ମାଟି ପାଣି ପବନ, ଆବିଷ୍କାରଠୁ ଜଣା-ଅଜଣା । ଗୁଗୁଲ ଭଳି ଫଟାଫଟ୍ ଉତ୍ତର ଦେଉଛି ୫ ବର୍ଷୀୟ ସିମ୍ରନ୍…

579

କନକ ବ୍ୟୁରୋ: ମାଟି ପାଣି ପବନ, ଆବିଷ୍କାରଠୁ ଜଣା-ଅଜଣା । ଗୁଗୁଲ ଭଳି ଫଟାଫଟ୍ ଉତ୍ତର ଦେଉଛି ୫ ବର୍ଷୀୟ ସିମ୍ରନ୍, କୋରାପୁଟର ଏହି ସର୍ଚ୍ଚ ଇଞ୍ଜିନ୍ ବିଷୟରେ ଜାଣିଲେ ଆପଣ ବି ବାଃ ବାଃ ନକରି ରହିପାରିବେନି ।

ଗୁଗୁଲ ଯେମିତି ସିମ୍ରନ୍ ସେମିତି । ପାଣି ପବନ, ଶରୀରରୁ ସବୁଜିମା ଆଉ ଦେଶ ବିଦେଶର ସବୁର ଉତ୍ତର ଆପଣ ଯେମିତି ଗୁଗୁଲରୁ ଖୋଜି ପାଆନ୍ତି ଠିକ୍ ସେମିତି ସର୍ଚ୍ଚ ଇଞ୍ଜିନ୍ ଭଳି ଫଟାଫଟ୍ ଉତ୍ତର ଦେଉଛନ୍ତି ସିମ୍ରନ୍ । କଅଁଳ ବୟସ କଲମ ଓ ଟେକ୍ନୋଲୋଜୀର ଭରପୁର ଭଣ୍ଡାର କୋରାପୁଟର ଏହି ଗୁଗୁଲ ଗର୍ଲ । ନାରାୟଣପାଟଣା ବ୍ଲକ୍ ବାରୀ ଗ୍ରାମର ଶ୍ରୀଧର କୁମାର ତାଡିଙ୍ଗିଙ୍କ ୫ ବର୍ଷର ଝିଅ ସିମ୍ରନ । ପ୍ରଧାନମନ୍ତ୍ରୀଙ୍କ ନାଁ ହେଉ ଅବା ମୁଖ୍ୟମନ୍ତ୍ରୀ, ଜିଲ୍ଲା ହେଉ କି ରାଜ୍ୟ ଗୁଡ଼ିକର ରାଜଧାନୀ । ଘଟଣା ଦୁର୍ଘଟଣା , ଆବିଷ୍କାର ଉଦ୍ଭାବନର ସବୁ ତଥ୍ୟ ଆପଣ ସିମ୍ରନଙ୍କ ସର୍ଚ୍ଚ ଇଞ୍ଜିନରୁ ଚଟାପଟ୍ ପାଇପାରିବେ । ଆପଣଙ୍କ ପ୍ରଶ୍ନ ପଚାରିବାର ଆଖି ପିଛୁଳାକେ ଏହି ଗୁଗୁଲ ଗର୍ଲ ଆପଣଙ୍କୁ ଉତ୍ତର ଦେଇସାରିଥିବ । ଏଭଳି ପ୍ରତିଭା ନେଇ ସିମ୍ରନଙ୍କ ବାପା ମା’ କୁହନ୍ତି ଯଦି ସରକାର ସିମ୍ରନର ଶିକ୍ଷା ବ୍ୟବସ୍ଥା ପାଇଁ ସାହାଯ୍ୟ କରନ୍ତି ତହାହେଲେ ସେ ଆହୁରି ଆଗକୁ ବଢିବ ।

ଖାଲି ଦେଶ ବିଦେଶ ନୁହେଁ କେବେ କେଉଁଠି କ’ଣ ଘଟିଥିଲା ,କିଏ ତିଆରି କରିଥିଲା ପ୍ରଶ୍ନ ପଚାରିବାର ସେକେଣ୍ଡ ଭିତରେ ସବୁର ଉତ୍ତର ଦେଉଛନ୍ତି ସିମ୍ରନ । ଏପରିକି ଗୁଗୁଲ ଗର୍ଲଙ୍କ ସାଢେ ୫ ମିନିଟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହଜାର ହଜାର ଲୋକ ଏଭଳି ପ୍ରତିଭା ଦେଖି ଲାଇକ୍ ଓ କମେଣ୍ଟ ଦେଉଛନ୍ତି । ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ସିମ୍ରନଙ୍କ ପ୍ରଶଂସାରେ ଶତମୁଖର ହୋଇପଡ଼ିଛନ୍ତି ।

ତେବେ ସିମ୍ରନ ଗରିବ ଘରେ ଜନ୍ମିତ । ବାପା ଶ୍ରୀଧର ଡଙ୍ଗର କାମ କରି ପରିବାର ଚଳାନ୍ତି ସତ କିନ୍ତୁ ସିମ୍ରନଙ୍କ ପାଖରେ ରହିଛି ଅନନ୍ୟ ପ୍ରତିଭା । ଏତେ କମ୍ ବୟସରେ ଫୁଟୁଥିବା ବଣ ମଲ୍ଲୀକୁ ଯଦି ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦିଅନ୍ତି ତେବେ ସିମ୍ରନ କେବଳ କୋରାପୁଟ ନୁହେଁ ବରଂ ଆଗାମୀ ଦିନରେ ଓଡ଼ିଶାକୁ ଗର୍ବିତ କରିବ ।