ଦିଲ୍ଲୀ ଦରବାରରେ ବଢିଲା ଆଉ ଜଣେ ଓଡ଼ିଆ କ୍ୟାଡର ଆଇଏଏସଙ୍କ ଦବଦବା । ଓଡ଼ିଆ ବୋହୂଙ୍କ ହାତରେ ପାୱରଫୁଲ ପଦବୀ, ଦେଶର ପ୍ରଥମ ମହିଳା ଭାବେ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟିର ଡିଜି ଦାୟିତ୍ୱ ନେଲେ ଉଷା ପାଢୀ ।

492

କନକ ବ୍ୟୁରୋ: ପୁଣି କେନ୍ଦ୍ର କ୍ଷମତା ସ୍ଥଳୀରେ ଆଉ ଜଣେ ଓଡ଼ିଆ କ୍ୟାଡର ଆଇଏଏସଙ୍କ ଦବଦବା । ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି । ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା । ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି । ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍ଏଫ୍’ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ୧୯୮୭ ମସିହାରୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ସଂସ୍ଥା ପ୍ରତିଷ୍ଠା ହେବା ପରେ ୧୯୮୭ ମସିହାରୁ ମେ, ୨୦୧୬ ଯାଏଁ ୧୪ ଜଣ କମିଶନର ଭାବେ କାର୍ୟ୍ୟ କରିଥିଲେ । ଏହା ପରେ ଏହାର ସର୍ବୋଚ୍ଚ ଅଧିକାରୀଙ୍କୁ ଡିଜି ପାହ୍ୟା ଦିଆଯାଇଥିବାବେଳେ ଉଷା ପାଢ଼ୀଙ୍କ ପୂର୍ବରୁ ଦୁଇ ଜଣ ଆଇପିଏସ ଏହି ପଦବୀରେ ଥିଲେ । ଯାହାକୁ ନେଇ ଉଷା ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି ଯେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ତାଲିକାରେ ‘ଶ୍ରୀମତୀ’ଙ୍କ ନାମ ସାମିଲ ହେଲା ।

ତେବେ ୧୯୯୬ ଓଡ଼ିଆ କ୍ୟାଡର ଆଇଏଏସ ଅଫିସର ଓଡିଶା ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ୟ୍ୟ କରିଥିଲେ ଓ ୨୦୧୫ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।