ଡ୍ୟାନ୍ସ ଦିୱାନେରେ କମାଲ କଲା ଓଡ଼ିଆ ପୁଅ ଆଦର୍ଶ । ନାଚ ଆଉ ଠାଣୀ ଦେଖି ଛିଡ଼ା ହୋଇ କରତାଳି ଦେଲେ ସୁନୀଲ ସେଟ୍ଟୀ ଓ ମାଧୁରୀ ଦୀକ୍ଷିତ ।

440

କନକ ବ୍ୟୁରୋ: ନାଚିବାର ସ୍ୱପ୍ନ ଏବେ ଆଦର୍ଶକୁ ଦେଇଚି ନୂଆ ପରିଚୟ । କୁନି କୁନି ପାଦରେ ନାଚିବା ସହ ଏକ୍ସପ୍ରେସନ ତାଙ୍କୁ ସଫଳତାର ଗୋଟେ ପରେ ଗୋଟେ ସିଡ଼ି ଶୀର୍ଷକୁ ନେଇ ଚାଲିଛି । କଲର୍ସରେ ପ୍ରସାରିତ ରିଆଲିଟି ସୋ’ ଡ୍ୟାନ୍ସ ଦିୱାନେରେ ଟପ୍ ୧୮ରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣି ଆସିଛନ୍ତି ବ୍ରହ୍ମପୁରର ଆଦର୍ଶ ପାତ୍ର ।

ବ୍ରହ୍ମପୁରର ୯ ବର୍ଷର କୁନି କଳାକାର ଆଦର୍ଶ ପାତ୍ର । ପିଲାଟି ବେଳରୁ ନାଚ ପ୍ରତି ବେଶ୍ ଆଗ୍ରହୀ ଥିଲେ । ତେଣୁ ଆଦର୍ଶଙ୍କ ବାପା ମା ଉଭୟେ ଆଦର୍ଶଙ୍କ ସ୍ୱପ୍ନକୁ ଆକାଶ ଛୁଆଁ କରାଇଲେ । ଆଉ ସେହି ନାଚ ଆଦର୍ଶ ଓ ତାଙ୍କ ବାପା ମା’ଙ୍କୁ ଦେଇଛି ନୂଆ ପରିଚୟ । ଆଦର୍ଶ ଏବେ ଜାତୀୟ ସ୍ତରରେ ହୋଇଥିବା ଡ୍ୟାନ୍ସ ଦିୱାନେରେ ଅଂଶ ଗ୍ରହଣ କରିଥିଲେ, ତାଙ୍କ ନାଚ ଆଉ ଏକ୍ସପ୍ରେସନ ଦେଖି ବଲିଉଡର ଡ୍ୟାନ୍ସ କ୍ୱିନ୍ ମାଧୁରୀ ଦିକ୍ଷୀତ୍ ଏବଂ ବଲିଉଡ ଷ୍ଟାର ସୁନୀଲ ସେଟ୍ଟୀ ପ୍ରଶଂସା କରିଥିଲେ । ଏବେ ଆଦର୍ଶ ଡ୍ୟାନ୍ସ ଦିୱାନେର ଟପ୍ ୧୮ରେ ସ୍ଥାନ ପକ୍କା କରିଛନ୍ତି । ଯାହାକୁ ନେଇ ଏବେ ଆଦର୍ଶଙ୍କ ପରିବାରକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ବଡ଼ ପ୍ଲାଟଫର୍ମରେ ଡ୍ୟାନ୍ସ କରିବା ପାଇଁ ଇଛା ରଖି ଆଦର୍ଶ ପୂର୍ବରୁ ବହୁ ରିଆଲିଟି ସୋରେ ଭାଗ ନେଇସାରିଛନ୍ତି । ସେ ଓଡ଼ିଆ ରିଆଲିଟି ସୋ’ ନାଚ୍ ଓଡ଼ିଶା, ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂ ସିଜନ୍-୨ରେ ମଧ୍ୟ ଭାଗ ନେଇ ନିଜର ପ୍ରତିଭାରେ ମନ ମୋହିଛନ୍ତି । ନାଚର ଝଲକରେ ଦର୍ଶକ ଓ ବଡ଼ ବଡ଼ ଷ୍ଟାରଙ୍କୁ ପ୍ରଭାବିତ କରିପାରିଛନ୍ତି ଆଦର୍ଶ । ଆଉ ଏହି ସବୁ ସଫଳତା ପାଇଁ ଆଦର୍ଶ ନିଜ ବାପା, ମା ଓ ଗୁରୁ ଙ୍କୁ ଶ୍ରେୟ ଦେଇ ଥିବା ବେଳେ ଆଗକୁ ସେ ଆହୁରି ଭଲ ଡ୍ୟାନ୍ସ କରି ଓଡିଶା ତଥା ବ୍ରହ୍ମପୁୁର ନାମ କଖିବେ ବୋଲି କହିଛନ୍ତି ।

ଏତେ କମ୍ ବୟସରେ ଆଦର୍ଶ ବଡ଼ ବଡ଼ ବଲିଉଡ୍ ଷ୍ଟାରଙ୍କୁ ନିଜ ପ୍ରତିଭାରେ ପ୍ରଭାବିତ କରିପାରିଛନ୍ତି । ତାଙ୍କୁ ସୁନୀଲ ସେଟ୍ଟୀ ଏବଂ ମାଧୁରୀ ଦୀକ୍ଷିତ ଏକ୍ସପ୍ରେସନ କିଙ୍ଗ୍ ଭାବେ ସମ୍ବର୍ଦ୍ଧିତ କରିଥିବାରୁ ଆଦର୍ଶ ଏବଂ ଆଦର୍ଶଙ୍କ ପରିବାର ବେଶ୍ ଖୁସି ।