ମୃତ୍ୟୁ ପରର ଦୁଇଟି କାହାଣୀ । ଜେଲରେ ପୁଅ, ବାପାଙ୍କୁ ମୁଖାଗ୍ନି ଦେଲେ ସ୍ୱେଚ୍ଛାସେବୀ । ପୂର୍ଣ୍ଣ ହେଲା ଇଚ୍ଛା- ଝିଅ ଦେଲା ବାପା ମୁହଁରେ ନିଆଁ ।
କନକ ନ୍ୟୁଜ: ମୁଖାଗ୍ନି- ମୃତ୍ୟୁ ପରର ମୁଖ୍ୟ କର୍ମ, ଅନ୍ତିମ ସଂସ୍କାରର ପ୍ରାଥମିକ ପ୍ରକ୍ରିୟା । ମାନବ ସମାଜରେ ବିଶ୍ୱାସ ରହିଛି, ମୁଖାଗ୍ନି ମୋକ୍ଷ ପ୍ରାପ୍ତିର ପଥ ମଧ୍ୟ । ସନ୍ତାନ ହୁଅନ୍ତୁ ବା ସମ୍ପର୍କୀୟ ପ୍ରାଣହୀନ ଶରୀରରେ ମୁଖାଗ୍ନି ଦେବା ପରେ ହିଁ ସମ୍ପୂର୍ଣ୍ଣ ହୁଏ ଶବ ସକ୍ରାର । ତେବେ ମୁଖାଗ୍ନିକୁ ନେଇ ନବରଙ୍ଗପୁର ଏବଂ ପାଟଣାଗଡରୁ ଆସିଛି ଦୁଇଟି ଭିନ୍ନ ଭିନ୍ନ ଖବର । ଯାହା ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପୁଅ ତାମିଲନାଡୁ ଜେଲରେ ଆଉ ବାପା ଶବ ପାଲଟିଯାଇଛନ୍ତି ମେଡିକାଲ ବେଡରେ । ପାଟଣାଗଡ ବ୍ରହ୍ମପୁରାର ହର ତୁମୁନିଆ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ପୁଅ ତାମିଲନାଡୁ ଜେଲରେ ବନ୍ଦୀ ଜୀବନ କାଟୁଥିବା ବେଳେ ମୁଖାଗ୍ନି ପାଇଁ କିଛି ଉପାୟ ନଥିଲା । ଗତ କିଛି ବର୍ଷ ହେବ ସ୍ତ୍ରୀ ବି ଆରପାରିକୁ ଚାଲିଯାଇଛନ୍ତି । ଏମିତି ଏକ ଘଟିସନ୍ଧି ମୁହୂର୍ତ୍ତରେ ଶବର ସାଥୀ ସାଜିଥିଲେ ସ୍ୱେଚ୍ଛାସେବୀ । ଡାକ୍ତରଖାନାରୁ ଶବକୁ ଚାରିକାନ୍ଧ ଦେଇ ଶେଷରେ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ । ଯାହାକୁ ଏବେ ସବୁଠି ପ୍ରଶଂସା କରାଯାଉଛି ।
ସେପଟେ ନବରଙ୍ଗପୁରରେ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଝିଅ ଦେଇଛି ବାପାଙ୍କୁ ମୁଖାଗ୍ନୀ । ରୁଢିବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ସାହସୀ ଝିଅ ରେଶମା । ହିନ୍ଦୁ ରୀତିନୀତି ଅନୁସାରେ ପୁଅ ମୁଖାଗ୍ନି ଦିଅନ୍ତି କିମ୍ବା ଘରେ ପୁଅ ନଥିଲେ ସମ୍ପର୍କୀୟ ପୁରୁଷ ଲୋକ ହିଁ ମୃତଦେହରେ ମୁଖାଗ୍ନି ଦିଅନ୍ତି । ହେଲେ କଟେଶ୍ୱର ରାଓଙ୍କ ଘରେ ପୁଅ ନଥିବାରୁ ଶେଷ ସମୟରେ ଝିଅ ହିଁ ମୁଖାଗ୍ନୀ ଦେଉ ବୋଲି ତାଙ୍କର ଶେଷ ଇଛା ଥିଲା । ଆଉ ସେ ଜଣେ ସମାଜସେବୀ ହୋଇଥିବାରୁ ସମାଜରେ ସଂସ୍କାର ଆଣିବାକୁ ଏମିତି ନିଷ୍ପତ୍ତି ନେଇଥିଲେ ।
ପୁଅ ଝିଅରେ ଫରକ ଦେଖୁନଥିବା କଟେଶ୍ୱର ନିଜ ମୃତ୍ୟୁ ପରେ ତାଙ୍କୁ ତାଙ୍କ ଝିଅ ମୁଖାଗ୍ନି ଦେଉ ବୋଲି ଇଚ୍ଛା ରଖିଥିଲେ । ତେଣୁ ତାଙ୍କ ବଡ ଝିଅ ରେଶମା ବାପାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ତେବେ ମୁଖାଗ୍ନିକୁ ନେଇ ଏହି ଦୁଇଟି ଘଟଣା ମଣିଷ ସମାଜରେ ଭିନ୍ନ ଏକ ବାର୍ତ୍ତା ଦେଇଛି ।