ନାଗଫାଶରୁ ସହରୀ ବାଘ, ଜଗା ହାତରେ ପଘାରୁ ସତ୍ୟ ମେବ ଜୟତେ… ସବୁଠି ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡିଗଲେ ବିଜୟ । ଅଝଟ ଛୁଆକୁ ଶୁଆଇବାକୁ ମାଆ ଯେବେବି ବିଜୟଙ୍କ ‘ଶୋଇଯା ମାମା…’ ଗୀତ ଗାଇବ, ପ୍ରେମ ମନସ୍କ ଯୁବକ ରୂପା ଶଗଡିରେ ସୁନା କନିଆ ଗୁଣଗୁଣାଇବ ସେବେସେବେ ମନେପଡିବେ ବିଜୟ ମହାନ୍ତି…

577

କନକ ନ୍ୟୁଜ୍: ଆଉ ନାହାନ୍ତି ବିଜୟ ମହାନ୍ତି । ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଜଗା ହାତରେ ପଘାର ଜଗନ ଭାଇ । ଆଉ ଶେଷ ନିଦ୍ରାରେ ଶୋଇଯାଇଛନ୍ତି ସହରୀ ବାଘ । ବିଜୟଙ୍କ ଜୀବନ ନାଟକରେ ସିନା ଯବନିକା ପଡିଛି ହେଲେ ଚିଲିକା ତୀରେରୁ ଛାତିରେ ଲେଖିଛି ତୋରି ନାଁ… ନାଗ ଫାଶରୁ ନାରୀ ଆଖିରେ ନିଆଁ ସବୁଠି ବିଜୟଙ୍କ ବିଜୟ ଯାତ୍ରା ଅମର ହୋଇ ରହିବ, ଅକ୍ଷୂର୍ଣ୍ଣ ହୋଇ ରହିବ । ଯେବେଯେବେ ଅଝଟ ପିଲାକୁ ମାଆ ଶୋଇଯା ମାମା… ଗୀତ ଗାଇ ଶୁଆଉଥିବ ସେବେସେବେ ମନେ ପଡୁଥିବେ ବିଜୟ । ଆଉ ପ୍ରେମ ମନସ୍କ ଯୁବକଟି ରୂପା ଶଗଡିର ସୁନା କନିଆ ଗୀତ ଗାଉଥିବ ତା ଚାରିପାଖେ ସେ ବିଜୟଙ୍କ ଉପସ୍ଥିତି ଅନୁଭବ କରୁଥିବ । କାରଣ ବିଜୟ ମହାନ୍ତିଙ୍କ ଏ ଗୀତ ଘରେ ଘରେ ପରିଚିତ । ରକ୍ତରେ ମିଶ୍ରିତ…

୭୦ ବର୍ଷ ବୟସରେ ବିଜୟଙ୍କ ପରଲୋକ ପରେ ସ୍ତବ୍ଧ ହୋଇଛି ଓଡିଶା, ଶୋକରେ ବୁଡିଯାଇଛି ସାରା ସିନେ ଜଗତରେ । ତେବେ ବିଜୟ ଥିଲେ ଓଡିଆ ସିନେ ଆକାଶର ଉଜ୍ଜଳ ତାରକା, ଏକ ଲମ୍ବା ମାଇଲ ଖୁଣ୍ଟ । ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ହୋଇଥିଲେ ବିଜୟ । ସ୍ୁଲରେ ପଢିବା ଦିନ ଠାରୁ ବିଜୟଙ୍କ କଳା ପ୍ରତି ଅହେତୁକ ରୁଚି ଥିଲା ଆଉ ସେ ସେବେଠାରୁ ଅଭିନୟ କରିଆସୁଛନ୍ତି । ତେବେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ସେ ବଲିଉଡ ଅଭିନେତା ଓମ୍ ପୁରୀ, ନାସିରୁଦ୍ଦିନ ସାହାଙ୍କ ସହ ପାଠ ପଢୁଥିଲେ । ଦିଲ୍ଲୀରୁ ପାଠ ପଢା ସାରି ସେ ଓଡିଶାରେ ୧୯୭୫ରେ ପାଦ ଦେଇ ନାଟକରେ ମନୋନିବେଶ କରିଥିଲେ । ଆଉ ପରେ ୧୯୭୭ରେ ଜୀବନର ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ଥାପିଥିଲେ ବିଜୟ ।

୧୯୭୭ରେ ଓଡିଆ ସିନେମା ‘ନାଗଫାଶ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ‘ଚିଲିକା ତୀରେ’ରେ ମଧ୍ୟ ଅଭିନୟ କରିଥିଲେ ବିଜୟ । ତେବେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିବା ବିଜୟ ନାଗ ଫାସ, ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ ଏବଂ ଚକା ଆଖି ସବୁ ଦେଖୁଛି ଆଦିରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ବିଜୟ । ତେବେ ନାୟକ, ଖଳ ନାୟକ, କମେଡି, ପାଶ୍ୱର୍ ଅଭିନେତାରେ ନଜର ଆସିଛନ୍ତି ବିଜୟ । କ୍ୟାରିଅୟ ଆରମ୍ଭରୁ ୧୭୫ଟି ସିନେମାରେ ଅଭିନୟ କରିଛନ୍ତି ବିଜୟ ।

ସିନେ ଜଗତର ଅନ୍ୟ ଜଣେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ ବିଜୟ । ତେବେ ଜୀବନରେ କଳାକୁ ଭଲପାଇ ଆସିଥିବା ବିଜୟ ଅଭିନୟ ସହ ନାଟକ ଓ ନିର୍ଦ୍ଦେଶନାରେ ବି ସିଦ୍ଧହସ୍ତ ଥିଲେ । ୨୦୧୪ରେ ଜୟଦେବ ପୁରସ୍କାର ସହ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ସେ । ତେବେ ୨୦୧୩ରେ ମିତ ବସିଛି ମୁଁ ଭୂତ ସାଥିରେ, ଡାହା ବାଳୁଙ୍ଗା, ହାତ ଧରି ଚାଲୁଥା ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ବିଜୟ ।

ଖାଲି ଅଭିନୟ ନୁହେଁ ରାଜନୀତିରେ ବି ରୁଚି ରଖିଥିଲେ ସେ । ୨୦୧୪ ଫେବୃୟାରୀ ୨୭ରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ଲଢିଥିଲେ । ବିଜୟଙ୍କ ପରଲୋକ ହୋଇଛି ସତ ହେଲେ ଯେବେବି ଗାଁ ଗଣ୍ଡାରେ କିମ୍ବା କାନରେ ରୂପା ଶଗଡିରେ ସୁନା କନିଆ… ଗୀତ ବାଜିବ ସେଦିନ ବିଜୟ ମହାନ୍ତିଙ୍କ ମୁହଁ ମନ ଭିତରେ ଚିତ୍ର ତୋଳିବ…