କନକ ବ୍ୟୁରୋ: ମୁଁ ଏବେ ନିରାଶ୍ରୟ...ରାଜଧାନୀ ଭୁବନେଶ୍ୱରରେ ରହିବାକୁ ମତେ ଅନୁମତି ନାହିଁ । ମତେ ରହିବାକୁ ଜାଗା ଟିକେ ମିଳିବ କି ? ମୁଁ ରହୁଥିବା ଗଛ କାଟି ଦିଆଯାଇଛି । ମୁଁ କେଉଁଠି ରହିବି? କେହି ଉତ୍ତର ଦେବେ କି ?
ହଁ , ଯଦି ସେ ମଣିଷ ହୋଇଥାନ୍ତା ହୁଏତ ଆଜି ନିଜ ଘର ପାଇଁ ଏଭଳି ନିବେଦନ କରିଥାନ୍ତା । ରାସ୍ତା ଉପରେ ଆନ୍ଦୋଳନ କରିଥାନ୍ତା ପ୍ଲା କାର୍ଡ ଧରି ବିକ୍ଷୋଭ କରିଥାନ୍ତା । ନିରାଶ୍ରୟଙ୍କ ପାଇଁ ରାଜନୀତି ବି ଆରମ୍ଭ ହୋଇସାରିଥାନ୍ତା । କିନ୍ତୁ ଏହି ନୀରିହ ବଗମାନଙ୍କର ଚିକ୍ରାର ଶୁଣିବାକୁ ଯେମିତି କାହାରି ପାଖରେ ସମୟ ନାହିଁ ।
ଏହି ବଗମାନେ କେଉଁଠି ରହିବେ କେହି ବୁଝିଲେ ନାହିଁ । ଗଛ କଟା ହେଲା ପରେ ଏଣେ ତେଣେ ପଡି ରହିଲେ ବଗ । କିଛି ଗଛ ତଳେ ତ କିଛି ଛାତ ଉପରେ । ପାଖରେ ଥିବା ପୁରୁଣା ଗାଡି ତଳେ ବି କିଛି ଆଶ୍ରୟ ନେଲେି । କାଳେ କେହିି ପୁଣି ଆସି ଆକ୍ରମଣ କରିଦେବ , ସେହି ଭୟରେ ଚୁପଚାପ ପଡି ରହିଲେ ବଗ ।
ଏସବୁ ଦେଖି ସାହାଯ୍ୟର ହାତ ବଢାଇଲେ କିଛି ସ୍ୱେଛାସେବୀ । ଛଟପଟ ହୋଇ ପଡିଥିବା ବଗ କୁ ଉଦ୍ଧାର କଲେ । ଉଦ୍ଧାର ବଗକୁ ବନ ବିଭାଗର କର୍ମଚାରୀ ନନ୍ଦନକାନନରେ ଛାଡିଛନ୍ତି । କିନ୍ତୁ ଭୁବନେଶ୍ୱରର ବରଗଡ ବ୍ରିଟ କଲୋନୀର ଏହି ଦୃଶ୍ୟ ବୁଝାଇ ଦେଉଛି ଯେ , ଏହି ସ୍ମାର୍ଟ ସିଟିରେ ଏଭଳି ନିରୀହ ପକ୍ଷୀଙ୍କ ରହିବା ପାଇଁ ସ୍ଥାନ ନାହିଁ ।