ବିଛଣାରେ ସ୍ୱାମୀ, ପାଠପଢ଼ା ଛାଡ଼ି ଖଟୁଛି ପୁଅ । ଅଗଣାରେ ଲୁହ ଗଡ଼ାଉଛନ୍ତି ପତ୍ନୀ, ସରକାର ସାହାଯ୍ୟ କଲେ ହସିଉଠିବ ଅସହାୟ ପରିବାର ।

133

କନକ ବ୍ୟୁରୋ: ରୋଜଗାରିଆ ଲୋକକୁ ମାଡ଼ି ବସିଛି ରୋଗ । ଅସହାୟ ପରିବାର, ସବୁ ଆଶା ଭାଙ୍ଗି ହୋଇଯାଉଛି ଚୁରମାର । ପାଖରେ ପଇସା ନାହିଁ ବୋଲି ବିଛଣାରେ ସ୍ୱାମୀ, ଅଗଣାରେ ଭାଗ୍ୟକୁ ଆଦରି ଲୁହ ଗଡ଼ାଉଛନ୍ତି ସ୍ତ୍ରୀ ।

କେନ୍ଦ୍ରାପଡା ଗରଦପୁର ବ୍ଲକ ତିକନପୁର ଗାଁରେ ନିଜ ପରିବାର ସହିତ ରୁହନ୍ତି ପ୍ରଶାନ୍ତ ମଲ୍ଲିକ । ପରିବାର କହିଲେ ପ୍ରସାନ୍ତ, ତାଙ୍କ ପତ୍ନୀ ରୀତା ଏବଂ ଦୁଇ ସନ୍ତାନ । ପ୍ରଶାନ୍ତ ଜଣେ ଭଲ ଗାଡି ମେକାନିକ ବୋଲି ଦୀର୍ଘଦିନ ଧରି ମୁମ୍ବାଇରେ କାମକରି ପରିବାର ପୋଷୁଥିଲା । ହସଖୁସିରେ ତଳୁଥିବା ପରିବାର ଉପରେ ହଠାତ୍ ଦଇବ ଲଦିଦେଲା ଦୁଃଖର ଦାରୁଣ ବୋଝ । ମୁମ୍ବାଇରେ ରହୁଥିବା ସମୟରେ ପ୍ରସାନ୍ତଙ୍କ ଦେହ ଖରାପ ହେବାରୁ ଡାକ୍ତରଙ୍କୁ ଦେଖାଇ ଯେତେ ଔଷଧ ଖାଇଲେ ମଧ୍ୟ ରୋଗ କମିବା ପରିବର୍ତ୍ତେ ଦିନକୁଦିନ ରୋଗ ବଢିବାକୁ ଲାଗିଲା । ଶେଷରେ ଅନେକ ପରୀକ୍ଷା ନୀରିକ୍ଷା କରିବା ପରେ ରିପୋର୍ଟରୁ ଜଣାପଡ଼ିଲା ଯେ, ପ୍ରଶାନ୍ତଙ୍କ ଅଣ୍ଟାର ଦୁଇଟି ଶିର ନଷ୍ଟ ହୋଇଯାଇଛି । ସେବେଠୁ ଘରକୁ ଫେରି ଶଯ୍ୟାଶାୟୀ ଘରର ମେରୁଦଣ୍ଡ ।

ଘରର ମୂରବୀ ବିଛଣାରେ ପଡିରହିବା ଫଳରେ ଟଙ୍କାଟିଏ ରୋଜଗାର ନଥିବାରୁ ଘରର ଆର୍ଥିକ ଅବସ୍ଥା ପୂରା ବିଗିଡି ଯାଇଛି । କେବଳ ଘରଡିହକୁ ଛାଡିଦେଲେ ମାସକୁ ୨୦ କେଜି ସରକାରୀ ଚାଉଳ ଓ ୧୨ଶହ ଭତ୍ତାରେ ଟଙ୍କାରେ ଚଲୁଛି ପୁରା ପରିବାର । ପାଖରେ ପଇସା ନଥିବାରୁ ଔଷଧ ଟିକେ ଖାଇପାରୁନାହାନ୍ତି ସ୍ୱାମୀ । ଘରର ଏପରି ଅବସ୍ଥା ଦେଖି ପୁଅ ପାଠ ପଢା ଅଧାରୁ ଛାଡି ବାହାରେ କାମଧନ୍ଦା କରି ପରିବାର ଚଳାଇବାପାଇଁ ଯାଇଛି ବୋଲି କୋହଭରା କଣ୍ଠରେ କହିଛନ୍ତି ପ୍ରସାନ୍ତଙ୍କ ପତ୍ନୀ ।

ଶଯ୍ୟାଶାୟୀ ପ୍ରସାନ୍ତଙ୍କ ଦୁଃଖ ଦୂର କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ପ୍ରାର୍ଥନା କରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ । ତେବେ ଆପଣ ଯଦି ଏ ଅସହାୟ ପରିବାରକୁ ସହାୟତାର ହାତ ବଢାଇବାକୁ ଚାହାନ୍ତି ତେବେ ଏହି ଠିକଣାରେ ସହାଯ୍ୟ କରିପାରିବେ…

ନାଁ ପ୍ରସାନ୍ତ ମଲ୍ଲିକ
ଏସବିଆଇ- ୪୦୩୨୭୪୩୧୭୨୩
ଆଇଏଫଏସସି କୋଡ୍- SBIN0009831
ମୋବାଇଲ୍ ନଂ- ୭୦୭୭୫୩୯୦୯୨