ସରି ଆସୁଛି ୯୦ ଦଶକର କଳାକାରଙ୍କ ଯୁଗ। ଅସ୍ତ ଯାଉଛନ୍ତି ଜଣେ ପରେ ଜଣେ ଉଦୀୟମାନ ତାରକା…

773

କନକ ବ୍ୟୁରୋ: ୩ ଘଣ୍ଟାରେ ସରିଯାଏ ସିନେମା । ରାତିରେ ଆରମ୍ଭ ହୋଇଥିବା ଯାତ୍ରାରେ ସକାଳେ ପଡେ ଯବନିକା । ନାଟକ ବି ନୃତ୍ୟ, ଗୀତ, ସଙ୍ଗୀତ ଓ ସଂଳାପର ତାଳିଗାଳି ଭିତରେ ମଞ୍ଚରୁ ମେଲାଣୀ ନିଏ… ନିଜ ଚରିତ୍ରରୁ ବାହାରି ଆସନ୍ତି ଅଭିନେତା । ମୁହଁରୁ ପୋଛନ୍ତି ମେକଅପ୍ । ପରଦା ଓ ପେଣ୍ଡାଲ ପରି ସମୟ ସରିଲେ ବି ନିଜ ଜୀବନର ରଙ୍ଗମଞ୍ଚରୁ ଅଭିନୟ ସାରି ବାହୁଡି ଯାଆନ୍ତି ଅଭିନେତା । କିଏ ଜୀବନର ଚଳଚ୍ଚିତ୍ରରେ ରିଲ୍ ସରିବା ଆଗରୁ ନିଜ ଇଚ୍ଛାରେ କଟ୍ କହି ସିନ୍ ସାରିଦିଏ ତ କାହାର ଅଭିନୟ ବାକି ଥିବା ବେଳେ ଆୟୁଷ ସରିଯାଏ । ଓଡିଆ ସିନେ ଆକାଶରେ ଘୋଟି ଆସୁଥିବା କଳାବାଦଲରେ ଅସ୍ତ ହେଉଛନ୍ତି ଜଣକ ପରେ ଜଣେ ଉଦୀୟମାନ ସୂର୍ଯ୍ୟ । ୯୦ ଦଶକର ଲୋକପ୍ରିୟ କଳାକାରଙ୍କ ଯୁଗର ଅବସାନ ଘଟୁଛି । ଆଉ ସେହି ବର୍ଷିଆନ ଅଭିନେତାଙ୍କ ଅଚାନକ ଅବସାନ ବ୍ୟଥିତ କରୁଛି …

ଏ ଫଟୋକୁ ଦେଖନ୍ତୁ, ଏମିତି ଜଣେ କେହି ନଥିବେ ଯାହାଙ୍କୁ ଆପଣ ଚିହ୍ନି ନଥିବେ କି, ତାଙ୍କ ଅଭିନୟ ଆପଣଙ୍କ ମନକୁ ଛୁଇଁ ନଥିବ । ଏମାନେ ସମସ୍ତେ ଆମ ସମୟର ଅଭିନେତା । ଅର୍ଥାତ ୯୦ ଦଶକର ଚର୍ଚ୍ଚିତ କଳାକାର । ଯେଉଁମାନଙ୍କୁ ଆମେ ପିଲା ଦିନେ କଳାଧଳା ଟିଭି ପରଦାରେ ଦେଖିଛୁ, ନାଚିଛୁ, ଆଉ ତାଙ୍କ ଡାଇଲଗ ଘୋଷି ସଢେଇକୁ ମାଇକ୍ କରି ନିଜେ ଜଣେ ଜଣେ ହର ପଟ୍ଟନାୟକ, ରାଇମୋହନଙ୍କ ନକଲ କରିଛୁ ।

ଆସନ୍ତୁ ଟିକେ ପିଲା ଦିନକୁ ଫେରିିଯିବା… ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ସେତେବେଳେ ସବୁ ଶନିବାର ରବିବାର ଘଣ୍ଟାରେ ୩ଟା ବାଜିବାକୁ ସମସ୍ତେ ଅପେକ୍ଷା କରିଥାଉ । ଟିଭିରେ ଆଜି କେଉଁ ଫିଲ୍ମ ଦେବ ତାହା ଜଣା ନଥାଏ । କିନ୍ତୁ ଏକ ଅଜଣା ଖୁସିରେ ସିନେମା ହଲର ଖୁସି ନେଲା ପରି ଘର ଭିତରେ ସପ, ଚଟେଇ ପକାଇ ଏକାଠି ଫିଲ୍ମ ଦେଖନ୍ତି ପୂରା ପରିବାର ଓ ଗାଁ ଲୋକେ । ପୁରୁଣା ଟିଭିର କଳାଧଳା ପରଦାରେ ସିନେମା ଆରମ୍ଭ ହୁଏ । ଫିଲ୍ମ ମଝିରେ କାଳେ ଝିଲଝିଲ ହେବ ତେଣୁ ଆଗୁଆ ଆଣ୍ଟିନାକୁ ସଜଡା ସରିଥାଏ । ଆଉ ସିନେମାର ନାୟକ ମାନେ ମନରେ ଯେତିକି ଛାପ ଛାଡନ୍ତି ସେତିକି ଦୁର୍ଦ୍ଦାନ୍ତ ଖଳନାୟକ ମାନଙ୍କର ଡାଇଗଲ ପ୍ରଭାବିତ କରେ । ଦୁଃଖୀରାମ ସ୍ୱାଇଁ କୁହନ୍ତୁ କି ହର ପଟ୍ଟନାୟକ । ମିନକେତନଙ୍କ ଠାରୁ ରାଇମୋହନ ପରିଡା, ଏମାନଙ୍କ ଛାତିଥରା ସଂଳାପରେ ଲୋକେ ଡରି ବି ଯାଆନ୍ତି । ସେଇଥିପାଇଁ ତ ଏଇ ଅନାନି, କଟ କଟ କଟରା… ଡାଇଲଗ ଆଜି ବି ଲୋକଙ୍କ ହୃଦୟରେ ବସାବାନ୍ଧି ରହିଛି…

ଦୁଃଖ ଦେଇଥିଲେ ଦୁଃଖୀରାମ

ଓଡ଼ିଆ ସିନେ ଜଗତରେ ନିଜ ନିଖୁଣ ଅଭିନୟ କରି ଛାପ ଛାଡିଥିବା ଦୁଃଖୀରାମ ସ୍ୱାଇଁ ଖଳନାୟକ ଭୂମିକାରେ ଯେତିକି ଲୋକଙ୍କ ମନରେ ଘର କରିଥିଲେ ସେତିକି ହାସ୍ୟ ଓ ଚରିତ୍ର ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ । ମାତ୍ର ସେ ବି ନିଜ ଜୀବନର ଅଭିନୟ ସାରି ବାହୁଡିଯାଇଥିଲେ ।

ହରଭାଇଙ୍କୁ ହରାଇଛୁ

ଭେଟେରାନ ଆକ୍ଟର, ତଥା ଘରେ ଘରେ ଜଣେ ଖନନାୟକ ଭାବେ ପରିଚିତ ଥିବା ହର ପଟ୍ଟନାୟକ ବି ୨୦୧୫ ମସିହାରେ ଓଡିଆ ସିନେ ଜଗତକୁ ଗୁଡ୍ ବାଏ କହି ବିଦାୟ ନେଇଥିଲେ । ନିଜ ଦମଦାର୍ ପଞ୍ଚ ଲାଇନ୍… ଏ ପ୍ଲସ ବି’ର ହୋଲ ସ୍କ୍ୱାୟାର ଦର୍ଶକଙ୍କୁ ଛୁଇଁଥିଲା । ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର ଥିଲେ । ୪୩ରୁ ଅଧିକ ସିନେମାରେ ସେ ନିଜେ ଅଭିନୟ କରିଥିବା ବେଳେ ପାଖାପାଖି ୨୦ଟି ସିନେମାରେ ନିର୍ଦ୍ଦେଶକ ଥିଲେ ।

ସେପାରିରେ ସହରୀ ବାଘ

ବିଜୟ ମହାନ୍ତି- କେବେ ସେ ଜଗନ ଭାଇ ତ କେବେ ସହରୀ ବାଘ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଥିଲେ ଜଣେ ମହାନ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର । ନିଜ ନିଖୁଣ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ । ଜଗା ହାତରେ ପଘା ହେଉ କି ରୂପା ଶଗଡିରେ ସୁନା କନିଆଁ ଗୀତ । ଆଜି ବି କେଉଁଠି ବାଜିଲେ ଭାରି ମନେ ପଡନ୍ତି ବିଜୟ ମହାନ୍ତି । ସେ ବି ୨୦୨୦ରେ ସମସ୍ତଙ୍କୁ ପରକରି ବିଦାୟ ନେଇଛନ୍ତି ।

କାକାଙ୍କୁ ହରାଇ କାନ୍ଦୁଛି ଓଡିଶା

ମିହିର ଦାସ ! ୧୯ ୮୦ ମସିହାରୁ ୨୦୨୨ ଯାଏଁ ସମସ୍ତଙ୍କ ମନ ଓ କାନରେ ପରିଚିତ ନାଁ । ନାୟକ, ଚରିତ୍ର, ହାସ୍ୟ ଅଭିନେତା ଓ ପରେ ଜଣେ ସାଇଲେଣ୍ଟ ଭିଲେନ ଭାବେ ବେଶ ଖ୍ୟାତି ଗୋଟାଇଥିବା ମିହିର ଦାସ ୨୦୨୨ ଆରମ୍ଭରେ ହିଁ ଦୁନିଆକୁ ଅଲବିଦା କହିଥିଲେ । ଶତାଧିକ ସିନେମାନେ ଅଭିନୟ କରିଥିବା ମିହିର ଆଜି ବି କୋଟି କୋଟି ଦର୍ଶକଙ୍କ ମନରେ ଜୀବିତ ଅଛନ୍ତି ।

ରୁଷିଗଲେ ରାଇଭାଇ, ମନେପଡନ୍ତି ମୀନକେତନ

ଦୁର୍ଦ୍ଦାନ୍ତ ଖଳନାୟକ ଭିତରେ ରାଇମୋହନ ଥିଲେ ଅନ୍ୟତମ । ତାଙ୍କ ଡାଇଲଗ ନାୟକକୁ ଡରାଏ, ନାୟିକାକୁ ଥରାଏ । ପଦିଏ ସଂଳାପରେ ପତର ପରି ଥରନ୍ତି ଦର୍ଶକ । ଖାଲି ସିନେମା ନୁହେଁ ଯାତ୍ରାରେ ଜଲୱା ଦେଖାଇଛନ୍ତି ରାଇ । ଏଇ ଅନାନି… ମୁଁ ନାଗିନା ମୋର ସବୁଠି ଚିହ୍ନା ପାଇଁ ବେଶ ଲୋକପ୍ରିୟ ହୋଇଥିବା ରାଇମୋହନ ପରିଡା ଜୀବନ ଉପରେ ରୁଷି, ଅଫେରା ରାଇଜକୁ ଚାଲିଗଲେ । ନିଜ ଘରେ ଆତ୍ମହତ୍ୟା କରି ନିଜ ଅଭିନୟ ଯାତ୍ରାରେ ଯବନିକା ଟାଣିଛନ୍ତି ନିଜେ ରାଇଭାଇ । ମୀନକେତନ ବି ଉଭୟ ପରଦା ଓ ପେଣ୍ଡାଲରେ ନିଜ ଯାଦୁଗରୀ ଅଭିନୟ ଜରିଆରେ ମନକିଣି, ମୃତ୍ୟୁର ଇଲାକାକୁ ଅତିଥି ହୋଇ ଚାଲିଯାଇଛନ୍ତି ।

ଖାଲି ଏମାନେ ନୁହଁନ୍ତି ସୁଜାତା ଆନନ୍ଦ, ଦେବୁ ବୋଷ, ଅଜିତ ଦାସ, ଅନିତା ଦାସ, ମାମୁନି, ରୁନୁ ପରିଡା, ସଲିଲ ମିତ୍ର, ରବି ମିଶ୍ର ଏବଂ ଗ୍ଲୋରୀଆ ମହାନ୍ତିଙ୍କ ଭଳି ୯୦ ଦଶକର ଭେଟେରାନ୍ କଳାକାର ଆଖିବୁଜିଛନ୍ତି । ହଁ ଏବେ ବି ଅଭିନୟ ହେଉଛି ସତ । ନୂଆ ନୂଆ ଅଭିନେତା, ନାୟକ ଓ ଖଳନାୟକ ବି ଅଛନ୍ତି । ନବାଗତ ମାନେ ଯଦିଓ କଳାରେ ନିଜ ନିପୁଣତା ଦେଖାଉଛନ୍ତି କିନ୍ତୁ ରୁପେଲୀ ପରଦାର ସେଇ ପୁରୁଣା କଳାକାରଙ୍କୁ ଏବେ ବି ଏଆଖି ଖୋଜୁଛି । ଦର୍ଶକ କେଉଁଠି ନା କେଉଁଠି ୯୦ ଦଶକର ସେ ନାୟକଙ୍କୁ ଝୁରୁଛନ୍ତି, ଆଉ କଳାଧଳା ଦୁନିଆର ଖଳନାୟକଙ୍କୁ ଖୋଜୁଛନ୍ତି …