ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ ଲକ୍ଷ ଟଙ୍କା

316

କନକ ବ୍ୟୁରୋ : କରୋନାକୁ ନେଇ ଚିନ୍ତାରେ ରହିଛି ସାରା ବିଶ୍ୱ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ନିର୍ମାଣରେ ଲାଗି ପଡିଛନ୍ତି ସବୁ ଦେଶ । ଅନ୍ୟପଟରେ କିଛି ଦେଶ କୋଭିଡ ନିୟମକୁ ମଧ୍ୟ କଡାକଡି ପାଳନ କରୁଛନ୍ତି । ଏହାମଧ୍ୟରେ ତାଇବାନରୁ ଏମିତି ଏକ ଖବର ଆସିଛି ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କୋଭିଡ ନିୟମ ଉଲ୍ଲଘଂନ କରିବା ଭାରି ପଡିଛି । ଏଥିପାଇଁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି । ହେଲେ ବ୍ୟକ୍ତି ଜଣକର ଭୁଲ ହେଲା ଯେ ସେ ମାତ୍ର ୮ ସେକେଣ୍ଡ ପାଇଁ କ୍ୱାରେଣ୍ଟାଇନ ରୁମରୁ ବାହାରକୁ ଆସିଥିଲେ । ଏଥିପାଇଁ ତାଙ୍କୁ ଏହି ଜରିମାନା ଦେବାକୁ ପଡିଛି ।
ଫିଲିଫାଇନ୍ସର ଜଣେ ବ୍ୟକ୍ତି ତାଇୱାନର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରହିଥିଲେ । ହେଲେ ବ୍ୟକ୍ତି ଜଣକ ମାତ୍ର ୮ ସେକେଣ୍ଡ ପାଇଁ ହୋଟେଲର ହଲ ରୁମକୁ ଆସିଥିଲେ । ଏହି ଘଟଣା ହୋଟେଲ ସିସିଟିଭିରେ କଏଦ ହୋଇଯାଇଥିଲା । ପରେ ଏନେଇ ହୋଟେଲ କର୍ମଚାରୀ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।
ତାଇୱାନର କ୍ୱାରେଣ୍ଟାଇନ ନିୟମ ଅନୁସାରେ ଆକ୍ରାନ୍ତ ନିଜ କ୍ୱାରେଣ୍ଟାଇନ ରୁମରୁ ବାହାରକୁ ବାହାରି ପାରିବେନି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତାଇୱାନ ଏମିତି ଏକ ଦେଶ ଯିଏ କରୋନାକୁ ନିଜ କାବୁରେ ରଖିବାରେ ସକ୍ଷମ ହୋଇଛି । କାରଣ ଏଠାରେ ନିୟମ କଡାକଡି ଭାବେ ପାଳନ ହେଉଛି । ଯାହା ଏହି ଘଟଣାରୁ ହିଁ ବୟାନ ହେଉଛି ।
୨ କୋଟି ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏବେ ଯାଏଁ ୭୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୭ ଜଣଙ୍କ ମୃତ୍ୟୁ ହୋଇଛି । ତାଇୱାନ ଅନ୍ୟ ଦେଶ ଭଳି ଦେଶ ମଧ୍ୟରେ ଲକଡାଉନ କରିନଥିଲା କି ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇନଥିଲା । ହେଲେ କ୍ୱାରେଣ୍ଟାଇନ ନିୟମ ଯୋଗୁଁ ତାଇୱାନ କରୋନାକୁ କାବୁ କରିବାରେ ସଫଳ ହୋଇଛି ।