ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା ପରେ କାନ୍ଦିଥିଲା ଦେଶ । ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ ।

217

କନକ ବ୍ୟୁରୋ: ବିତିଛି ଦିନ, ରହିଛି ଚିହ୍ନ । ଦୁଇ ବର୍ଷ ତଳେ ଦେଶ ଦେଖିଥିଲା ପାକିସ୍ତାନର ପୁଲୱାମା ପାପ । ସୈତାନ ପାକିସ୍ତାନର ଷଡଯନ୍ତ୍ର ସାମ୍ନାରେ ଦୋହଲିଯାଇଥିଲା ଦେଶ । ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଥିଲେ ବୀର ଯବାନ । ଭାରତ ମାତା କୋଳରୁ ତା ସାହସୀ ପୁଅଙ୍କୁ ଛଡାଇ ନେଇଥିଲା ପାପୀ ପାକିସ୍ତାନ । ଆଉ ଆଜି ସେହି କଳାଦିନକୁ ପୂରିଛି ଦୁଇ ବର୍ଷ । କ୍ୟାଲେଣ୍ଡରେ ଦିନ ଗଡିଯାଇଛି ସତ ହେଲେ ଏବେ ବି ସେ ଦରଜ ଯାଇନି । ୪୦ ପୁଅଙ୍କୁ ହରାଇ ଆଜି ବି କାନ୍ଦୁଛି ଦେଶ…

୧୪ ଫେବୃୟାରୀ ୨୦୧୯ । ଯେତେବେଳେ ଦେଶ ଭାଲେଣ୍ଟାଇନ ଡେ ପାଳୁଥିଲା ସେତେବେଳେ ସୀମାରୁ ଆସିଲା ଭୟାନକ ଖବର । ପ୍ରେମର ପର୍ବ ଭିତରେ ଭାରତକୁ ଥରାଇ ଦେଇଥିଲା ପୁଲୱାମା ଆକ୍ରମଣ । ସେଦିନ ରାଜପଥ ଉପରେ ଲମ୍ବା ଲାଇନ ହୋଇ ଆଗକୁ ବଢୁଥିଲା ସିଆରପିଏଫ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢେଇ ହଜାର ଯବାନ । ସବୁକିଛି ଠିକଠାକ ଥିଲା , ହେଲେ ହଠାତ ଖୁବ ଜୋରରେ ଶୁଭିଥିଲା ବିସ୍ଫୋରଣର ଶବ୍ଦ । ଛାତିଥରା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଆଖି ଖୋଲିଲା ବେଳକୁ ସବୁ ଛାରଖାର ହୋଇଥିଲା । ସବୁଠି ଖିନଭିନ, ଧ୍ୱସ୍ତବିଧ୍ୱସ୍ତର ଦୃଶ୍ୟ ।

ତେବେ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ସହ ଆଇଇଡି ଭର୍ତ୍ତି ଏକ କାର ଧକ୍କା କରିଥିଲା ଜୈସ-ଏ- ମହମ୍ମଦର ଆତଙ୍କବାଦୀ । ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ଅନେକ ଯବାନ । ଅନେକ ଆହତ ମଧ୍ୟ ହେଲେ । ବିସ୍ଫୋରଣରେ ଆଖପାଖ ୧୨ କିଲୋମିଟର ଯାଏଁ ପୂରା ଅଞ୍ଚଳ ଦୋହଲି ଯାଇଥିଲା । ତେବେ ଏତିକିରେ ସରିନଥିଲା ସୈତାନୀ ନରରାକ୍ଷସଙ୍କ ନିର୍ମମକାଣ୍ଡ । ବିସ୍ଫୋରଣ ପରେ ପୁଣି ଅନ୍ଧାଧୁନ ଗୁଳି କରିଥିଲେ ଆତଙ୍କୀ । ଯବାନ ମାନେ ପାଲଟା ଗୁଳିମାଡ କରିଥିଲେ ବି ସେତେବେଳକୁ ସବୁ ସରିଯାଇଥିଲା । ରାସ୍ତା ସାରା ବୋହୁଥିଲା ରକ୍ତର ଧାର, ଏଣେତେଣେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର । ଆଉ ଆତଙ୍କୀଙ୍କ ଏହି ପ୍ରାଣଘାତି ଆକ୍ରମଣ ଦେଶର ଛାତିରେ ଆତଙ୍କ ଖେଳାଇ ଦେଇଥିଲା ।

ପୁଲୱାମା ଆକ୍ରମଣ କାହାଠୁ ପୁଅ ଛଡାଇ ନେଇଥିଲା ତ କାହାଠୁ ବାପାକୁ ଆଉ କାହାଠୁ ସ୍ୱାମୀକୁ । ବୀର ଯବାନଙ୍କ ଭିତରେ ସହିଦ ହୋଇଥିଲେ ଦୁଇ ଓଡିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା । ତେବେ ଆକ୍ରମଣ ପରେ ଦେଶ ସାରା ଜଳିଥିଲା ପ୍ରତିଶୋଧର ନିଆଁ । ପାକିସ୍ତାନ ବର୍ବରତା ରଚିବାର ଠିକ ୧୨ ଦିନ ପରେ ଭାରତ କରିଥିଲା ଏୟାରଷ୍ଟ୍ରାଇକ । ଶତ୍ରୁ ମାଟିରେ ପଶି ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲେ ଭାରତୀୟ ଯବାନ । ଆଉ ଆଉ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲେ । ପାଖାପାଖି ୨୫୦ ଆତଙ୍କୀଙ୍କୁ ନିପାତ କରିଥିଲେ ଭାରତୀୟ ବୀର ଯବାନ । ଯଦିଓ ଭାରତ ମାଟିରେ ପଶି ପୁଲୱାମା କାଣ୍ଡ କଥା ବହୁଦିନ ପରେ ମାନିଥିଲା ସୈତାନ ପାକିସ୍ତାନ । ଆଉ ପାପୀ ପାକିସ୍ତାନକୁ ପାନେ ଦେଇ ପ୍ରତିଶୋଧ ନେଇଥିଲା । କିନ୍ତୁ ଭାତର ଛାତିରେ ଏହି ଦିନ ସବୁଦିନ ପାଇଁ କଳାଦିନ ହୋଇ ରହିଗଲା…