ରୋମିଓ ନିଖୋଜ ପରେ ଜୁଲିଏଟ ଆଖିରେ ନାହିଁ ନିଦ । ବିଚ୍ଛେଦର ଯନ୍ତ୍ରଣା ଦେଖି ମରାଗଲା ପୋଷ୍ଟର । ରୋମିଓକୁ ଖୋଜିଦେଲେ ପାଞ୍ଚ ହଜାର ପୁରସ୍କାର ।

250

କନକ ବ୍ୟୁରୋ: ହାଇଦ୍ରାବାଦରେ ହୃଦୟ ଦିଆନିଆ, ବଲାଙ୍ଗିରରେ ବିରହ । ସେଠି ମିଶିଥିଲା ମନ, ଏଠି ବିଚ୍ଛେଦରେ ବିତୁଛି ଦିନ । ଆଖି ଆଗରୁ ଜୀବନ ସାଥୀକୁ ଦୂରେଇ ବିରହରେ ଜଳୁଛି ଜୁଲିଏଟ । ନିଶ୍ୱାସକୁ ହଜେଇ ଦିନରାତି ରାତି ଝୁରୁଛି ପ୍ରେମପକ୍ଷୀ । ପ୍ରେମକଥା ଉଠିଲେ ସମସ୍ତେ ରୋମିଓ ଜୁଲିଏଟର ଉଦାହରଣ ଦିଅନ୍ତି । ରୋମିଓ ଜୁଲିଏଟର କାହାଣୀ ସହ ତୁଳନା କରନ୍ତି । ଆଉ ମଣିଷଙ୍କ ପରି ଏ ପକ୍ଷୀଙ୍କ ପ୍ରେମ କାହାଣୀ ବି କିଛି କମ ନୁହେଁ । ପକ୍ଷୀ ବି ପ୍ରେମ କରନ୍ତି, ପକ୍ଷୀ ବି ହୃଦୟ ହଜାନ୍ତି ଆଉ ସେହି ପକ୍ଷୀ ବି ବିଚ୍ଛେଦର ଗୀତ ଗାଇ ମନମାରି ବସନ୍ତି…

ଆଜ୍ଞା ହଁ, ଇଏ ହେଉଛି ରୋମିଓ, ଆଉ ଇଏ ଜୁଲିଏଟ । ଲକଡାଉନରେ ଆରମ୍ଭ ହୋଇଥିଲା ଏମାନଙ୍କ ଲଭଷ୍ଟୋରୀ । ହାଇଦ୍ରାବାଦରେ ଥିବାବେଳେ ରୋମିଓ ପ୍ରଥମେ ଘରକୁ ଆଣିଥିଲେ ପକ୍ଷୀପ୍ରେମୀ ସ୍ୱାତୀ ଦୋରା ଏବଂ ତାଙ୍କ ସ୍ୱାମୀ । ତମାମ ତାଲାବନ୍ଦଟା ଘରେ ରୋମିଓ ସହ ସମୟ ବିତାଇ ଦେଇଥିଲେ ଦୋରା ଦମ୍ପତ୍ତି । ହେଲେ ଯେତେବେଳେ କର୍ମକ୍ଷେତ୍ରକୁ ବାହାରିଲେ ଦୁହେଁ ସେତେବେଳେ ରୋମିଓ ପାଇଁ ଖୋଜାହେଲା ସାଥିଟିଏ । ବାସ୍ ତାପରେ ଘରକୁ ଆସିଲା ଜୁଲିଏଟ । ଏକାଏକା ରହୁଥିବା ରୋମିଓକୁ ମିଳିଗଲା ସାଥିଟିଏ ଆଉ ପରେ ସେ ପାଲଟିଗଲା ଜୀବନସାଥୀ ।

ଇଏ ହେଉଛି ସେହି ଖୁସି ସମୟର କିଛି ଚିତ୍ର । ନୂଆନୂଆ ପ୍ରେମରେ ପଡି ପ୍ରେମର ପଣକିଆ ଡାକିବା ବେଳର ଦୃଶ୍ୟ । କେବେ ରୋମିଓ, ଜୁଲିଏଟକୁ ତା ପିରତିର ପିଆଲାରେ ଚୁମି ଦେଉଥାଏ । ତ କେବେ ପେମର ପାଣି ଛାଟି ଜୁଲିଏଟକୁ ଓଦା ଜୁଡୁବୁଡୁ କରିଦିଏ ରୋମିଓ । ଖେଳିବାଠୁ ଖାଇବା, ବୁଲିବାଠୁ ଉଡିବା… ରୋମିଓ ଜୁଲିଏଟଙ୍କ ପ୍ରତି ମୁହୂର୍ତ୍ତର ରୋମାଣ୍ଟିକପଣକୁ ଉପଭୋଗ କରନ୍ତି ଦୋରା ଦମ୍ପତ୍ତି । ଆଉ ଦୁଇ ଶୁଆଙ୍କ ବିନା ସେମାନଙ୍କ ପାଇଁ ବଞ୍ଚିବା ମୁସ୍କିଲ ଥିବାରୁ ହାଇଦ୍ରାବାଦରୁ ବଲାଙ୍ଗିରକୁ କାରରେ ଧରି ଆସିଥିଲେ ସ୍ୱାତୀ ଏବଂ ତାଙ୍କ ସ୍ୱାମୀ ।

ମାସେ ହେବ ଘରେ ଶୁଆଶାରୀଙ୍କ କିଚିରି ମିଚିରି ଶବ୍ଦରେ ପୂରା ପରିବାର ଖୁସି ହେଉଥିବା ବେଳେ ଏବେ ବିରହ ଯନ୍ତ୍ରଣା ଭୋଗୁଛି ଜୁଲିଏଟ । ଗତ ୧୮ ତାରିଖ ଦିନ ରୋମିଓ ଘରୁ କୁଆଡେ ଉଡି ପଳାଇଥିବା ବେଳେ ତାର ପତ୍ତ ପାଉନାହାନ୍ତି ପରିବାର ଲୋକେ । ତେଣୁ ଖାଲି ଜୁଲିଏଟ ନୁହେଁ ପରିବାରର ସମସ୍ତେ ଏବେ ଦୁଃଖରେ…

ସେପଟେ ପ୍ରେମିକଙ୍କୁ ହରାଇ ଗୁମସୁମ ହୋଇପଡିଛି ଜୁଲିଏଟ । ରୋମିଓ ଗଲା ଦିନଠୁ ଖାଇବା ପିଇବା ଛାଡିଦେଇଛି । କେବେ ମନମାରି ବସୁଛି ତ କେବେ ରୋମିଓକୁ ଖୋଜିବାକୁ ଘରସାରା ବୁଲୁଛି । ପୁଣି କେବେ ତା ଜୀବନ ସାଥୀକୁ ଖୋଜି ଆଣିବାକୁ ମାଲିକ ପାଖରେ ଗୁହାରୀ କରୁଛି ଜୁଲିଏଟ । ତେବେ ଜୁଲିଏଟର ଯନ୍ତ୍ରଣା ଦେଖି ରୋମିଓର ନିଖୋଜ ପୋଷ୍ଟର ମାରିଛନ୍ତି ଘର ଲୋକେ । ଆଉ ଏଥିପାଇଁ ପୁରସ୍କାର ରାଶି ବି ଘୋଷଣା କରିଛନ୍ତି । ଯିଏ ରୋମିଓକୁ ଖୋଜି ଆଣିବ ତାକୁ ୫୦୦୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କାନ୍ଥବାଡରେ ପୋଷ୍ଟର ଲଗାଇଛନ୍ତି ପରିବାର ଲୋକେ ।

ତେବେ କେହି ସହୃଦୟ ବ୍ୟକ୍ତି ଯଦି ରୋମିଓର ପତ୍ତା ପାଆନ୍ତି ତେବେ ଜୁଲିଏଟ ପାଖରେ ତାକୁ ଛାଡିଦେଇଯାଆନ୍ତୁ । ଆଉ ବିରହରେ ବଞ୍ଚୁଥିବା ଜୁଲିଏଟ ମୁହଁରେ ହସ ଫେରାଇ ପୁଣି ଦୁଇ ପ୍ରେମ ପକ୍ଷୀଙ୍କୁ ପ୍ରେମରେ ମସଗୁଲ ହେବାକୁ ସୁଯୋଗ ଦିଅନ୍ତୁ…