କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ସହ ସାରା ବିଶ୍ୱ ମୁକାବିଲା କରୁଥିବା ବେଳେ ଭୂତାଣୁର ଭ୍ୟାକସିନକୁ ସମସ୍ତେ ଚାହିଁ ରହିଛନ୍ତି । ଆଉ ଏହି ବଡ ଲଢେଇ ଭିତରେ ପ୍ରତିଦିନ ଟେଷ୍ଟିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ତେବେ ଟେଷ୍ଟିଂକୁ ନେଇ ଆଜି ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବୁ । ଏଣିକି ଆପଣଙ୍କ ମୋବାଇଲ୍ ଫୋନ୍ କହିବ ଆପଣ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ।

Advertisment

ଜାମିଆ ମିଲିଆ ଇସଲାମିଆର ବିଶେଷଜ୍ଞମାନେ କରୋନା ଭାଇରସର ଯାଂଚ ପାଇଁ ଏକ ନୂଆ ପରୀକ୍ଷା କିଟ୍ ବିକଶିତ କରିଛନ୍ତି । ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଏହା ହେଉଛି ବିଶ୍ୱର ପ୍ରଥମ ଲାଳ ଭିତିକ ପରୀକ୍ଷା କିଟ୍ । ଏହି କିଟ୍ ସାହାଯ୍ୟରେ ଯେକୌଣସି ବ୍ୟକ୍ତି ଘରେ ବସି ମଧ୍ୟ ଜାଣିପାରିବେ, ଯେ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ । ଏଥିପାଇଁ ଆପଣଙ୍କ ପାଖରେ ଏହି କିଟ୍ ଏବଂ ସ୍ମାର୍ଟଫୋନ୍ ଥିବା ଆବଶ୍ୟକ । ବିଶେଷଜ୍ଞମାନେ ଏହାର ନାମ ମୋବାଇଲ୍ ଇଂଟିଗ୍ରେଟେଡ୍ ସେନ୍ସିଟିଭ୍ ଏଷ୍ଟିମେସନ୍ ଏବଂ ହାଇ ସ୍ପେସିଫିସିଟି ଆପ୍ଲିକେସନ୍ ଟେଷ୍ଟି ରଖିଛନ୍ତି ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେ କେମିତି ଏହି କିଟ୍ ମାଧ୍ୟମରେ କରୋନା ଯାଂଚ ସମ୍ଭବ ହେବ । ତେବେ ଏହି କରୋନା ଟେଷ୍ଟିଂ ବହୁତ ସହଜ । କିଟରେ ଲାଳ ମିଶିବା ମାତ୍ରେ ନୀଳ ଏବଂ ନାଲି ରଙ୍ଗର ରେଖା ଦେଖାଯିବ । ଯାହାକୁ ଆପଣଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ ଫଟୋ ଉଠାଇ କିମ୍ବା ସିଧାସଳଖ ସ୍କାନ କରିବାକୁ ପଡିବ । ଆଉ ସ୍କାନ ହେବାର ଗୋଟିଏ ଘଂଟା ପରେ ଆପଣଙ୍କ ରିପୋର୍ଟ କରିବ ମୋବାଇଲ୍ ଆପ୍ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କିଟର ପ୍ରୋଟୋଟାଇପ୍ ପ୍ରସ୍ତୁତ ରହିଛି । ତେବେ ବର୍ତ୍ତମାନ ସମୟରେ ଆରଟିପିସିଆର୍ ଏବଂ ଆଂଟିଜେନ୍ ଟେଷ୍ଟ କିଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଉଥିବା ବେଳେ, ବିଶ୍ୱରେ ପ୍ରଥମ ଥର ପାଇଁ ଲାଳ ମାଧ୍ୟମରେ କରୋନା ପରୀକ୍ଷା କରିବା ସମ୍ଭବ ହେବ ।