ଭୋକର ଭଉଁରୀ ଭିତରେ ଆଉଟୁ ପାଉଟୁ ଜୀବଜଗତ । ମୁହଁ ଖୋଲୁନି ବୋଲି ମାଗି ପାରୁନାହାନ୍ତି ପଶୁ । ତାଲାବନ୍ଦ ଥିବାରୁ ଭୋକ ଭର୍ତ୍ତି ପେଟରେ ତରଭୂଜକୁ ବି ଭାଗ ଭାଗ କରି ଖାଉଛନ୍ତି ମାଙ୍କଡ ପଲ । ଭୂତାଣୁ ଭୟ ଭିତରେ ସାମ୍ନାକୁ ଆସିଲା ଭୋକର ଭୟଙ୍କର ଚିତ୍ର

402

କନକ ବ୍ୟୁରୋ: ହାରୁଛି ଜୀବନ, ଜିତୁଛି ଭୋକ । ଭୋକର ଭଉଁରୀ ଭିତରେ ଜରି ଯାଉଛି ଜୀବନ, ଶରୀର ହେଉଛି ଶକ୍ତିହୀନ । କଥା କୁହା ଭୋକ ସିନା ପାଟି ଖୋଲି ପେଟକୁ ଖାଇବା ଦେଇ ପାରୁଛି … ହେଲେ ଯାହାର ପାଟି ଖୋଲୁନି ? ସିଏ କେମିତି ଦେଖାଇବ ତା ପେଟରେ ଜଳୁଥିବା ଭୋକର ଭୟଙ୍କର ନିଆଁକୁ… ଅସହାୟ ଆଖି, କରୁଣ ଚାହାଣୀ ଆଉ ପଶିଯାଇଥିବା ପେଟକୁ ଦେଖି ଯିଏ ଦେଲା ତାରି ହାତକୁ ଚାହିଁ ରହିଥାନ୍ତି ଭୋକ କଥା କହି ପାରୁନଥିବା ଏହି ପଶୁମାନେ ।

ତାଲାବନ୍ଦ ବେଳେ ଭୋକ ଉପାସରେ ବିତୁଛି ଅନେକ ପଶୁଙ୍କ ଜୀବନ । ସବୁକିଛି ବନ୍ଦ ଥିବାରୁ ଏମାନଙ୍କ ପେଟକୁ ବି ବନ୍ଦ ହୋଇଛି ଦାନା । ହେଲେ କେବେ କେବେ ଯଦି କାହା ପାଖରୁ ଖାଇବା ମିଳିଯାଏ ତେବେ ମୁହଁ ଆଗରେ ଅମୃତର ହାଣ୍ଡି ମିଳିଲା ପରି ଲାଗେ । ମିଳିଥିବା ଖାଦ୍ୟକୁ ମନ ଭରି ଖାଆନ୍ତି, ଦେଇଥିବା ଲୋକକୁ ମନେ ମନେ ଭଗବାନ ଭାବନ୍ତି । ଏଇ ଯେମିତି ଭୋକ ମେଣ୍ଟାଇବାକୁ ତାଲାବନ୍ଦ ବେଳେ ତରଭୂଜ ଖାଉଛନ୍ତି ମାଙ୍କଡ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭୋକର ଏ ଭୟଙ୍କର ଦୃଶ୍ୟ ପୂରିଲା ପେଟଙ୍କୁ ମଣିଷପଣିଆର ଆହ୍ୱାନ ଦେଉଛି ।

ମଣିଷଙ୍କୁ ଘାରିଛି ଭୂତାଣୁର ଭୟ, ପଶୁଙ୍କୁ ଘାରିଛି ଭୋକର ଭୟ । ସଂକ୍ରମଣ ରୋକିବାକୁ ସାରା ବିଶ୍ୱ, ସାରା ଦେଶ ଘରେ ରହିଥିବା ବେଳେ ବାହାରେ ବୁଲୁଛନ୍ତି ଶହ ଶହ ଭୋକିଲା ପଶୁ । ଗଳି କନ୍ଦି, ରାସ୍ତା ଘାଟ, ଛକ ବଜାର ସବୁଆଡେ ପଶୁପକ୍ଷୀଙ୍କ ଭୋକିଲା ଗୁହାରୀ, ଖାଦ୍ୟର ନିବେଦନ । ଘରେ ରହି ମଣିଷ ସିନା ରାନ୍ଧିବାଢି ଖାଇ ପାରୁଛି । ହେଲେ ଏମାନଙ୍କ ପାଇଁ ମନ୍ଦିର ବନ୍ଦ, ହୋଟେଲ ବନ୍ଦ । କେଉଁଠୁ ମିଳିବ ଭୋକର ଜ୍ୱାଳାକୁ ଶାନ୍ତ କରିବାକୁ ସଞ୍ଜିବନୀ । ତେଣୁ ତ ନିଜ ଅସହାୟତା କହିବାକୁ ମଣିଷ ପାଖକୁ ଧାଇଁ ଆସେ ପଶୁଙ୍କ ଭୋକ ଭର୍ତ୍ତି ପେଟ ।

ଅବଶ୍ୟ ସଙ୍କଟ ସମୟରେ ସମାଜରୁ ମରିଯାଇନି ମଣିଷ ପଣିଆ । ଭୋକର ଡାକ ଶୁଣି ପାଖରେ ପହଞ୍ଚୁଛନ୍ତି ଭୋକିଲାଙ୍କ ଭଗବାନ । କିଏ ନିଜ ଦରମାରୁ କାଟି ପଶୁଙ୍କୁ ବିସ୍କୁଟ ଖୁଆଉଛି ତ ପୁଣି କିଏ ବୁଲା ପଶୁଙ୍କ ପେଟ କଥା ବୁଝି ରନ୍ଧାଖାଦ୍ୟ ଦେଉଛି । ସରକାର ବି ବାହାରେ ବୁଲା ପଶୁମାନଙ୍କ ଖାଦ୍ୟ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଅସାଧାରଣ ପରିସ୍ଥିତିରେ ପାଟି ଖୋଲି କହି ପାରୁନଥିବା ଏଇ ଭୋକିଲା ପଶୁଙ୍କ ପାଇଁ ମଣିଷ ଜାତି ଆଗେଇ ଆସିବା ଦରକାର ? ଖାଇବା ଥାଳିରେ ଖାଦ୍ୟ ନଷ୍ଟ ନକରି ଭୋକରେ ଆଉଟୁ ପାଉଟୁ ହେଉଥିବା ଏ ପଶୁଙ୍କ ପେଟରେ ଦେବା ଦରକାର ? କାରଣ ପଶୁ ହେଲେ ବି ଏମାନଙ୍କ ଦେହରେ ଜୀବନ ଅଛି…