ନବଙ୍କୁ ଝୁରୁଛି ଝାରସୁଗୁଡା: ନବ ଥିଲେ ଲୋକଙ୍କ ନେତା, ଲୁହର ବିଦାୟ ଦେଲେ ଜନତା…

841

କନକ ବ୍ୟୁରୋ: ଲୋକପ୍ରିୟ ନେତାଙ୍କ ପାଇଁ ଲୋକାରଣ୍ୟ ରାସ୍ତାଘାଟ । ଜନନେତାଙ୍କ ପାଇଁ ଜନସମୁଦ୍ର ନଦୀକୂଳ । ଆଖି ଯୁଆଡେ ଯୁଆଡେ ଯାଉଛି ସେଠି ମାଳମାଳ ମଣିଷ । ହୃଦୟର ନେତାଙ୍କୁ ଶେଷଥର ପାଇଁ ଟିକେ ଦେଖିବାକୁ ହଜାର ହଜାର ଜନତାଙ୍କ ଭିଡ । ଜଣେ ନେତା କେବଳ ରକ୍ତ ମାଂସ ଶରୀରରେ ଗଢା ମଣିଷ ନୁହଁନ୍ତି, ବରଂ ସେ ଜଣେ ଆତ୍ମୀୟତାର ଅନୁଷ୍ଠାନ, ସ୍ନେହ-ଶ୍ରଦ୍ଧା-ସେବାର ସଙ୍ଗଠନ । ଜଣେ ଚାହିଁଲେ ନେତା ହୋଇପାରିବେନି, ନେତା ତ ଜନ୍ମ ନିଅନ୍ତି- ଜାତିର ଉଦ୍ଧାର ପାଇଁ, ମାଟିର ସେବା ପାଇଁ । ଆଉ ନବ ଦାସ ! ସେମିତି ଥିଲେ ଜଣେ ନେତା । ଯିଏ ଲୋକଙ୍କ ପାଇଁ ଲଢୁଥିଲେ, ଲୋକଙ୍କ ପାଇଁ କାମ କରୁଥିଲେ । ଆଉ ଆଜି ସେହି ଲୋକ ହିଁ ତାଙ୍କ ପ୍ରିୟର ମଣିଷ, ଅତି ଆପଣାର ନେତାଙ୍କୁ ହରାଇ- ଛାତିରେ ଛାତିଏ କୋହକୁ ଚାପି, ଲୁହର ବିଦାୟ ଦେଇଛନ୍ତି ।

 

ନବ ଦାସଙ୍କୁ ପୂରା ଝାରସୁଗୁଡାବାସୀ କେତେ ଭଲ ପାଉଥିଲେ? ତାହା ଏହି ଭିଡ ହିଁ ବୟାନ କରୁଛି । ଜଳୁଛି ଜୁଇ, ଝରୁଛି ଲୁହ, ନେତାଙ୍କୁ ଝୁରୁଛନ୍ତି ଜନତା । ଖାଲି ଝାରସୁଗୁଡା କାହିଁକି ଆତତାୟୀ ଏଏସଆଇର ଗୁଳିରେ ନବ ଦାସ ଟଳି ପଡିବା ପରେ ସ୍ତବ୍ଧ ହୋଇଯାଇଛି ଓଡିଶା । ତୁନି ପଡି ଯାଇଛି ପାଟି । ନବଙ୍କୁ ହରାଇ ନେତାଙ୍କ ଆଖିରେ ଲୁହ, ଜନତାଙ୍କ ଆଖିରେ ଲୁହ । ଛଳଛଳ ବି ମୁଖ୍ୟମନ୍ତ୍ରୀଙ୍କ ଆଖି, ମନ୍ତ୍ରୀଙ୍କ ଠାରୁ ବିଧାୟକ ସମସ୍ତେ ଅବାକ ।

କିଏ ସ୍ୱାମୀକୁ ହରାଇ ହତବାକ ହୋଇଛି, କିଏ ବାପାଙ୍କୁ ହରାଇ ବାକଶୂନ୍ୟ ହୋଇଛି । କିଏ ପୁଣି ବନ୍ଧୁକୁ ହରାଇ ସ୍ମୃତିଚାରଣ କରୁଛି । ମାଟିର ପୁଅ ପଞ୍ଚଭୂତରେ ଲୀନ ହେବା ପରେ ମାଟି ଆଖିରୁ ଲୁହ ଶୁଖୁନି । କାଲି ଯେଉଁ ବାପା ଛାଇ ପରି ଥିଲେ ଆଜି ସେ ଛବି ପାଲଟିଗଲେ, ଦୁନିଆର ସବୁ ଶକ୍ତି ଠାରୁ ଯେଉଁ ହାତ ତାଙ୍କର ସୁରକ୍ଷା ଦେଉଥିଲା ଆଜି ସେ ହାତ ମୁଣ୍ଡ ଉପରୁ ହଟିଯାଇଛି, ଜୁଇ ନିଆଁରେ ଜଳିଯାଇଛି । ଆଉ ବାପାଙ୍କ ଜୁଇ ପାଖରେ ଛିଡା ହୋଇ ଭାଇଭଉଣୀ ହତ୍ୟାକାରୀକୁ ପ୍ରଶ୍ନ କରୁଛନ୍ତି…

ଆମ ବାପାଙ୍କ ଜୀବନ କାହିଁକି ନେଲ ?
ଆମ ହସ ଖୁସିର ପରିବାରକୁ କାହିଁକି କନ୍ଦାଇ ଦେଲ ?
ନେତା ହିସାବରେ ସେ କାହାର ପ୍ରିୟ, କାହାର ଅପ୍ରିୟ ହୋଇଥାଇ ପାରନ୍ତି । ହେଲେ ସେ ବି ଜଣେ ବାପା ଥିଲେ, ଜଣେ ସ୍ୱାମୀ ଥିଲେ… ଗୁଳି ମାରିବା ପୂର୍ବରୁ, ଆମକୁ ବାପ ଛେଉଣ୍ଡ କରିବା ଆଗରୁ ହତ୍ୟାକାରୀ ତୋ ହାତ ଥରିଲାନି କେମିତି…?

ଆଗକୁ ନବ ଦାସଙ୍କ ହତ୍ୟା ପଛର ଅନେକ ଗୁମର ଫିଟିପାରେ । ଦୋଷୀକୁ ଦଣ୍ଡ ମିଳିପାରେ, ଗୁଳିମାଡର ଖିଅ ବି ଖୋଲିପାରେ… ଆଇନ ଅଛି, ତା କାମ କରିବ । କିନ୍ତୁ ଏଭଳି ଜଘନ୍ୟକାଣ୍ଡ ଘଟାଉଥିବା ଜହ୍ଲାଦମାନେ, ଜୀବନ ନେବା ପୂର୍ବରୁ ଥରେ ଉଭୟଙ୍କ ପରିବାର କଥା ଭାବନ୍ତୁ । ଯେ ସେମାନଙ୍କ ସୈତାନୀ ରୂପ ପାଇଁ କାହାର ସଂସାର ଉଜୁଡି ନଯାଉ…