ହାତରେ ବହି ନୁହେଁ ଚା’ ବ୍ୟାଗ୍ । କୁନି ହାତରେ ଚା’ ବିକିଲେ ପରିବାର ଚଳିବ, ପେଟ ପୂରିବ । ଶ୍ରୀକ୍ଷେତ୍ରରୁ ଆସିଲା ସଂଘର୍ଷର ଦୁଇଟି ଦୃଶ୍ୟ । ସରକାର ଦୁଇ କଅଁଳ ହାତକୁ କେବେ ବଢ଼ାଇବ ସହାୟତାର ହାତ?

93

କନକ ବ୍ୟୁରୋ: ହାତରେ ଥର୍ମପ୍ଲାସ, କପ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଓ ସାଇକେଲଟିଏ ଧରି ବଡ ଦାଣ୍ଡରେ ବୁଲି ବୁଲି ଚାଲେ ଚା ବେପାର । ସେ ଖରା ହେଉ କି ବର୍ଷା । ପେଟ ପାଇଁ ସାଇକେଲ ଉପରେ ପାଦ ମାରେ ପେଡାଲ । ଆଉ ସହର ସାରା ଘୁରି ଘୁରି ଚା ବିକେ ଏ କୁନି ପୁଅ । ଷ୍ଟେସନରୁ ବସଷ୍ଟାଣ୍ଡ, ବଡ ଦେଉଳ ସାମ୍ନାରୁ ବେଳାଭୂମି ସବୁଠି ପାଠ ପଢା ବସ୍ତାନୀ ବଦଳରେ ଚା ବ୍ୟାଗ ଧରି ବେପାର କରେ ପୁରୀ କୁମ୍ଭାରପଡା ସଂଗ୍ରାମ କ୍ଲବ ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ରବି ବେହେରା ।

ପିଲା ବେଳୁ ବାପା କେଉଁଆଡେ ଛାଡି ପଲାଇଥିବାରୁ ମାଆ ଦୁଇଛୁଆଙ୍କୁ ନେଇ ଷ୍ଟେସନରେ ଅଣ୍ଡା ବିକ୍ରି ଚଳୁଥିଲେ । ହେଲେ କରୋନା ପାଇଁ ବେପାର ବୁଡିଥିବାରୁ ଘର ଚଳେଇବାକୁ ଏବେ ଚା ବିକୁଛି ୧୩ ବର୍ଷର ରବି । ସ୍କୁଲ ବନ୍ଦ ହେବା ପରେ ଏବେ ସବୁଦିନ ଚା ବିକି ଯାହା ରୋଜଗାର କରୁଛି ସେଥିରେ ନିଜ ମାଆ ଓ ଯୁକ୍ତ ୨ ପଢୁଥିବା ଭଉଣୀ ଚଳିଯାଉଛନ୍ତି ।

ସେପଟେ ଏ ଦୃଶ୍ୟ ବି ଗୋଟେ ଦୁର୍ଦଶା ବଖାଣୁଛି । ପରିବାର ବୋଝ ବି ଏ କୁନି ଝିଅ ମୁଣ୍ଡେଇଛି । ଆଉ ଘର ଚଳେଇବାକୁ ଚା ଚିନି ସହ ରିତିମତ କସରତ କରି ଚା ବିକି ପରିବାର ମୁହଁରେ ଦାନା ଦେଉଛି । ବାପାଙ୍କ ଦେହ ଭଲ ନଥିବାରୁ ଏବେ ସମସ୍ତଙ୍କ ଦାୟିତ୍ୱ ତା ମୁଣ୍ଡରେ । ଦୁଇ ଭଉଣୀ, ଜଣେ ଭାଇ ଓ ବାପାଙ୍କ ସହ ଚାରି ଜଣଙ୍କୁ ଚା ବିକି ଚଳାଉଛି ପୁରୀର ସ୍ନେହଲତା ମାଣ୍ଡୋଇ ।

କରୋନା ପାଇଁ ବ୍ୟବସାୟ ହେଉନଥିବା ବେଳେ ବଡ ଭଉଣୀର କଷ୍ଟକୁ ହାଲକା କରିବାକୁ ହାତ ବଢାନ୍ତି ଅନ୍ୟ ଦୁଇ ସାନ ସାନ ଭଉଣୀ । କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ଚା ଦୋକାନରେ ବହି ଧରି ପାଠ ପଢନ୍ତି ଆଉ ନବୁଝି ପାରିଲେ ଭଉଣୀକୁ ପଚାରନ୍ତି । ଚା ବିକି ଯାହା ଟଙ୍କା ରୋଜଗାର କରନ୍ତି ସେତିକିରେ ସମସ୍ତେ କଷ୍ଟରେ ଚଳନ୍ତି ।

ତେବେ ମହାମାରୀ ପାଇଁ ବଦଳିଯାଇଛି ଜୀବନ ଜୀବୀକା । କିଏ କାମ ହରାଇ ଘରେ ହାତବାନ୍ଧି ବସିଛି ତ କିଏ ପାଠ ଛାଡି ପରିବାର ବୋଝ ବହୁଛି । ଆଉ ପୁରୀରୁ ଆସିଥିବା ଚା ବିକାର ଏ ଦୁଇଟି ଚିତ୍ର ସ୍ପଷ୍ଟ ବୁଝାଇ ଦେଉଛି କି ଏବେ ଜୀବନ କେତେ କଷ୍ଟରେ ବିତୁଛି, ଅଭାବୀ ଏବେ କେତେ ଅସହାୟ ପାଲଟିଛି…