କନକ ବ୍ୟୁରୋ: ମୋବାଇଲ ବ୍ଲାଂକ ମେସେଜର ପ୍ରେମ । ଦୁଇ ବର୍ଷର ଅଗ୍ନିପରୀକ୍ଷା ପରେ ପ୍ରେମକୁ ପରିବାର ଲୋକଙ୍କ ସ୍ୱୀକୃତି । ମାଥିଲି ଝିଅ ଏବେ ରାଂଚିର ବୋହୂ । ବିଭିନ୍ନ ସୋସିଆଲ ମିଡିଆରେ ହେଉ କିମ୍ବା କଲେଜରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଶୁଣିଥିବେ । କିନ୍ତୁ ବ୍ଲାଂକ ମେସେଜରୁ ସଫଳ ପ୍ରେମ କାହାଣୀ କେବେ ଭାବିନଥିବେ । କଥାଟା ଅବିଶ୍ୱାସ ଲାଗୁଥିଲେ ବି ନିରାଟ ସତ୍ୟ । ଅଜଣା ଯୁବକ ଝାଡଖଣ୍ଡରୁ ଆସି ନକ୍ସଲପ୍ରବଣ ମାଲକାନଗିରି ଭଳି ଉପାନ୍ତ ଆଦିବାସୀ ବହୁଳ ମାଥିଲିର ଝିଅ ପାଇଁ ୨ ବର୍ଷ ସଂଘର୍ଷ କରି ପରିବାର ଲୋକଙ୍କ ମନ ଜିଣିଥିଲେ । ପଢନ୍ତୁ ମାଥିଲିର ଝିଅ ରାଂଚିର ବୋହୂ, ପ୍ରେମୀ ଯୁଗଳଙ୍କ ସଂଘର୍ଷମୟ ପ୍ରେମ କାହାଣୀ ।
ପ୍ରେମ ଏମିତି ଏକ ଅନୁଭବ ଯେଉଁଠି ବି ଯେତେବେଳେ ବି ହୋଇଯାଏ । ସେଥିପାଇଁ ତ କୁହାଯାଏ ପ୍ରେମ ହେଉଛି ନିରନ୍ତର , ନିଶ୍ୱାସ ଅନୁଭବ । ଅଜଣା ଯୁବକଙ୍କ ବ୍ଲାଙ୍କ ମୋବାଇଲ ମେସେଜରୁ ଯୋଡି ଦେଇଛି ସମ୍ପର୍କ । ମାଲକାନଗିରି ଜିଲା ମାଥିଲି ରୁ ଆସିଛି ଏପରି ନିଆରା ସଂଘର୍ଷ ପ୍ରେମ କାହାଣୀ ର ଉଦାହରଣ । ମାଥିଲି ର ନମିତା ନାୟକ ଏବେ ରାଂଚି ର ଅଣ ଓଡିଆ ବୋହୂ । ନମିତା ପାଇଁ ୨ ବର୍ଷ ଧରି ପରିବାର ଲୋକଙ୍କୁ ଆଶା ଓ ବିଶ୍ୱାସ ର ପରୀକ୍ଷା ଦେଇ ପ୍ରେମକୁ ସଫଳ କରିଛନ୍ତି ରାଂଚି ୟୁନିଭର ସିଟିରେ କିରାଣୀ ଭାବେ କାର୍ଯ୍ୟରତ ଚନ୍ଦନ ମିଶ୍ରା । ଘଟଣା ଥିଲା ଏପରି । ସାମାନ୍ୟ ମୋବାଇଲ ର ବ୍ଲାଙ୍କ ମେସେଜ ରୁ ଆରମ୍ଭ ହୋଇଥିଲା ପ୍ରେମ । ଦୀର୍ଘ ୮ ବର୍ଷ ତଳେ ଅଜଣା ଚନ୍ଦନଙ୍କ ବ୍ଲାଙ୍କ ମେସେଜ ପାଇଥିଲେ ନମିତା । ପ୍ରତିଦିନ ୯ ରୁ ୧୦ ଥର ବ୍ଲାଙ୍କ ମେସେଜ କରୁଥିଲେ ଚନ୍ଦନ । ତେବେ କେବେ ବି ବ୍ଲାଙ୍କ ମେସେଜ ର ରିପ୍ଲଏ ଦେଉନଥିଲେ । ସବୁ ଦିନ ଯେତେବେଳେ ବ୍ଲାଙ୍କ ମେସେଜ ଆସୁଥିବା ନେଇ ୨ ମାସ ପରେ କିଏ ବୋଲି ରିପ୍ଲାଏ ମିଳିବା ପର ଠାରୁ ପରେ ଯୋଡି ହୋଇଯାଇଥିଲା ସମ୍ପର୍କ । ଅଜଣା ଯୁବକ ଏବଂ ଅଜଣା ଯୁବତୀ ହୋଇ ବନ୍ଧୁ ଭାବେ କଥା ହେଉ ହେଉ କେତେବେଳେ ଯେ ପ୍ରେମ ହୋଇଗଲା ତାହା ଜାଣିପାରିନଥିଲେ ଉଭୟେ । ପରେ ନିଷ୍ପତି ନେଲେ ବିବାହ କରିବେ । କିନ୍ତୁ ମାଥିଲିରୁ ରାଂଚି ତାହା ପୁଣି ଅଣ ଓଡିଆ ବାହାର ରାଜ୍ୟରେ ଝିଅକୁ ଦେବା ଠିକ୍ ମଣିନଥିଲେ ପରିବାର ଲୋକେ ।
ନମିତା ଓ ଚନ୍ଦନଙ୍କ ପ୍ରେମକୁ ସିକୃତି ଦେଇନଥିଲେ ପରିବାର । ତେବେ ପରିବାର ଲୋକଙ୍କୁ ମନାଇବା ପାଇଁ ଖୋଜି ଖୋଜି ଝାଡଖଣ୍ଡର ରାଂଚି ରୁ ମାଥିଲିକୁ ଚାଲି ଆସିଥିଲେ ଚନ୍ଦନ । ୨ ବର୍ଷ ପର୍ଯ୍ୟନ୍ତ ଝିଅ ଘରେ ପ୍ରେମ ପାଇଁ ଆକୁଳ ହୋଇ ପଡି ରହିଥିଲେ । ସବୁ ଦୁଃଖସୁଖ ସମୟରେ ସାଥି ହୋଇ ନମିତାଙ୍କ ପରିବାର ଲୋକଙ୍କୁ ସହଯୋଗ କରୁଥିଲେ । ଧିରେ ଧିରେ ସମ୍ପର୍କ ଗଭିର ସମ୍ପର୍କ ମଧ୍ୟ ଯୋଡି ହୋଇଥିଲା । ଚନ୍ଦନଙ୍କ ଠାରେ ଭଲ ବ୍ୟକ୍ତିତ୍ୱ ଓ ଉଦାରବାଦୀ ଦେଖି ଶେଷରେ ପରିବାର ଲୋକେ ବି ହାର ମାନିଯାଇଥିଲେ । ନିଷ୍ପତି ନେଲେ ଚନ୍ଦନଙ୍କ ସହିତ ନମିତାଙ୍କୁ ବିବାହ କରିଦେଲେ । ଏବେ ସବୁ ସମୟରେ ଝିଅଜ୍ୱାଇଁ ଙ୍କ ଭଲ ପାଇବା ଓ ହସଖୁସି ସମ୍ପର୍କକୁ ଦେଖି ପରିବାର ଲୋକେ ମଧ୍ୟ ଖୁସି । ଅଣଓଡିଆ ହେଲେ ତାଙ୍କ ପାଖରେ ଯେଉଁ ଭଲପାଇବା ଥିଲା ସେହି ଭଲପାଇବା ହିଁ ଶେଷରେ ନମିତା ଓ ଚନ୍ଦନଙ୍କୁ ମିଶାଇଛି ।
ସଫଳ ହୋଇଛି ପ୍ରେମ । ଏବେ ୮ ବର୍ଷ ହେବ ବିବାହ ହେବା ପରେ ହସଖୁସିରେ ଚାଲିଛି ନମିତା ଓ ଚନ୍ଦନଙ୍କ ଦାମ୍ପତ୍ୟ ଜୀବନ । ୫ ବର୍ଷ ର ଗୋଟିଏ ପୁଅ ମଧ୍ୟ ଅଛି । ଚନ୍ଦନ ଆଗ ଭଳି ରାଂଚି ୟୁନିଭରସିଟିରେ କିରାଣୀ ଭାବେ କାମ କରୁଛନ୍ତି । କିନ୍ତୁ ବ୍ଲାଙ୍କ ମେସେଜ ରୁ ଆରମ୍ଭ ହୋଇଥିବା ସେହି ପ୍ରେମ ଆଜି ବି ତାଜା ଗଭିରତା ହୋଇ ରହିଯାଇଛି । ପ୍ରେମ ଦିବସରେ ନମିତା ଓ ଚନ୍ଦନଙ୍କ ପ୍ରେମକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।