ଶାରୀରିକ ଅକ୍ଷମତା ସତ୍ୱେ ଶିକ୍ଷାଦାନରେ ବ୍ରତୀ ନିରଞ୍ଜନ ସାର । ଟ୍ରାଇ ସାଇକେଲରେ ପିଲାଙ୍କୁ ପଢାଉଛନ୍ତି ପାଠ ।

131

କନକ ବ୍ୟୁରୋ: ଶିକ୍ଷକତା ମଣିଷ ଗଢିବାର ମୁଖ୍ୟ ମାଧ୍ୟମ । ଗୁରୁ ହେଉଛନ୍ତି ଆମ ଜୀବନର ପଥ ପ୍ରଦର୍ଶକ, ଚଳନ୍ତି ଦେବତା । ସେମାନେ ଭଲ ମଣିଷ ହେବାର ରାସ୍ତା ଦେଖାନ୍ତି, ଉନ୍ନତି କରିବାକୁ ସଫଳତାର ଅ ଆ ଶିଖାନ୍ତି । ଶିକ୍ଷକ ସୁସ୍ଥ ହୁଅନ୍ତୁ କି ଶାରୀରିକ ଭାବେ ଅକ୍ଷମ । ନିଜ ଶିଷ୍ୟଙ୍କୁ ଗଢିବାକୁ ଜି ସବୁତକ ଶକ୍ତି ଲଗାଇ ଦିଅନ୍ତି ଶିକ୍ଷକ । ଗୁରୁ ବିଶ୍ୱାସର ନାଁ, ଭରସାର ଡାକ । ଗୁରୁ କେବେ ପିଲାଙ୍କର ଖରାପ ଚିନ୍ତା କରି ପାରନ୍ତି ନାହିଁ । ଏଇ ଯେମିତି ପୁରୀ ଅସ୍ତରଙ୍ଗର ନିରଞ୍ଜନ ସାର । ନିଜେ ଦିବ୍ୟାଙ୍ଗ ହୋଇ ବି ପିଲାଙ୍କୁ ପଢାଇବାର ନିଶା, ସେମାନଙ୍କୁ ଗଢିବାର ଲକ୍ଷ୍ୟ ଦୀର୍ଘ ୨୫ ବର୍ଷ ହେଲା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଦେଇଆସିଛି ଭିନ୍ନ ଏକ ପରିଚୟ ।

ରାସ୍ତା ଉପରେ ଟ୍ରାଇ ସାଇକେଲ, ଟ୍ରାଇ ସାଇକେଲ ଉପରେ ନିର ସାର । ଆଉ ପଛରୁ ଠେଲି ଠେଲି ସାରଙ୍କୁ ନେଇ ଯାଉଛନ୍ତି ପିଲା । ପୁରୀ ଅସ୍ତରଙ୍ଗ ମୁଦୁଗଲ ଗାଁ ନିରଞ୍ଜନ ଦୀକ୍ଷିତ ଦିବ୍ୟାଙ୍ଗ ସତ ହେଲେ ପିଲାଙ୍କୁ ଜ୍ଞାନ ଦାନ କରିବାରେ ନିଜକୁ ସମର୍ପି ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନିର ସାର ନାମରେ ଖୁବ ପରିଚିତ ଏ ନିଆରା ଶିକ୍ଷକ ପ୍ରତିଦିନ ନିଜ ଘରଠାରୁ ୧ କିଲୋମିଟର ବାଟ ଟ୍ରାଇ ସାଇକେଲରେ ଅତିକ୍ରମ କରି ଏହି ବାତ୍ୟା ଆଶ୍ରୟ ସ୍ଥଳୀକୁ ଆସନ୍ତି । ଆଉ ତାଙ୍କୁ ଏଠାରେ ପହଞ୍ଚିବାକୁ ସାହାଯ୍ୟ କରନ୍ତି ତାଙ୍କ ଶିଷ୍ୟ ଓ ଶିଷ୍ୟାମାନେ ।

ସାର ପହଞ୍ଚନ୍ତି, ପିଲା ମୁଣ୍ଡିଆ ମାରନ୍ତି । ଆଉ ତା ପରେ ଆରମ୍ଭ ହୁଏ ପାଠ ପଢା । ଗଣିତ, ଇଂରାଜୀ, ବିଜ୍ଞାନ ପିଲାଙ୍କୁ ବିଭିନ୍ନ ବିଷୟ ପଢାନ୍ତି ନିର ସାର । ନିଜର ହଜାରେ ଅଭାବ ସତ୍ୱେ ବି ପିଲାଙ୍କ ଖାତାରେ ସଫଳତାର ସୂତ୍ର ଲେଖନ୍ତି, ହାରିବା ନୁହେଁ ଜିତିବାର ଜ୍ୟାମିତି ଆଙ୍କନ୍ତି । ଏଇ ଟ୍ରାଇ ସାଇକେଲରେ ବସି ପିଲାଙ୍କୁ ଜ୍ଞାନ ଦିଅନ୍ତି ଜଣେ ଦିବ୍ୟାଙ୍ଗ ସାର ।

ନିର ସାରଙ୍କ ଜୀବନ ବେଶ ସଙ୍ଘର୍ଷମୟ । ପିଲାବେଳୁ ସେ ଦିବ୍ୟାଙ୍ଗ ନୁହଁନ୍ତି ବରଂ ଏକ ଦୁର୍ଘଟଣା ତାଙ୍କୁ ଅଚଳ କରିଦେଲା । ଯୁବ ବୟସରେ ନିଜ ଘର, ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ବେଶ ସୁଖରେ ଚଳୁଥିଲେ । ଏକ ବେସରକାରୀ ସ୍କୁଲ ସ୍ଥାପନ କରି ସେଠାରେ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିଲେ । ହେଲେ ହଠାତ ବଦଳିଗଲା ଜୀବନର ମୋଡ, ୧୯୯୭ ମସିହା ଅକ୍ଟୋବର ୨ ତାରିଖରେ ଭୁବନେଶ୍ୱରରୁ ଏକ ସ୍କୁଟରରେ ଫେରୁଥିବା ବେଳେ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟିଲା । ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ସେ ସବୁଦିନ ପାଇଁ ଅକ୍ଷମ ହୋଇଗଲେ । ଗୋଟେ ପଟେ ନିଜର ଏମିତି ଅବସ୍ଥା, ଅନ୍ୟପଟେ ଆର୍ଥିକ ସମସ୍ୟା ନିର ସାରଙ୍କୁ ନୂଆ ଆଶା ଦେଲା । ସେ ସଙ୍ଘର୍ଷ କରି ପୁଣି ଏକ ନୂଆ ଆରମ୍ଭ କରିବାକୁ ଚେଷ୍ଟା କଲେ । ଏହି ଟ୍ରାଇ ସାଇକେଲରେ ପିଲାଙ୍କୁ ପଢାଇ ମଣିଷ କରିବାକୁ ଅଣ୍ଟା ସଳଖିଲେ । ଯିଏ ଯାହା ଦେଲା ସେଥିରେ ନିଜ ପରିବାର ଚଳାନ୍ତି ନିର ସାର ।

ତେବେ ଦୀର୍ଘ ୨୫ ବର୍ଷ ହେବ ନିରବିଚ୍ଛିନ ଭାବେ ଶିକ୍ଷାଦାନ କରିଆସୁଥିବା ନିରଞ୍ଜନଙ୍କୁ ଏଯାଏଁ ଭଳ ଟ୍ରାଇ ସାଇକେଲଟେ ବି ମିଳି ପାରିନି । ସତରେ ଏମିତି ଅବସ୍ଥାରେ ପିଲାଙ୍କୁ ମଣିଷ କରୁଥିବା ଗୁରୁଙ୍କୁ ଶତଶତ ପ୍ରଣାମ ।