ମୁଁ ଫାଶୀ ଦଉଡ଼ିି… । ନିର୍ଭୟା ନରପିଶାଚଙ୍କୁ ନିପାତ କରିବାକୁ ମୁଁ ଚାହିଁ ବସିଛି, ସମୟ ଆସିଲେ କଲବଲ କରି ଗଳା ଚାପିଦେବି ।

339

କନକ ବ୍ୟୁରୋ : ମୁଁ ଫାଶୀ ଦଉଡ଼ି । ବିହାର ବକ୍ସର ଜେଲରେ ଥିବା କଏଦୀମାନେ ମୋତେ ତିଆରି କରିଛନ୍ତି । ସେମାନେ ବର୍ଷବର୍ଷ ଧରି ଏମିତି ଫାଶୀ ଦଉଡି ତିଆରି କରନ୍ତି । ସାରା ଦେଶରେ ଦୋଷୀଙ୍କୁ ଦିଆଯାଉଥିବା ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ବକ୍ସର ଜେଲରୁ ହିଁ ମୋର ଜନ୍ମ । ମୋର ଉଦ୍ଦେଶ୍ୟ ପାପୀଙ୍କୁ ଦଣ୍ଡ ଦେବା । ଯେଉଁମାନେ ମଣିଷ ହୋଇ ଅମଣିଷ ଭାବେ ଜଘନ୍ୟ ଅପରାଧ କରିଛନ୍ତି, ତାଙ୍କ ଶ୍ୱାସ ସବୁଦିନ ପାଇଁ ବନ୍ଦ କରିଦେବା ମୋର କାମ । ହେଲେ ଅଦାଲତର ନିର୍ଦ୍ଦେଶ ପରେ ମୁଁ ଏହି କାର୍ଯ୍ୟ କରିଥାଏ । ଏହିଭଳି ଏକ କାର୍ଯ୍ୟ ପାଇଁ ଏବେ ମୁଁ ଆସିଛି ତିହାର ଜେଲ ।

ବକ୍ସର ଜେଲରୁ ଦିଲ୍ଲୀର ତିହାର ଜେଲ ଯାଏଁ ମୋର ଯାତ୍ରା ସଂପର୍କରେ ଏ ଦେଶର ପ୍ରାୟ ସମସ୍ତଙ୍କୁ ଜଣା । ନିର୍ଭୟାର ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ସେମାନଙ୍କ ଅନ୍ତିମ ସ୍ଥାନରେ ପହଂଚାଇବା ପାଇଁ ଖାସ ମୋତେ ତିଆରି କରାଯାଇଛି । ମୋ ଦେହରେ ବୋଳା ଯାଇଛି ପାଚିଲା କଦଳୀ ଓ ଲହୁଣି । ମୁଁ ଅଧିକ ଚିକ୍କଣ ହେଲେ ଦୋଷୀର ଗଳାକୁ ଅତି ସହଜରେ ଚାପି ଦେବାପାଇଁ ସମର୍ଥ ହେବି । ଦୋଷୀ ଏଠି, ନିର୍ଭୟାର ଦୋଷୀ । ମୁକେଶ, ବିନୟ, ପବନ ଓ ଅକ୍ଷୟ । ଅନ୍ୟ ଦୁଇ ଜଣଙ୍କ ସହ ମିଶି ଏହି ୪ ଜଣ ସେଦିନ ନିର୍ଭୟାକୁ ଦେଇଥିଲେ ନର୍କ ଯନ୍ତ୍ରଣା । ହେଲେ କଣ ଦୋଷଥିଲା ତାଙ୍କର? ପୁରୁଷ ବନ୍ଧୁ ସହ ଫିଲ୍ମ ଦେଖିବାକୁ ଯାଇଥିଲେ ପାରାମେଡିକାଲ ଛାତ୍ରୀ ନିର୍ଭୟା । ଫିଲ୍ମ ଦେଖି ରାତିରେ ଘରକୁ ଫେରିବା କ’ଣ ଥିଲା ଭୁଲ । ନା, ମହିଳାଙ୍କୁ ସୁରକ୍ଷା ଦେଇପାରୁନଥିବା ଦେଶରେ, ଘୂଣ୍ୟ ମାନସିକତାର ଶିକାର ହୋଇଥିବା ସମାଜରେ ଜନ୍ମ ହେବା ଥିଲା ତାଙ୍କର ଭୁଲ ।

ବିଡମ୍ବନାର କଥା ହେଉଛି ଏ ଦେଶରେ ରାତିରେ ସୁରକ୍ଷିତ ନୁହେଁ ନାରୀ । ଅନ୍ଧାର ରାତିରେ ଏକୁଟିଆ ପାଇଲେ କୁକୁର ଭଳି ଝାମ୍ପି ପଡନ୍ତି ମଣିଷ ଦେହରେ କେବଳ ପୁଳାପୁଳା ମାଂସ ଦେଖିପାରୁଥିବା କାମୁକ ପୁରୁଷ । ମଦ ପିଇ ମାତାଲ ହେଲା ପରେ ଝିଅଟିର ସମ୍ବେଦନଶୀଳ ଅଙ୍ଗ ଉପରେ ଅଟକି ଯାଇଥିଲା ଅମଣିଷମାନଙ୍କ ଲୋଭିଲା ଆଖି । ଏମିତି ସମ୍ବେଦନହୀନ ହୋଇପଡନ୍ତି ଏହି ଅସଭ୍ୟ ମଣିଷସବୁ । ସେମାନଙ୍କ ଆଗରେ ନାରୀ କେବଳ ଭୋଗ୍ୟ ବସ୍ତୁ । ନିର୍ଦ୍ଦୟ ଭାବେ କୁଦି ପଡ଼ନ୍ତି, ଝୁଣି ଖାଇଯାଆନ୍ତି ଜଣେ ନାରୀକୁ । ସେଦିନ ବି ଠିକ୍ ଏହିପରି ଜଘଣ୍ୟ ପାପ କରିଥିଲେ ନିର୍ଭୟା ସହ ।

ମୁଁ ବି ଖୁବ ନିର୍ଦ୍ଦୟ ଓ ନିଷ୍ଠୁର ବି । ନିର୍ଭୟାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ସେମାନେ ଯେମିତି ନିର୍ଭୟାର ଶ୍ୱାସରୁଦ୍ଧ କରିପକାଇଥିଲେ, ଠିକ ସେମିତି ସେମାନଙ୍କୁ ଶ୍ୱାସରୁଦ୍ଧ କରିପକାଇବାକୁ ପ୍ରସ୍ତୁତ । ଗଳାକୁ ଖୁବ ଜୋରରେ ଚାପିଧରି କଲବଲ କରି ମାରି ସେମାନଙ୍କୁ ସଜା ଦେବାକୁ ମୌକା ଖୋଜୁଛି ମୁଁ । କାରଣ ମୋର ଜନ୍ମ ତ କେବଳ ଏଇଥି ପାଇଁ । ନିର୍ଭୟା ଦୋଷୀଙ୍କୁ ମୃତ୍ୟୁର କଂଟକିତ ଶଯ୍ୟାରେ ଶୁଆଇ ଦେବା ହିଁ ହେବ ମୋର ଜନ୍ମର ସାର୍ଥକତା । ହେଲେ ଲାଗୁଛି ଆଉ କିଛି ଦିନ ମୋତେ ଏମିତି ଝୁଲି ରହିବାକୁ ପଡିବ । ଦେଶର ନ୍ୟାୟିକ ପ୍ରକ୍ରିୟା ମୋଠାରୁ ଦୋଷୀମାନଙ୍କୁ ଦୂରେଇ ରଖିବାରେ ହୁଏତ ଆଉ କିଛି ଦିନ ସମର୍ଥ ହେବ । ହେଲେ ଶେଷରେ ମୋ କବଳରୁ ସେମାନଙ୍କର ନିସ୍ତାର ନାହିଁ । ମୁଁ ହିଁ ଶେଷ କରିବି ଏହି ପାପୀମାନଙ୍କ ଶ୍ୱାସ । ଏମାନଙ୍କୁ ମାରି ନଦେବା ଯାଏଁ ମୋର ମୁକ୍ତି ନାହିଁ କି ମୋ ମନରେ ଶାନ୍ତି ନାହିଁ । ବୋଧହୁଏ ଦୋଷୀମାନେ ବି ଜାଣି ସାରିଛନ୍ତି ଏହି ଭୟଙ୍କର ସତ । ସେଇଥିପାଇଁ ତ ମୋଠାରୁ ଦୂରେଇ ରହିବାକୁ ଚାଲିଛି କେତେ ଫନ୍ଦିଫିକର । ହେଲେ ଆଉ କେତେ ଦିନ?