ଛଅ’ ନମ୍ବର ହସ୍ପିଟାଲରେ ଛଟପଟ ହେଉଥିଲା ବଣିଛୁଆ । ପକ୍ଷୀର ଅବୁଝା ଭାଷା ବୁଝି ଟାଇଁ ଟାଇଁ ଖରାରେ ପାଣି ପିଆଇ ଜୀବନ ବଞ୍ଚାଇଲା ମଣିଷ । ରାଜଧାନୀ ଛାତିରେ ପୁଣି ଲେଖାହେଲା ବଣି- ମଣିଷର ବନ୍ଧୁତା…

669

କନକ ବ୍ୟୁରୋ: ଧନ ତୁ କୁଆଡେ ଗଲୁରେ… କେଉଁଠି ଅଛୁ, କୁଆଡେ ଯାଇଛୁ… ତତେ ଖୋଜି ଖୋଜି ମୋ ଜୀବନ ବାହାରି ଗଲାଣି, ମୋ ନିଶ୍ୱାସ ଅଟକି ଗଲାଣି… ଫେରିଆରେ ଧନ ଫେରିଆ… ହେ ଭଗବାନ ! ମୋ ଛୁଆକୁ ରକ୍ଷା କର… ତାକୁ ଫେରାଇ ଆଣ…

ମୁଣ୍ଡ ଉପରେ ଧୁ ଧୁ ଖରା, ମନ ଭିତରେ ଛୁଆ ପାଇଁ ଆଶଙ୍କା, ଛାତି ଧଡଧଡ । ବସା ଭିତରୁ କୁଆଡେ ପଳାଇଛି ବଣି ଛୁଆ । ଟିକି ଚଢେଇକୁ ଖୋଜି ଖୋଜି ନୟାନ୍ତ ହେଲାଣି ମାଆ । ନା ଛୁଆ ଫେରୁଛି, ନା ତା ପତ୍ତା ମିଳୁଛି । ଖରା ଯେତେଯେତେ ବଢୁଛି, ମାଆ ମନକୁ ଅଶୁଭ ସେତେ ସେତେ ଛୁଉଁଛି । ଆଉ ଗଛ ଡାଳରୁ ଭଗବାନଙ୍କୁ ଡାକି ଡାକି ଏମିତି ଚିତ୍କାର କରୁଛନ୍ତି ଅସହାୟ ବଣି ବାପାମାଆ…

ଅସହ୍ୟ ତାତିରେ ଯେତେବେଳେ ବଣି ଚଢେଇର ତଣ୍ଟି ସୁଖି ଯାଇଛି । ପାଣି ପାଇଁ ସେ ବସାରୁ ବାହାରିଛି । ବାପାମାଆ ତ ଖାଦ୍ୟର ସନ୍ଧାନରେ, ଶୋଷ ହେଲେ ପାଣି ଦେବ କିଏ ? ତଥାପି ବାହାର ଦୁନିଆରେ କେହି ତ ଥିବେ ଭଲ ମଣିଷ ଯିଏ ମୁହଁରେ ମୁନ୍ଦେ ପାଣି ଦେବେ । ଏଇ ଆଶା ନେଇ କୁଟାକାଠିର ବସାରୁ ଯେତେବେଳେ ଗୋଡ କାଢିଛି ସେତେବେଳେ ତଳକୁ ଖସିପଡିଛି ଚଢେଇ ଶାବକ । ଗଛରୁ ପଡିବା ପରେ ତା କଅଁଳ ଦେହରେ ଆଘାତ ଲାଗିଛି, ସରୁଆ ଗୋଡରେ ବି ଶକ୍ତି ନାହିଁ ପୁଣି ଥରେ ବସାକୁ ଉଡିଯିବାକୁ… ବାଧ୍ୟ ହୋଇ ମାଆବାପାଙ୍କ ଅପେକ୍ଷାରେ ଏହି ଗଛମୂଳରେ ପଡି ରହିଛି । ନା ଡାକି ପାରୁଛି, ନା ଚିତ୍କାର କରି କହି ପାରୁଛି ମାଆ ମୁଁ ଏଇଠି ଅଛି…

ସେପଟେ ପିଲାକୁ ନପାଇ ପାଗଳପ୍ରାୟ ବାପାମାଆ । ଅନେକ ସମୟ ଧରି ଆଖି ଆଗରେ ଏକୋଇର ବୋଲା ବିଶିକେଶନକୁ ନଦେଖି ବାପାମାଆ ଚିତ୍କାର କରୁଥିଲେ । ଆଉ ଦୁଇ ବଣି ଚଢେଇର କିଚିରି ମିଚିରି ଶବ୍ଦରେ ଫାଟିପଡୁଥିଲା ପୂରା ପରିବେଶ । ବଣି ଚଢେଇଙ୍କ ଏ ଅସହାୟତା ଦେଖି ରହି ପାରିନଥିଲା ମଣିଷ । ଚଢେଇ ବାପାମାଆଙ୍କ ଅବୁଝା ଭାଷା ବୁଝି ତାଙ୍କ ଛୁଆକୁ ତଳୁ ଉଠାଇଥିଲା ମଣିଷ । ଆଉ ତାପରେ ତମ ଛୁଆକୁ ନେଇଯାଅ ବୋଲି ହାତଠାରି କହିଥିଲା । ତୁଷାର୍ତ୍ତ କୁନି ବଣି ମୁହଁରେ ପାଣି ଦେଇ ସାଷ୍ଟାଙ୍ଗ କରିଥିଲା ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ମଣିଷ ।

ଅନ୍ୟପଟେ ଗଛ ଉପରୁ ନିଜ ଛୁଆକୁ ଦେଖି ଖୁସିରେ ଆତ୍ମହରା ହୋଇଥିଲେ ବଣି ବାପାମାଆ । ଛୁଆ ପାଖକୁ ଆସିବାକୁ ଉଡାଣ ଭରିଥିଲେ ବି ମନରେ ଭୟ ଥିଲା କାଳେ ତା ଛୁଆକୁ କିଏ ଶିକାର କରିବନି ତ. ମଣିଷ ମିଛ ସ୍ନେହ ଦେଇ ମୃତ୍ୟୁର ଜାଲ ବିଛାଇ ନଥିବ ତ ? ହେଲେ ମନରେ ହଜାରେ ଆଶଙ୍କା ମମତା ଆଗରେ ଉଭେଇ ଯାଇଥିଲା ଆଉ ବଣି ବାପାମାଆ ଆଖି ପିଛୁଳାକେ ଛୁଆ ପାଖେ ହାଜର ହୋଇଥିଲେ । ଶେଷରେ ଭୋକିଲା ପିଲା ପାଟିରେ ଖାଦ୍ୟ ଦେଇଥିଲା ମାଆ । ଆଉ ପରେ ତା ସୁନା ଧନକୁ ଗେଲ ପରେ ଗେଲ କରିଚାଲିଥିଲା । ଆଉ ଛୁଆକୁ ଉଦ୍ଧାର କରିଥିବାରୁ ମନେ ମନେ ମଣିଷକୁ ଧନ୍ୟବାଦ ଦେଉଥିଲା ଚଢେଇ ମାଆ । ସତରେ ମାଆର ମମତା ସବୁଠି ସମାନ । ମାଆ ଡାକ ସମସ୍ତଙ୍କ ପାଇଁ ମଧୁର । ମଣିଷ ସିନା ମା ମାଆ ଡାକେ, କିନ୍ତୁ ଚଢେଇ ଚିଁ ଚିଁ ଡାକରେ ତା ମାକୁ ଖୋଜେ, ମାଆ ବି ଛୁଆର ଏ ଡାକ ଶୁଣି ତା ପାଖକୁ ଧାଇଁଆସେ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରେ ଚଢେଇ ବାପାମାଆଙ୍କ ଏ ସ୍ନେହ ମମତାର ଚିତ୍ର ମଣିଷ ମନକୁ ଓଦା କରିଦେଇଛି ।