କନକ ବ୍ୟୁରୋ: ଜାଲି ସେପଟେ ଛୁଆ, ଜାଲି ଏପଟେ ବାପାମାଆ... ମମତା ଓ ଲୁହ ମଝିରେ ଲୁହାର ବାଡ । ମୃତ୍ୟୁର ପଞ୍ଝାରେ ଫସିଥିବା ଛୁଆକୁ ଉଦ୍ଧାର କରିବାକୁ ମାଆ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛି । ବାପା ବି ନିଜ ଗେହ୍ଲା ଛୁଆକୁ ବଞ୍ଚାଇବାକୁ ଖୁଦ ଖିଆ ଥଣ୍ଟରେ ଲୁହା ତାର ଛିଡାଇ ଦେବାର ଦୁଃସାହସ ରଖିଛି । ବୋଧେ ସେଇଥିପାଇଁ ବଣି ଚଢେଇକୁ ରକ୍ଷା କରିବାକୁ ବାପାମାଆ ଦୁଇ ଜଣ ବାରମ୍ବାର ଚେଷ୍ଟା କରୁଛନ୍ତି ଆଉ ଖୁଣ୍ଟରୁ ଖସିପଡି ବିଫଳ ହେଉଛନ୍ତି...

Advertisment

ମମତାର ମୂଳ ସବୁଠି ସମାନ । ବାପାମାଆଙ୍କ ସ୍ନେହ ସବୁବେଳେ ଏକାପରି । ସେ ମଣିଷ ହେଉ କି ପଶୁପକ୍ଷୀ । ଛୁଆକୁ ଛାଡି କେହି ବି ରହିପାରନ୍ତିନି... ଛୁଆ ନିଜ ଛାଇଠୁ ଦୂରେଇ ଗଲେ ବାପାମାଆ ଖୋଜନ୍ତି । ଆଉ ଏଠି ତ ମୃତ୍ୟୁର ଜାଲି ଭିତରୁ ଜୀବନ ପାଇଁ ଛୁଆ ବାପାମାଆଙ୍କୁ ଚିକ୍ରାର କରି ଡାକୁଛି । ବିଚରା ବାପାମାଆ ନିଜ ନରମ ଥଣ୍ଟରେ ଲୁହାର ଟାଣପଣକୁ ଭାଙ୍ଗି ଛୁଆକୁ ଟାଣିଆଣି ପାରୁନାହାନ୍ତି । ପର ଛିଡି ଯାଉଛି, ହେଲେ ପାରୁ ନାହାନ୍ତି... ଆଉ ଅସହାୟତା ଆଗରେ ଆତ୍ମସମର୍ପଣ କରି ଭଗବାନଙ୍କ ଭରସାରେ ଚିଁ ଚିଁ ଶବ୍ଦ କରି ସାହାଯ୍ୟ ମାଗୁଛନ୍ତି । କାଳେ କିଏ ସେମାନଙ୍କ ଡାକ ଶୁଣି ମୃତ୍ୟୁର ପିଞ୍ଜରାରୁ ଛୁଆକୁ ମୁକ୍ତି ଦେବ...

ସେପଟେ ବେସାହାରା ବଣି ବାପାମାଆଙ୍କ ଏଭଳି ଅସହାୟତା ଦେଖି ମଣିଷ ଛାତି ବି ତରଳି ଯାଇଥିଲା । ଜୀବନର ଡାକ ଦେଉଥିବା ବଣିଛୁଆକୁ ବଞ୍ଚାଇବାକୁ ବାପାମାଆ ଯେତେବେଳେ ହାରିଯାଇଥିଲେ ଠିକ ସେତିକି ବେଳେ ପକ୍ଷୀ ଛୁଆକୁ ଉଦ୍ଧାର କରିବାକୁ ଆଗେଇ ଯାଇଥିଲା ମଣିଷ । ଆଉ ତାପରେ ଆରମ୍ଭ ହୋଇଥିଲା ଅପରେସନ ବଣିଛୁଆ । ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ବିଦ୍ୟୁତ୍ ଖୁଣ୍ଟର ତାର ଜାଲି ଚିରି ବଣିଛୁଆକୁ ସୁରକ୍ଷିତ ଉଦ୍ଧାର କରିଥିଲେ କିଛି ହୃଦୟବାନ ମଣିଷ । ଆଉ ତାପରେ ବଣିଛୁଆ ମୁକ୍ତ ପାଇଥିଲା, ବାପାମାଆଙ୍କ ସହ ନୀଳ ଆକାଶକୁ ଫୁର୍ କିନା ଉଡିଯାଉଥିଲା... ଆଉ ଯିବାବେଳେ କହୁଥିଲା ହେ ମଣିଷ ! ତମ ସାହାଯ୍ୟ ମୁଁ କେବେ ଭୁଲିବିନି...