ଚାଲିବି ଚାଲିବି ନପଡିବି ଥକି ବୁଜିବା ଆଗରୁ ଆଖି… ତାଲାବନ୍ଦ ପରେ ଘରମୁହାଁ ଶହ ଶହ ଶ୍ରମିକ । ଗାଡି ଗଡୁନି ବୋଲି ତତଲା ପିଚୁରେ ଦୁଃଖ ବୋହି ଦାଦନ ଚାଲୁଛି, ଜିଲ୍ଲା ପରେ ଜିଲ୍ଲା ଆସୁଛି ହେଲେ ବାଟ ସରୁନି…

1,166

କନକ ବ୍ୟୁରୋ: ଆଗରେ ପଡିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନପଡିବି ଥକି ବୁଜିବା ଆଗରୁ ଆଖି… ପିଲାଦିନେ ହୁଏତ ଏ କଥା ଜୀବନର ଲକ୍ଷ୍ୟ ହାସଲ ପାଇଁ ଶିଖାଯାଇଥିଲା ହେଲେ ଆଜି ପ୍ରାଣ ବଞ୍ଚାଇବା ପାଇଁ, ଜୀବନ ଯୁଦ୍ଧରେ ଜିତିବା ପାଇଁ ସେ କଥାକୁ ମର୍ମେ ମର୍ମେ ବୁଝି ଡହଡହ ଖରାରେ ଆଗେଇ ଚାଲିଛି ଦାଦନ । ପାଦ ପୋଡିଯାଉଛି, ପେଟ ବି ଜଳୁଛି… ତଥାପି ଜିଇଁବାର ମୋହ ନେଇ, ପରିବାରକୁ ପାଇବା ପାଇଁ ଢୋକେ ପାଣି ପିଇ ଚାଲି ଚାଲି ଫେରୁଛନ୍ତି ଶହ ଶହ ଶ୍ରମିକ…

ତାଲାବନ୍ଦ ପାଇଁ ସବୁଆଡେ ଶୂନଶାନ, ରାସ୍ତାଘାଟ ଖାଁ ଖାଁ, ଯୁଆଡେ ଚାହିଁଲେ ଅସମ୍ଭବ ନିରବତା । ଆଉ ୟାରି ଭିତରେ ରାସ୍ତା ଉପରେ ଏକା ଏକା ଚାଲୁଛି ଶ୍ରମିକ । ତତଲା ତାତିରେ ଶିଝି ଯାଉଛି ତାଳୁରୁ ତଳିପା, ଦେହରୁ ବୋହୁଝି ଗମଗମ ଝାଳ… ହେଲେ ସେସବୁକୁ ଖାତିର ନକରି କମରରେ ଗାମୁଛା କଷି ମାଡି ଚାଲିଛି ଶ୍ରମିକ । ଗାଁ ପରେ ଗାଁ ଆସୁଛି, ଜିଲ୍ଲା ପରେ ଜିଲ୍ଲା… ହେଲେ ରାସ୍ତା ସରୁନି କି ବାଟ ବି କମୁନି… ଲକଡାଉନ ପାଇଁ ସବୁକିଛି ବନ୍ଦ ହୋଇଯିବା ପରେ ଆଖିରୁ ଲୁହକୁ ଓଠରେ ପିଇ ବାହାର ରାଜ୍ୟରୁ ଘରମୁହାଁ ହେଉଛନ୍ତି ଦାଦନ ଶ୍ରମିକ ।

ଶ୍ରମିକଙ୍କୁ ନେଇ ଏବେ ଚିନ୍ତାରେ ସାରା ଦେଶ । ଦିଲ୍ଲୀରେ ଯେଉଁ ଦୃଶ୍ୟ, ଓଡିଶା-ଛତିଶଗଡରେ ବି ସେହି ଚିତ୍ର । ସବୁଆଡେ ଘରବାହୁଡା ଶ୍ରମିକ । କିଏ ପେଡି ପୁଟୁଳା ଧରି ଚାଲୁଛି ତ କିଏ ସ୍ତ୍ରୀ ପିଲାଛୁଆ ନେଇ ଘରକୁ ଧାଇଁଛି । ସମସ୍ତଙ୍କୁ ବଞ୍ଚିବାର ଚିନ୍ତା, ଭୋକର ଭଉଁରୀରୁ ବର୍ତ୍ତିବାର ପ୍ରାଣମୂର୍ଚ୍ଚା ଉଦ୍ୟମ ।

ଅବଶ୍ୟ ଶ୍ରମିକଙ୍କ ସବୁ ସୁବିଧା ପାଇଁ ସରକାର ସଜାଗ ଅଛନ୍ତି । ସେମାନଙ୍କ ରହିବା, ଖାଇବା ଦାୟିତ୍ୱ ସହ ଟିକିନିଖି ସମସ୍ୟା ବୁଝିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ସେସବୁ ନିର୍ଦ୍ଦେଶ, ସେସବୁ ନିବେଦନକୁ ଶ୍ରମିକଙ୍କ ନିଘା ନାହିଁ କି ସରକାରଙ୍କ କୌଣସି କଥାକୁ ଶୁଣୁ ନାହାନ୍ତି ଶ୍ରମିକ । ହୁଏତ ଏଭଳି ବିପଦ ବେଳେ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିପାରୁ ନାହାନ୍ତି ଏମାନେ । ଘରେ ଶାଗ- ପଖାଳ ଖାଇ ବରଂ ବଞ୍ଚିଯିବେ ହେଲେ ବାହାରେ ରହି ସରକାରଙ୍କ ସୁବିଧା ପାଇବାକୁ ଆଉ ଧର୍ଯ୍ୟ ନାହିଁ । ମାଆର କରୁଣ କାନ୍ଦ, ସ୍ତ୍ରୀର ବ୍ୟସ୍ତତା ଆଉ ପିଲାଙ୍କ ଆକୁଳ ଡାକ ଏ ସଙ୍କଟ ସମୟରେ ସୀମା ପାର କରି ଘରେ ପହଞ୍ଚିବାକୁ ଶକ୍ତି ଯୋଗାଉଛି ଆଉ ଏସବୁ ଆଗରେ ସରକାରଙ୍କ ସବୁ ସେବା ଫିକା ଫିକା ଲାଗୁଛି…