କନକ ବ୍ୟୁରୋ: ଆଇପିଏସ୍-ଆଇଏଏସଙ୍କ ସଫଳତା କାହାଣୀ ଜାଣିବାକୁ ଯୁବପୀଢ଼ି ସବୁବେଳେ ଆଗ୍ରହୀ ଥାଆନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇପିଏସଙ୍କ ବିଷୟରେ କହିବୁ ଯାହାଙ୍କ ଜୀବନ କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ଫିଲ୍ମ 12TH Fail ।
ମଧ୍ୟପ୍ରଦେଶ ମୋରେନାର ଆଇପିଏସ୍ ଅଧିକାରୀ ମନୋଜ ଶର୍ମା । ସଂଘର୍ଷରୁ ସଫଳତା ପାଇଥିବା ଜଣେ ଆଦର୍ଶ ଆଇପିଏସ୍ ଅଫିସର । ପିଲାଦିନ ଗରିବୀରେ କଟିଛି, ପାଠ ପଢ଼ାରେ ବି ଏତେ ରୁଚି ରଖୁନଥିଲେ ମନୋଜ । ଯେଉଁଥିପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଥିଲେ । କିନ୍ତୁ ସେ କେବେ ଜୀବନର ଯୁଦ୍ଧରେ ହାରିନଥିଲେ । ଜୀବନ ଜୀବିକା ପାଇଁ ଅଟୋ ଚଳାଇଛନ୍ତି, ଭିକାରୀଙ୍କ ଗହଣରେ ରାତି କାଟିଛନ୍ତି, ଏମିତି ବେଳେ ବେଳେ ଧନୀ ଲୋକଙ୍କ କୁକୁରର ୱାକର ବୟ ମଧ୍ୟ ସାଜି ସଫଳତାର ଶୀର୍ଷରେ ପହଁଚିଛନ୍ତି ।
ମନୋଜ ଶର୍ମା ଦ୍ୱାଦଶ ଶ୍ରେଣୀରେ ପ୍ରେମରେ ପଡ଼ିଥିଲେ । ହେଲେ ଦ୍ୱାଦଶରେ ଫେଲ୍ ହୋଇଯିବାରୁ ପ୍ରେମ ନିବେଦନ କରିବାକୁ ସାହସ ପାଇଲେନି । କିଛିଦିନ ପରେ ସାହସ ଜୁଟାଇ ବାନ୍ଧବୀଙ୍କୁ ପଚାରିଥିଲେ ତୁମେ ଯଦି ହଁ କୁହ ମୁଁ ତୁମ ପାଇଁ ସବୁକିଛି କରିଦେବି । ଏହାପରେ ଉଭୟ ବିବାହ କରିଥିଲେ ଏବଂ ତା’ପରେ ମନୋଜ ରାତିଦିନ ଏକ କରି ପାଠପଢ଼ିଲେ । ୟୁପିଏସସି ପରୀକ୍ଷାରେ ତିନିଥର ବିଫଳ ହେବା ପରେ ଚତୁର୍ଥ ପ୍ରୟାସରେ ସର୍ବଭାରତୀୟ ୧୨୧ତମ ର୍ୟାଙ୍କ୍ ହାସଲ କରିଥିଲେ ମନୋଜ । ଆଉ ବନିଗଲେ ଆଇପିଏସ୍ ଅଫିସର । ତେବେ ମନୋଜଙ୍କ ପତ୍ନୀ ଶ୍ରଦ୍ଧା ମଧ୍ୟ ଜଣେ ଆଇଆରଏସ ଅଧିକାରୀ ।
୨୦୦୫ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ମନୋଜ କୁମାର ଶର୍ମା । ତାଙ୍କ ଜୀବନ କାହାଣୀ ଏତେ ସଂଘର୍ଷମୟ ଯେ’ ତାଙ୍କ ଉପରେ ’12TH Fail’ ନାମକ ପୁସ୍ତକ ଲେଖିଛନ୍ତି ପ୍ରଖ୍ୟାତ ଲେଖକ ଅନୁରାଗ ପାଠକ । ଯାହାର ଶୀର୍ଷକ ହେଉଛି ‘ହାରା ୱହି ଜୋ ଲଢ଼ା ନେହିଁ’ । ଏହି ପୁସ୍ତକୁ ନେଇ ଏବେ ବଲିଉଡ ଫିଲ୍ମ ’12TH Fail’ ପ୍ରସ୍ତୁତ ହୋଇଛି । ଯାହା ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି । ମୁନ୍ନା ଭାଇ ଏମବିବିଏସ ଭଳି ଫିଲ୍ମର ନିର୍ଦ୍ଦେଶକ ବିଦୁ ବିନୋଦ ଚୋପ୍ରା ଏହି ଆଇପିଏସଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି । ଏବେ ଏହାର ଟିଜର ରିଲିଜ୍ ହୋଇଥିବା ବେଳେ ଯୁବପୀଢ଼ିଙ୍କ ମଧ୍ୟରେ ଏହି ଆଇପିଏସଙ୍କ ପ୍ରେରଣାଦାୟୀ କାହାଣୀକୁ ଜାଣିବା ପାଇଁ ବେଶ୍ ଉତ୍କଣ୍ଠା ରହିଥିବା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ।