ଆଠ ମାସ ତଳେ ସହିଦ ହୋଇଯାଇଛି ପୁଅ, ଆଜି ଯାଏଁ ଶୁଖୁନି ମାଆ ଆଖିର ଲୁହ... ଆତଙ୍କି ହମଲାରେ ବୀର ଯବାନ ଅଜିତ ସାହୁ ସହିଦ ହେବା ପରେ ଗେହ୍ଲା ପୁଅକୁ ଝୁରୁଛି କାମାକ୍ଷାନଗର ବଡସୋଆଳ ଗାଁ...

Advertisment
ଆଠ ମାସ ତଳେ ସହିଦ ହୋଇଯାଇଛି ପୁଅ, ଆଜି ଯାଏଁ ଶୁଖୁନି ମାଆ ଆଖିର ଲୁହ... ଆତଙ୍କି ହମଲାରେ ବୀର ଯବାନ ଅଜିତ ସାହୁ ସହିଦ ହେବା ପରେ ଗେହ୍ଲା ପୁଅକୁ ଝୁରୁଛି କାମାକ୍ଷାନଗର ବଡସୋଆଳ ଗାଁ...

କନକ ବ୍ୟୁରୋ: ପୁଅ ସହିଦ ହେବାକୁ ଆଠ ମାସ ବିତିଲାଣି ହେଲେ ପୁଅ ପାଇଁ ମାଆ ଆଖିରୁ ବହୁଥିବା ଏ ଲୁହ ଆଦୌ ଶୁଖୁନି । ଏବେବି ଘର ଭିତରୁ ପୁଅର ସେ ମାଆ ଡାକ ଶୁଭୁଛି ଆଉ କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଉପରେ ଆଖି ପଡିଗଲେ ପୁଅ ସାମ୍ନାରେ ଛିଡା ହୋଇଥିବା ଝାପ୍ସା ଦିଶୁଛି । ଖାଇଲେ, ବସିଲେ, ଶୋଇଲେ ସବୁବେଳେ ସହିଦ ପୁଅର ସ୍ମୃତି ମନେପକାଇ ଲୁହ ଗଡାଉଛି ମାଆ... ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କି ଗୁଳିରେ ବୀର ଯବାନ ଅଜିତ ସାହୁ ସହିଦ ହେବା ପରେ ଏବେ ଦୁର୍ଦ୍ଦିନରେ ବିତୁଛି ପରିବାରର ଜୀବନ ।

publive-image

୧୭ ଜୁୁନ ୨୦୧୯ । ଆତଙ୍କୀଙ୍କ ସହ ଲଢୁ ଲଢୁ ବଡ ହମଲାରେ ଜମ୍ମୁ କଶ୍ମୀର ପୁଲୱାମାରେ ମାଟିରେ ଟଲି ପଡିଥିଲେ କାମାକ୍ଷାନଗର ବଡସୋଆଳ ଗାଁର ଯବାନ ପୁଅ ଅଜିତ ସାହୁ । ଦେଶ ମାତୃକା ପାଇଁ ଜୀବନ ଦେଇ ଦେଶଭକ୍ତର ପରିଚୟ ଦେଇଥିଲେ ବୀର ଯବାନ ଅଜିତ । ହେଲେ ଅଜିତଙ୍କ ସହିଦ ଖବର ଯେତେବେଳେ ଘରେ ପହଞ୍ଚିଥିଲା ପରିବାରର ପାଦ ତଳୁ ମାଟି ଖସିଯାଇଥିଲା । ମାଆ ନିର୍ବାକ ହୋଇଥିଲା, ବାପା ପାଲଟି ଯାଇଥିଲେ ଗୋଟେ ବତୁରା ପଥର ।

ସହିଦ ଅଜିତ ଘରର ଏକମାତ୍ର ଭରସା, ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଛି । ଗୋଟିଏ ପଟେ ପୂରା ପରିବାର ପୁଅକୁ ଝୁରୁଥିବା ବେଳେ ଅନ୍ୟପଟେ ନାତିକୁ ଝୁରୁଝୁରି ଆଖିବୁଜିଛନ୍ତି ଅଜିତଙ୍କ ଜେଜେମା ।

ସେପଟେ ଘରର ଏଭଳି ଅବସ୍ଥା ବେଳେ ରାସ୍ତା ସଂପ୍ରସାରଣ ପାଇଁ ରହୁଥିବା ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ତେବେ ଅଜିତଙ୍କ ସହିଦ ହେବା ପରେ ତାଙ୍କ ପରିବାରକୁ ସରକାରୀ ସହାୟତା ମିଳିଥିଲେ ବି ତାହା ସମୁଦ୍ରକୁ ଶଂଖେ । ତେଣୁ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଅଜିତଙ୍କ ବଡ ଭାଇକୁ ଚାକିରି ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe