ନବେ ବର୍ଷର ନାଥ ମଉସା । ବୟସର ଅପରାହ୍ଣରେ ବି ବୃତ୍ତିକୁ ଜାବୁଡି ଧରିଛନ୍ତି । ଖେଳନାଠୁ ସ୍ନୋ ପାଉଡର, କାନ୍ଧରେ କାନେ୍ଧଇ ଗାଁ ଗାଁ ବୁଲୁଛନ୍ତି… ପଢ଼ନ୍ତୁ ୬୦ ବର୍ଷ ଧରି ଫେରି କରୁଥିବା ଜଣେ ବୁଲାବିକାଳୀଙ୍କ କାହାଣୀ…

255

କନକ ବ୍ୟୁରୋ: ମୁଣ୍ଡରେ ଗାମୁଛା, ଦେହରେ ଧୋତି ପାଇଜାମା ଆଉ ହାତରେ ବାଉଁଶ ବାଡିରେ ଗୋଟେ ଛୋଟ ଦୋକାନ ମୁଣ୍ଡେଇ ଗାଁ ଗାଁ, ସାହି ସାହି, ସହରର ଗଳିକନ୍ଦି ବୁଲି ବୁଲି ବେପାର କରନ୍ତି ଏ ବୃଦ୍ଧ ଜଣଙ୍କ । ନାଁ ନାଥ ସାହୁ । ବୟସ ପାଖାପାଖି ୯୦ ହେବ । କିନ୍ତୁ ବୟସର ଅପରାହ୍ଣରେ ବି ହାରି ଯାଇନାହାନ୍ତି ସିଏ । ଚମ ଧୁଡୁଧୁଡୁ ହାତ ଥରୁଥିଲେ ବି ଛାତିରେ ଛାତିଏ ଦମ୍ଭ ଧରି ଏ ବୟସରେ ବି ବୁଲି ବୁଲି ଫେରି କରୁଛନ୍ତି ନାଥ ସାହୁ । ସେଇଥିପାଇଁ ତ ତାଙ୍କୁ ଲୋକେ ଆଦରରେ ନାଥ ମଉସା ବୋଲି ଡାକନ୍ତି…

ନାଥ ମଉସାଙ୍କୁ କେବଳ ଢେଙ୍କାନାଳ ମାଣ୍ଡପା ସାହିର ଲୋକେ ଜାଣନ୍ତିନି ବରଂ ଆଖପାଖ ଗାଁ ଓ ଖଣ୍ଡମଣ୍ଡଳରେ ତାଙ୍କୁ ସମସ୍ତେ ଚିହ୍ନନ୍ତି । କିଏ କାହାକୁ ଜାଣୁ ବା ନଜାଣୁ ନାଥ ମଉସାକୁ ଆଗ ଜାଣିଥିବେ । ପିଲାଠୁ ବୁଢା ସମସ୍ତଙ୍କ ପାଇଁ ସେ ଚିହ୍ନା ମୁହଁ କାରଣ ସକାଳ ହେଲା କ୍ଷଣି ରାସ୍ତାରେ ଫେରି ଝୁଲା ଧରି ବାହାରି ଯାଆନ୍ତି ନାଥ ମଉସା । କୁହାଯାଏ ନାଥ ମଉସାଙ୍କ ଫେରି ଝୁଲାରେ ବାପାମାଆଙ୍କୁ ଛାଡିଦେଲେ ଆଉ ସବୁ ମିଳିବ । ପିଲାଙ୍କ ଖେଳନା, ଝିଅଙ୍କ ଟିକିଲି, ସଜ ପାଇଁ ସ୍ନୋପାଉଡର ଆଉ ଯାବତୀୟ ଘରକରଣା ଜିନିଷ । ସବୁ ସାମଗ୍ରୀ କାନ୍ଧରେ କାନେ୍ଧଇ ଫେରି କରନ୍ତି ନାଥ ମଉସା ।

ଆଜି କି କାଲି ନୁହେଁ ଦୀର୍ଘ ୬୦ ବର୍ଷ ଧରି ବୁଲା ବିକାଳି ସାଜି ଘର ଚଳାଇ ଆସୁଛନ୍ତି ସେ । ଖୋର୍ଦ୍ଧା ବାଳକାଟିରୁ ଢେଙ୍କାନାଳ ମାଣ୍ଡପା ସାହି ଆସି ସେବେଠୁ ଫେରି କରି ଦୁଖ କଷ୍ଟରେ ପରିବାର ପୋଷି ଆସୁଥିଲେ ନାଥ ମଉସା । ୟାରି ଭିତରେ ତାଙ୍କ ପୁଅମାନେ ବାହାରେ ଚାକିରି ବାକିରି କରି ଘର ଖଣ୍ଡେ କରିଛନ୍ତି । ସେପଟେ ଯୁଗ ସହ ତାଳ ଦେଇ ବଦଳିଛି ଲୋକଙ୍କ ରୁଚି । ବଡ ବଡ ମଲ, ଦାମିକା ଦୋକାନରୁ ଲୋକେ ସାମଗ୍ରୀ କିଣୁଥିବା ବେଳେ ମଉସାଙ୍କ ଠାରୁ କାଁ ଭାଁ କିଣୁଥିବାର ଦେଖିବାକୁ ମିଳୁଛି । ବେପାର କମିଥିଲେ ବି ନିଜ ବେଉସାକୁ ଛାଡି ନାହାନ୍ତି ନାଥ ମଉସା । ବେପାର ହେଉ କି ନହେଉ ନିଜ ବୃତ୍ତିକୁ ଜାବୁଡି ଧରି ଏବେବି ବୟସ୍କ କାନ୍ଧରେ ଫେରି ଝୁଲା ପରି ପୁଅମାନଙ୍କୁ ବୋଝକୁ ହାଲକା କରିବାକୁ ପଣ କରିଛନ୍ତି ନାଥ ।

ତେବେ କିଛିଦିନ ତଳେ ନାଥ ମଉସାଙ୍କୁ ପୁଅମାନେ ପଚାରୁ ନଥିବା ନେଇ ଏକ ଟିଭି ଚ୍ୟାନେଲ ଖବର ପ୍ରକାଶ କରିଥିଲା । ବୟସ ହୋଇଯାଇଥିବାରୁ ସ୍ମୃତିଶକ୍ତି ହରାଇବାକୁ ବସିଲେଣି ନାଥ ମଉସା । ତେଣୁ କାହାକୁ କେତେବେଳେ କଣ କହୁଛନ୍ତି କିିଛି ଜାଣି ପାରୁନାହାନ୍ତି । ଆଉ ମଉସାଙ୍କ ବୟାନକୁ ନେଇ ଖବର ବାଜିବା ପରେ ଲଜ୍ୟାରେ ମୁହଁ ଲୁଚାଇଥିଲା ତାଙ୍କ ପରିବାର । ତେବେ ବୟସର ପଶ୍ଚିମତୀରରେ ନିଜ ବୃତ୍ତିକୁ ଜାବୁଡି ଧରି ପୁଅମାନଙ୍କୁ ସାହାଯ୍ୟ କରୁଥିବା ଏ ବୁଢା ବାପା ଜଣଙ୍କ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ସବୁ ପିତୃ ଦିବସ ପାଇଁ ପ୍ରେରଣା ପାଲଟିଛନ୍ତି ।