ଦାବ୍ରିଡ଼ଠୁ ଆରମ୍ଭ କରି ମ୍ୟାକୁଲମ, କ୍ରିକେଟ ଜଗତର ଦାମୀ କୋଚ୍ କିଏ? ଦରମା ଶୁଣିଲେ କାବା ହୋଇଯିବେ ଆପଣ

173

କନକ ବ୍ୟୁରୋ: ଫୁଟବଲ ପରେ ଦୁନିଆରେ ଯଦି କେଉଁ ଖେଳକୁ ଅଧିକ ପସନ୍ଦ କରନ୍ତି ତାହା ହେଉଛି କ୍ରିକେଟ୍ । ଟେଷ୍ଟ, ଦିନିକିଆ ଏବଂ ଫଟାଫଟ୍ କ୍ରିକେଟ୍ ଟି-୨୦ର ଚାହିଦା ବେଶ୍ ବଢ଼ିବାରେ ଲାଗିଛି, ଆଉ ଦିନକୁ ଦିନ ବିଶ୍ୱରେ କ୍ରିକେଟ୍ ଖେଳର ଦବଦବା ଦେଖିବାକୁ ମିଳୁଛି । ହେଲେ ବିଭିନ୍ନ କ୍ରିକେଟ୍ ବୋର୍ଡର କୋଚଙ୍କ ଦରମା ଆପଣ ଜାଣିଛନ୍ତି କି? କେଉଁ ଟିମର କୋଚ କେତେ ଟଙ୍କା ଦରମା ପାଉଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କ୍ରିକେଟ ଦୁନିଆରେ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ । ସେଥିପାଇଁ ବିସିସିଆଇ ତାଙ୍କ ମୁଖ୍ୟ କୋଚଙ୍କୁ ସବୁଠାରୁ ଅଧିକ ଦରମା ଦେଉଥିବା ରିପୋର୍ଟ କହୁଛି । ଏବେ ଭାରତୀୟ ପୁରୁଷ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଅଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ରାହୁଲ ଦ୍ରାବିଡ଼, ଆଉ ଦାବ୍ରିଡ ହିଁ ଏବେ ବିଶ୍ୱ କ୍ରିକେଟ୍ ଦୁନିଆରେ ସବୁଠାରୁ ଦାମୀ କୋଚ୍ ଭାବେ ଦରମା ପାଉଛନ୍ତି । ୫୧ ବର୍ଷୀୟ ରାହୁଲ ଦ୍ରାବିଡ଼ ବିସିସିଆଇ ସହ ଚୁକ୍ତି ମୁତାବକ ବାର୍ଷିକ ୧୦ କୋଟି ଟଙ୍କା ଦରମା ପାଉଥିବା ବୋର୍ଡ ସୂଚନା ଦେଇଛି ।

ରାହୁଲ ଦ୍ରାବିଡ଼ଙ୍କ ପରେ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଅଷ୍ଟ୍ରେଲିଆ ହେଡ୍ କୋଚ ଏଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ । ବିଦେଶୀ ଗଣମାଧ୍ୟମ ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡଙ୍କୁ ବାର୍ଷିକ ସାଢ଼େ ୬ କୋଟି ଟଙ୍କା ଦରମା ଦେଉଛି । ସେହିପରି ଦାମୀ କୋଚ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡ ଦଳର ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ । ନ୍ୟୁଜିଲାଣ୍ଡର ଏହି ପୂର୍ବତନ ବିସ୍ଫୋରକ ବ୍ୟାଟରଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୪ ବର୍ଷ ପାଇଁ ୧୬ କୋଟି ଟଙ୍କା ଦରମାରେ ଚୁକ୍ତି ସ୍ୱାକ୍ଷର କରିଛି । ଅପରପକ୍ଷେ ନ୍ୟୁଜିଲାଣ୍ଡ ଟିମର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟିଡ୍ଙ୍କୁ କିୱି କ୍ରିକେଟ୍ ବୋର୍ଡ ବାର୍ଷିକ ପାଖାପାଖି ୨ କୋଟି ଟଙ୍କା ବାର୍ଷିକ ଦରମା ଦେଉଛନ୍ତି । ୨୦୧୮ରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ ଗ୍ୟାରୀ ଷ୍ଟିଡ୍ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ତାଲିକାର ୫ମ ସ୍ଥାନରେ ଶ୍ରୀଲଙ୍କା କ୍ରିକେଟ୍ ଦଳର କ୍ରିସ୍ ସିଲଭରଉଡ୍ ଅଛନ୍ତି, ଯାହାଙ୍କୁ ସିଙ୍ଘଳ କ୍ରିକେଟ୍ ବୋର୍ଡ ବାର୍ଷିକ ୫୦ ଲକ୍ଷ ଟଙ୍କା ଦରମା ଦେଉଥିବା ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି ।

ତେବେ ବିଶ୍ୱ କ୍ରିକେଟ୍ ଜଗତରେ ରାହୁଲ ଦ୍ରାବିଡ ସବୁଠୁ ଦାମୀ କ୍ରିକେଟ୍ କୋଚ୍, ଆଉ କିଛିଦିନ ପରେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିସିସିଆଇ ନିୟମ ମୁତାବକ, ନୂଆ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ସହ ଚୁକ୍ତି ସ୍ୱାକ୍ଷର କରାଯିବ । ଯଦି ରାହୁଲ ଦ୍ରାବିଡ଼ କାର୍ଯ୍ୟକାଳ ଶେଷ ପରେ ପୁନଃ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବାକୁ ଚାହାନ୍ତି ତେବେ ତାଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବ ।