ନକଲି ଜିନିଷ: ଜାଣିବେ କେମିତି?

କଥା ହେଉଛି- ନକଲି ଅଛି ବୋଲି ଅସଲିକୁ ପ୍ରମାଣ ଦେବାକୁ ପଡୁଛି

602
ଆପଣମାନେ ବିଭିନ୍ନ ସାମଗ୍ରୀର ବିଜ୍ଞାପନ ଦେଖୁଥିବେ । ଲକ୍ଷ୍ୟ କରିଥିବେ ଅନେକ ବିଜ୍ଞାପନରେ ଗ୍ରାହକଙ୍କ ପାଇଁ ସତର୍କବାଣୀଟିଏ  ଥାଏ । ଯେମିତି କି, ନକଲି ପ୍ରତି ସାବଧାନ । ଅସଲି ସାମଗ୍ରୀ କିଣନ୍ତୁ ଇତ୍ୟାଦି । କଥା ହେଉଛି- ନକଲି ଅଛି ବୋଲି ଅସଲିକୁ ପ୍ରମାଣ ଦେବାକୁ ପଡୁଛି । ନକଲିର ପ୍ରାର୍ଦୁଭାବ ଏତେ ବଢ଼ି ଯାଇଛି ଯେ, ଅସଲି ଓ ନକଲି ଭିତରେ ଫରକ୍ ଜାଣିବା ବେଳେ କଷ୍ଟକର ହୋଇପଡୁଛି । ଆପଣମାନେ ଦେଖିଥିବେ ନିକଟରେ କଟକରୁ କେଉଁ ଭଳି ଭାବେ ନକଲି ସାମଗ୍ରୀ ସବୁ ଠାବ ହେଲା । ଖାଇବା ସାମଗ୍ରୀରୁ ଆରମ୍ଭ କରି ବ୍ୟବହାର କରିବା ସାମଗ୍ରୀ ଯାଏଁ ସବୁ ନକଲି ଜିନିଷ ସାମ୍ନାକୁ ଆସିଲା । ଏତିକି ବେଳେ ପ୍ରଶ୍ନ ଉଠୁଛି-ଆପଣ ବ୍ୟବହାର କରୁଥିବା ସାମଗ୍ରୀ ବା ଖାଦ୍ୟ ପଦାର୍ଥ ଅସଲି କି ନକଲି ଜାଣିବେ କେମିତି? ଆଜି ଅସଲି ସାମଗ୍ରୀ ଚିହ୍ନିବାର କିଛି ସରଳ ବାଟ ଆପଣଙ୍କ ସାମ୍ନାରେ ରଖିବାକୁ ଚାହଁବୁ ।
ଅସ୍ୱାଭାବିକତା: ସାମଗ୍ରୀକୁ ନେଇ ଆପଣ ଅସ୍ୱାଭାବିକତା ଲକ୍ଷ୍ୟ କରୁଛନ୍ତି କି? ଅସ୍ୱାଭାବିକତା ଅର୍ଥାତ୍ ସାମଗ୍ରୀର ଓଜନ, ସାମଗ୍ରୀର ମୂଲ୍ୟ, ସାମଗ୍ରୀର ଆକୃତି ଇତ୍ୟାଦିରେ କିଛି ବିଲକ୍ଷଣ ଦେଖୁଛନ୍ତି କି? ଯଦି ସେଭଳି କିଛି ନଜରକୁ ଆସୁଛି ତେବେ ସାମଗ୍ରୀ କିଣିବା ପୂର୍ବରୁ ଆଉ ଥରେ ପରଖି ନିଅନ୍ତୁ । ହୁଏତ, ଆପଣଙ୍କ ହାତରେ ନକଲି ସାମଗ୍ରୀ ଥାଇପାରେ ।
ଅକ୍ଷର: ସାମଗ୍ରୀ କିଣିଲା ବେଳେ ବ୍ରାଣ୍ଡର ନାଁକୁ ଭଲ ଭାବରେ ପଢନ୍ତୁ । ଅଧିକାଂଶ ସମୟରେ ଆପଣ ବ୍ୟବହାର କରୁଥିବା ସାମଗ୍ରୀ କିମ୍ବା ବ୍ରାଣ୍ଡର ନାଁ ଇଂରାଜୀରେ ଲେଖାଯାଏ । ଆଉ ନକଲି ସାମଗ୍ରୀର ନାଁକୁ ଏଭଳି ଢଙ୍ଗରେ ଲେଖାଯାଇଥାଏ ଯେ, ବେଳେବେଳେ ଆପଣ ଝୁଂଟିବା ସ୍ୱାଭାବିକ । ଅବିକଲ ଅସଲି ବ୍ରାଣ୍ଡର ନାଁ ଭଳି ଦେଖାଯାଉଥିବ । କିନ୍ତୁ ଭଲ କରି ଦେଖିଲେ, ନାଁରେ କିମ୍ବା ଇଂରାଜୀ ଅକ୍ଷରରେ କିଛି ବିସଙ୍ଗତି ଲକ୍ଷ୍ୟ କରିବେ । ତେଣୁ ସାମଗ୍ରୀ କିଣିବା ପୂର୍ବରୁ ସତର୍କ ହେବା ପ୍ରତିଟି ଖାଉଟି ପାଇଁ ଜରୁରୀ ।
ମୂଲ୍ୟ: ଆପଣ କିଣିବାକୁ ଯାଉଥିବା ସାମଗ୍ରୀର ଅନୁମାନିକ ଦାମ କେତେ ହୁଏତ ଆପଣଙ୍କ ଆକଳନରେ ଥିବ । କିନ୍ତୁ ସେହି ଆକଳନ ମୂଲ୍ୟ କିମ୍ବା ନିର୍ଦ୍ଧିଷ୍ଟ ମୂଲ୍ୟରୁ ଢ଼େର କମ ଥିଲେ ଆପଣ ସନ୍ଦେହ କରନ୍ତୁ । କାହିଁକି ସାମଗ୍ରୀର ଏତେ ଦାମ କମ? ଏହାର କାରଣ କ’ଣ? ଉଦହାରଣ ସ୍ୱରୁପ- ଧରିନିଅନ୍ତୁ, ବଜାରରେ ପନିର ଦାମ କିଲୋପିଛା ୨ଶହ ଟଙ୍କା । ଆପଣଙ୍କୁ ଯଦି କିଏ ଶହେ ଟଙ୍କାରେ ଜାଚୁୁଛି, ତେବେ ହୁଏତ ଏଥିରେ କିଛି ଗଡ଼ବଡ଼ ଥାଇପାରେ । ଏଭଳି ସ୍ଥିତି ଉପୁଜିଲେ ସତର୍କ ରୁହନ୍ତୁ ।
ବ୍ରାଣ୍ଡ୍/ହଲ୍ ମାର୍କ/ ଲୋଗୋ: ଆପଣ କୌଣସି ସାମଗ୍ରୀ କିଣିବା ପୂର୍ବରୁ ସଂପୃକ୍ତ ସାମଗ୍ରୀର ଉତ୍ପାଦନ କରୁଥିବା କଂପାନୀ ବ୍ରାଣ୍ଡ, ଲୋଗୋ କିମ୍ବା ହଲମାର୍କକୁ ଥରେ ପରଖି ଦେଖନ୍ତୁ । ଯଦି ଏଥିରେ କୌଣସି ବିସଙ୍ଗତି ଲକ୍ଷ୍ୟ କରନ୍ତି, ତେବେ ଦେକାନୀଙ୍କୁ ପଚାରନ୍ତୁ । ଏହା ପରେ ବି ଯଦି ସନ୍ଦେହ ଆସେ ସାମଗ୍ରୀ କିଣିବାଠାରୁ ଦୂରେଇ ରୁହନ୍ତୁ କିମ୍ବା ବିଶ୍ୱାସଯୋଗ୍ୟ ବ୍ରାଣ୍ଡକୁ ବାଛନ୍ତୁ ।
ଛୁଇଁବା/ଚାଖିବା: କୌଣସି ଖାଦ୍ୟ ସାମଗ୍ରୀ କିଣୁଥିଲେ ଛୁଇଁକି ଦେଖନ୍ତୁ । ଆବଶ୍ୟକ ହେଲେ କିମ୍ବା ସୁଯୋଗ ଥିଲେ ସ୍ୱାଦକୁ ପରଖି ଦେଖନ୍ତୁ । ଯଦି ଆପଣଙ୍କୁ ଆପଣଙ୍କ ଆଳକନଠାରୁ ଭିନ୍ନ ଲାଗୁଛି ଦେବେ ସାମଗ୍ରୀର ତନଖି କରନ୍ତୁ । କାରଣ ଖାଇବା ସାମଗ୍ରୀ ବାଛିବାରେ ସାମାନ୍ୟ ହେଳା କଲେ, ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ ।
ଆଶା କରୁଛୁ, ନକଲି ପରଖିବାର ଏହି ୫ଟି ସରଳ ବାଟ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ଆପଣ କିଣୁଥିବା ସାମଗ୍ରୀରେ ଏଭଳି କୌଣସି ତ୍ରୁଟି ପାଇଲେ ପ୍ରଶାସନର ନଜରକୁ ଆଣନ୍ତୁ, ଯାହା ଫଳରେ ନକଲି ପସରା ମେଳାଇଥିବା ଅସାଧୁ ବ୍ୟବସାୟୀ ବାଟକୁ ଆସିପାରିବେ । ଗ୍ରାହକ ହିସାବରେ ଆମେ ସଚେତନ ହେଲେ ଏବଂ ପ୍ରଶାସନକୁ ସହଯୋଗ କଲେ, ହୁଏତ କିଛି ମାତ୍ରରେ ନକଲି ବ୍ୟବସାୟୀଙ୍କ ଦୌରାତ୍ମ୍ୟ କମି ପାରିବ ।