କନକ ବ୍ୟୁରୋ: ଚୁଲି ଜଳୁନି କିନ୍ତୁ ଜୀବନ ଜାଳୁଛି । ଫଟା କାନ୍ଥକୁ ଆଉଜି ହତାଶା ଭିତରେ ହାତରେ ବହି ଧରିଛନ୍ତି, ଗରିବି ଓ ଅନାଥର ଟ୍ୟାଗ୍ ଲିଭାଇବାକୁ ଲୁହକୁ ଲକ୍ଷ୍ମଣରେଖାରେ ରଖି, ଦୁହେଁ ଲେଖୁଛନ୍ତି ଆଉ ପଢୁଛନ୍ତି । ଏମାନଙ୍କ ବୋଝକୁ କାନ୍ଧରେ ଉଭୟ ବାପା-ମାଆ ସାଜି ବୋହି ଚାଲିଛି ତାଙ୍କ ୧୨ ବର୍ଷୀୟା ଭଉଣୀ । ପର ଘରେ ମୂଲ ଲାଗୁଛନ୍ତି କାମ ନମିଳିଲେ ଜଙ୍ଗଲଜାତ ଦ୍ରବ୍ୟକୁ ବିକିକି ଚଳୁଛନ୍ତି... ଆଖିକୁ ଓଦା କରିଦେବ ଅନାଥ ଛୁଆଙ୍କ କାହାଣୀ...

Advertisment

ଢେଙ୍କାନାଳ ଜୟପୁରା କାଦବସନ୍ତ ଗାଁର ଶ୍ରୀକାନ୍ତ ପ୍ରଧାନ, ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଏହାର କିଛି ଦିନରେ ସ୍ତ୍ରୀ କେଉଁଆଡେ ଚାଲିଗଲେ । ଏହାପରେ ଆରମ୍ଭ ହେଲା ବିଧାତାର ଅତି ଦୟନୀୟ ଅତ୍ୟାଚାର, କାରଣ ଏବେ ଏହି ୧୨ ବର୍ଷର ଝିଅ କାନ୍ଧରେ ପରିବାରର ବୋଝ । ମୂଲଲାଗି ତିନି ଭାଇ ଭଉଣୀଙ୍କ ସହ ଜେଜେମାଆର ଭରଣ ପୋଷଣ କରୁଛି । ଢେଙ୍କାନାଳ ଜୟପୁରା କାଦବସନ୍ତ ଗାଁର ଏହି ୩ ଅନାଥ ଶିଶୁ ଏବେ ଜୀଇଁବାକୁ ସଂଘର୍ଷ କରୁଛନ୍ତି ।

ଏପଟେ ସରକାରୀ ସହାୟତା କହିଲେ ୧୦ କେଜି ଚାଉଳ । ଆଉ ସେହି ତାକୁନେଇ ତିନି ଭାଈ ଭଉଣୀ ଓ ବୃଦ୍ଧ ଜେଜେମାଆ ଚଳୁଛନ୍ତି । ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଗଲାପରେ ଦଇବ ଦେଇଥିବା ଏ ବୋଝକୁ ବୋହୁଛି ୧୨ ବର୍ଷର ଝିଅ । ଦିନେ ଖାଇଲେ ଆର ଓଳିକୁ ଓପାସ ରହିବାକୁ ପଡୁଛି । ଏକ ଦଦରା ଚାଳ ଘରେ ଦହଗଞ୍ଜ ହେଉଛି କୁନି ପରିବାର ।

ଘର ଚଳାଇବା ସାଙ୍ଗକୁ ଛୋଟ ଭାଇ ଭଉଣୀଙ୍କୁ ପାଠ ପଢାଇବାକୁ ସେ ଭୁଲନ୍ତି ନାହିଁ । ଯେତେ କଷ୍ଟ ହେଲେ ବି କାହାକୁ ବାପ-ମାଆ ଛେଉଣ୍ଡ ବୋଲି ଭାବିବାକୁ ଦିଅନ୍ତିନି । କାଦମଲ୍ଲିଙ୍କ କରୁଣ କାହାଣୀ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ କୁହନ୍ତି, ଏନେଇ ପର୍ଜଙ୍ଗ ବିଡିଓଙ୍କୁ କୁହାଯାଇଛି ଏକ ଟିମ ସେ ଗାଁକୁ ଯିବ । ତାଙ୍କ ସହ ଆଲୋଚନା କରି,ତାଙ୍କ ପରିବାର କିପରି ସମସ୍ତ ସରକାରି ସାହାଯ୍ୟ ପାଇବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।
ଆମେ ଖବର ଦେଖାଇଲୁ, ଏବେ ସରକାର ନିଦ ଭାଙ୍ଗିବେ ଆଉ ପ୍ରଶାସନ କାଦମଲ୍ଲିଙ୍କୁ ପୂର୍ଣ୍ଣ ସହାୟତା ତୁରନ୍ତ କରିବେ ବୋଲି ଆମେ ଆଶାବାଦୀ ଅଛୁ ।