ଆଠ ମାସ ତଳେ ସହିଦ ହୋଇଯାଇଛି ପୁଅ, ଆଜି ଯାଏଁ ଶୁଖୁନି ମାଆ ଆଖିର ଲୁହ… ଆତଙ୍କି ହମଲାରେ ବୀର ଯବାନ ଅଜିତ ସାହୁ ସହିଦ ହେବା ପରେ ଗେହ୍ଲା ପୁଅକୁ ଝୁରୁଛି କାମାକ୍ଷାନଗର ବଡସୋଆଳ ଗାଁ…

461

କନକ ବ୍ୟୁରୋ: ପୁଅ ସହିଦ ହେବାକୁ ଆଠ ମାସ ବିତିଲାଣି ହେଲେ ପୁଅ ପାଇଁ ମାଆ ଆଖିରୁ ବହୁଥିବା ଏ ଲୁହ ଆଦୌ ଶୁଖୁନି । ଏବେବି ଘର ଭିତରୁ ପୁଅର ସେ ମାଆ ଡାକ ଶୁଭୁଛି ଆଉ କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଉପରେ ଆଖି ପଡିଗଲେ ପୁଅ ସାମ୍ନାରେ ଛିଡା ହୋଇଥିବା ଝାପ୍ସା ଦିଶୁଛି । ଖାଇଲେ, ବସିଲେ, ଶୋଇଲେ ସବୁବେଳେ ସହିଦ ପୁଅର ସ୍ମୃତି ମନେପକାଇ ଲୁହ ଗଡାଉଛି ମାଆ… ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କି ଗୁଳିରେ ବୀର ଯବାନ ଅଜିତ ସାହୁ ସହିଦ ହେବା ପରେ ଏବେ ଦୁର୍ଦ୍ଦିନରେ ବିତୁଛି ପରିବାରର ଜୀବନ ।

୧୭ ଜୁୁନ ୨୦୧୯ । ଆତଙ୍କୀଙ୍କ ସହ ଲଢୁ ଲଢୁ ବଡ ହମଲାରେ ଜମ୍ମୁ କଶ୍ମୀର ପୁଲୱାମାରେ ମାଟିରେ ଟଲି ପଡିଥିଲେ କାମାକ୍ଷାନଗର ବଡସୋଆଳ ଗାଁର ଯବାନ ପୁଅ ଅଜିତ ସାହୁ । ଦେଶ ମାତୃକା ପାଇଁ ଜୀବନ ଦେଇ ଦେଶଭକ୍ତର ପରିଚୟ ଦେଇଥିଲେ ବୀର ଯବାନ ଅଜିତ । ହେଲେ ଅଜିତଙ୍କ ସହିଦ ଖବର ଯେତେବେଳେ ଘରେ ପହଞ୍ଚିଥିଲା ପରିବାରର ପାଦ ତଳୁ ମାଟି ଖସିଯାଇଥିଲା । ମାଆ ନିର୍ବାକ ହୋଇଥିଲା, ବାପା ପାଲଟି ଯାଇଥିଲେ ଗୋଟେ ବତୁରା ପଥର ।

ସହିଦ ଅଜିତ ଘରର ଏକମାତ୍ର ଭରସା, ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଛି । ଗୋଟିଏ ପଟେ ପୂରା ପରିବାର ପୁଅକୁ ଝୁରୁଥିବା ବେଳେ ଅନ୍ୟପଟେ ନାତିକୁ ଝୁରୁଝୁରି ଆଖିବୁଜିଛନ୍ତି ଅଜିତଙ୍କ ଜେଜେମା ।

ସେପଟେ ଘରର ଏଭଳି ଅବସ୍ଥା ବେଳେ ରାସ୍ତା ସଂପ୍ରସାରଣ ପାଇଁ ରହୁଥିବା ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ତେବେ ଅଜିତଙ୍କ ସହିଦ ହେବା ପରେ ତାଙ୍କ ପରିବାରକୁ ସରକାରୀ ସହାୟତା ମିଳିଥିଲେ ବି ତାହା ସମୁଦ୍ରକୁ ଶଂଖେ । ତେଣୁ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଅଜିତଙ୍କ ବଡ ଭାଇକୁ ଚାକିରି ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ ।