ଆଖି ପୂରେଇ ଦେଖି ପାରିଲିନି...ପାଖରେ ପାଇ ଟିକେ କୁଣ୍ଢେଇ ପାରିଲିନି...ଆଉ ତୋ ଆଖି ସହ ଆଖି ମିଶେଇ ଅଭିମାନରେ ଟିକେ ଭଲରେ କାନ୍ଦି ବି ପାରିଲିନି...ା କଣ ପାଇଁ କାଳିଆ, କଣ ପାଇଁ...?

publive-image
ମୁଁ କଣ ତୋ ଭକ୍ତ ନୁହେଁ ? ମୁଁ କଣ ତତେ ଭଲ ପାଏନି ? ସମସ୍ତେ କୁହନ୍ତି ତୋ କାନ ନାହିଁ ହେଲେ ସମସ୍ତଙ୍କ ଡାକ ଶୁଣୁ । ଦୂରରେ ଥାଇ ତତେ ଯିଏ ଥରେ ଡାକିଦିଏ ତୁ ସାଙ୍ଗେସାଙ୍ଗେ ତା ପାଖରେ ହାଜର ହୋଇଯାଉ । ମୁଁ ତ ଦୂରରେ ନାହିଁ, ବରଂ ଦୂରରୁ ତୋ ପାଖକୁ ଧାଇଁ ଆସିଛି । ଏତେ ପାଖରେ ଥାଇ ବି ମୁଁ ତତେ ଦେଖି ପାରୁନି, ଏଇଟା ମୋର ଦୁର୍ଭାଗ୍ୟ । ମୋର ତ ଛୋଟ ଆଖି ମୁଁ ତତେ ଦେଖି ପାରୁନି । ହେଲେ ତୋର ତ ବଡବଡ ଚକା ଆଖି, ତୁ ମତେ ଦେଖୁଛୁ କି ନାହିଁ । ତୋ ଦାଣ୍ଡରେ ଛିଡା ହୋଇ ବି ମୋର ବଡ ଅବଶୋଷ ରହିଗଲା ତତେ ଟିକେ ଦେଖି ପାରିଲିନି...

publive-image
ତୋ ଦୂଆରେ ପାଦ ଦେଉ ଦେଉ ଲହଡି ଭାଙ୍ଗୁଥିଲା ଜନ ସମୁଦ୍ର । ତତେ ଟିକେ ଦେଖିବି ବୋଲି ସେ ପ୍ରବଳ ଭିଡ ଆଉ ପ୍ରବଳ ଢେଉକୁ ଖାତିର ନକରି ଡେଇଁଲି ମଝି ସମୁଦ୍ରକୁ । ହେଲେ ଶତ ଚେଷ୍ଟା କରିବା ପରେ ବି ମୁଁ ପାରିଲିନିରେ କାଳିଆ, ପାରିଲିନି...ତୋ ପାଖକୁ ଆସିବା ବେଳେ ସମୁଦ୍ର ଭଉଁରୀରେ ଫସିଗଲି । ତୋପାଇଁ କଡାକଡି ହୋଇଥିବା ସୁରକ୍ଷା ବଳୟ ଭେଦି ପାରିଲିନି ।
ତୁ ରଥାରୂଢ ହେଲା ପରେ ଭାବିଥିଲି ତୋ ଦର୍ଶନ ପାଇବି । ରଥରେ ବସିବା ପରେ ଭକ୍ତଙ୍କୁ ଦେଉଥିବା ତୋ ପ୍ରଥମ ସହାସ୍ୟ ବଦନ ଦେଖିବି...ହେଲେ ଠେଲାପେଲା ଭିତରେ ମୁଁ ତଳେ ରହିଗଲି । ଗେଡା ମଣିଷଟେ କରି ତ ଜନ୍ମ ଦେଇଛୁ । ସେଥିରେ ମୋର ବା ଭୁଲ କେଉଁଠି । ହେଲେ ବଡ ଦୁଃଖର କଥା ତୁ ଏତେ ବଡ ହୋଇକି ବି ମୁଁ ତତେ ଥରେ ଦେଖି ପାରିଲିନି...

publive-image
ମୁଁ ଜାଣିଛି ତୁ ଭଲପାଉ ଯେତିକି, ଧୋକା ଦେଉ ସେତିକି । ସେଇଥିପାଇଁ ବୋଧେ ତତେ ସମସ୍ତେ ଦଗାଦିଆ ଠାକୁର କହନ୍ତି । ହେଲେ ମୁଁ ତତେ ନଦେଖିବା ଯାଏଁ ସହଜେ ଯାଉନି । ତୁ ଯଦି ମୋ କଥା ଶୁଣି ପାରୁଛୁ, ତୁ ଯଦି ମୋତେ ଭଲପାଉଛୁ ତାହାଲେ ମତେ ଏଇଠି ଆସି ଦେଖା ଦେ, ଏଇଠି ଆସି ଉଭା ହେ...କାରଣ ମୋ ଆଖି ତୋ ପର୍ଯ୍ୟନ୍ତ ପହଞ୍ଚି ପାରୁନି...ହେଲେ ମୋର ବିଶ୍ୱାସ ତୁ ଆସିବୁ ନିଶ୍ଚିତ ଆସିବୁ, ମୋତେ ଦେଖା ଦେବୁ...ଆଉ ମୁଁ ତତେ ଦେଖି ମନଭରି କାନ୍ଦିବି...