ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ

529

କନକ ବ୍ୟୁରୋ : ଏ କେଉଁ ଚକ୍ରତୀର୍ଥ ମୁହାଣ ନୁହେଁ କି ଏ ଦୃଶ୍ୟ ମଧ୍ୟ କେଉଁ ନୀଳମାଧବଙ୍କ କାହାଣୀଠୁ ବି କମ୍ ନୁହେଁ । ସତେ ଯେମିତି ସ୍ୱୟଂ ମହାପ୍ରଭୁ ନୀଳମାଧବରୁ ପ୍ରଭୁ ଜଗନ୍ନାଥ ରୂପ ନେଇ ଭକ୍ତଙ୍କ ପାଖକୁ ନଦୀ ଗର୍ଭରେ ଭାସି ଭାସି ଆସିଛନ୍ତି । ଆଉ ତାଙ୍କ ଅପେକ୍ଷାରେ ରାଜା ଇନ୍ଦ୍ରଦ୍ୟୁମ୍ନ ନାହାନ୍ତି ସତ କିନ୍ତୁ କାଳିଆକୁ କୋଳେଇ ନେବାକୁ ଅଛନ୍ତି ହଜାର ହଜାର ଭକ୍ତ ।

ଏ ଅଲୌକିକ ଦୃଶ୍ୟ ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟର । ହଠାତ୍ ଘାଟଠାରୁ କିଛି ଦୂରରେ ଜଣେ ମହିଳାଙ୍କ ଆଖି ନଦୀ ଉପରେ ପଡ଼ିଲା । କ’ଣ ଗୋଟେ ନଦୀରେ ଭାସିଆସୁଥିବା ପାଟି କରି କରି ଲୋକଙ୍କୁ କହିଥିଲେ । ଆଉ ଯେତେବେଳେ ତାହା ନଦୀ ଘାଟ ନିକଟତର ହେଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସଭିଏଁ । କାହିଁକି ନା ନଦୀଗର୍ଭରୁ ଭାସି ଭାସି ଆସୁଥିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥ । ଉପସ୍ଥିତ ଲୋକେ ବି ନିଜ ଆଖିକୁ ସହଜରେ ବିଶ୍ୱାସ କରିପାରୁନଥିଲେ । ତିନିଠାକୁରଙ୍କ ଅପୂର୍ବ ଲୀଳା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଉପସ୍ଥିତ ଥିବା ଭକ୍ତ ।

ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ଆଗପଛ ହୋଇ ନଦୀରେ ଭାସିଭାସି ଆସିଲେ । ସ୍ଥାନୀୟ ଅଞ୍ଚଳର ବଇନ ମଲିକ ନଦୀ ଭିତରକୁ ଯାଇ ଶ୍ରୀବଗ୍ରହଙ୍କୁ ପାଣିରୁ କାଢ଼ି ଆଣିଥିଲେ । କାଳିଆର ଚକା ଆଖିରେ କଳା କଳା ମାଟି ଛାଡ଼ିଲାନି ସତ କିନ୍ତୁ କାଳିଆକୁ କାଂସବାଂସ ନଦୀ ଘାଟରେ ପୂଜା କରିଥିଲେ ବଇନ ମଲିକ । ଏହାପରେ ବଇନ ମଲିକ ତିନିଠାକୁରଙ୍କୁ ନେଇ ନିଜ ଘରେ ପୂଜାର୍ଚ୍ଚନା କରିଛନ୍ତି । ଦୀପ, ଧୂପ ଓ ଝୁଣା ମହକରେ ବାସି ଉଠୁଛି ସାରା ପରିବେଶ । ନୀଳମାଧବରୁ ଜଗନ୍ନାଥ ବୋଲାଇବା ଅଲୌକିକ କାହାଣୀ ଭଳି ଏ ଘଟଣା ବି ଚାରିଆଡେ ଖେଳିଗଲା । ଆଉ ତା’ପରେ ସାରା ବାଲେଶ୍ୱରରେ ପ୍ରଭୁଙ୍କୁ ଦେଖିବାକୁ ସୁଅ ଛୁଟୁଛି । ହେଲେ ଗରିବ ଭକ୍ତ ବନ ମଲିକଙ୍କ ପାଖରେ ଅର୍ଥ ନାହିଁ ସତ କିନ୍ତୁ ଭକ୍ତିଭାବରେ ସେ ଧନୀ ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି, ପ୍ରଭୁଙ୍କୁ ପାଣିରେ ଭସାଇଲା କିଏ ? କେଉଁଠୁ ଭାସି ଭାସି ଆସିଛନ୍ତି ଭାବର ଠାକୁର ? ଅକାତ କାତ ପାଣି ଥିବା ସତ୍ୱେ ବିସର୍ଜିତ ହେବାକୁ ଚାହିଁଲେନି କି ଶ୍ରୀବିଗ୍ରହ ? ନା ବଇନ ମଲିକର ଘରେ ପୂଜା ପାଇବାକୁ ଖୋଦ୍ ଜଗନ୍ନାଥ ଏ ଲୀଳାଖେଳା କରିଛନ୍ତି ! ସେ ଯାହା ହେଉ, ଭାବର ଠାକୁର ପରା ସେ, ଯେଉଁଠି ଭକ୍ତି-ଭାବ ଦେଖେ ସେ ଚାହିଁକି ବି ଅଟକି ପାରେନି । ଧନୀ ହେଉ କି ଗରିବ ଚାକାଆଖି ପାଇଁ ତା’ସବୁ ଭକ୍ତର ଭକ୍ତି ସମାନ ।