ମସ୍କୋରେ ମିଶିଲା ମନ, ପୁରୀରେ ପଡିଲା ହାତଗଣ୍ଠି । ଜଗାକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବାକୁ ଦରିଆ ପାରିରୁ ଆସିଲେ ବିଦେଶୀ । ହୋମନିଆଁ, ହିନ୍ଦୁ ରୀତିନୀତିରେ ବାହାବେଦୀରେ ହେଲା ବିଦେଶୀଙ୍କ ବାହାଘର…

851

କନକ ବ୍ୟୁରୋ: ହାତରେ ଶଙ୍ଖା, ମଥାରେ ସିନ୍ଦୂର, ପାଦରେ ଅଳତା ଆଉ ବେକରେ ବରଣମାଳା ପକାଇ ବାହାବେଦୀ ଉପରେ ବସିଥିବା ଏ ନବ ଦମ୍ପତି ଙ୍କୁ ଭଲକି ନଦେଖିଲେ  ଆପଣ ବି ଭ୍ରମରେ ପଡିଯିବେ କି ଏମାନେ ଓଡିଆ ନା ବିଦେଶୀ । ଶରୀରର ରଙ୍ଗ ଆଉ ମୁହଁର ଗଢଣକୁ ଛାଡି ଦେଲେ ବାକି ସବୁ ଓଡିଆ ଭଳି ଲାଗୁଛି । ଆଜ୍ଞା ହଁ ଦରିଆ ପାରି ଦେଶରୁ ଶ୍ରୀକ୍ଷେତ୍ରକୁ ଆସି ସିଂହଦୁଆରକୁ ସାକ୍ଷୀ ରଖି ସାତ ଜନମର ସାଥୀ ପାଲଟିଛନ୍ତି ରୁଷର ବିଦେଶୀ ଦମ୍ପତି ରୋମାନ ଓ ନାତାଲି ।

କୁହାଯାଏ ବିବାହ ସ୍ୱର୍ଗରୁ ସ୍ଥିର ହୋଇଥାଏ । କିଏ କେତେବେଳେ, କେଉଁଠି ଆଉ କାହାକୁ ବିବାହ କରିବ ତାହା ଉପରୁ ସ୍ଥିର ହୋଇ ଆସିଥାଏ । ବୋଧେ ସେଇଥିପାଇଁ ବିଦେଶରୁ ଆସି ବଡଦାଣ୍ଡରେ ବିବାହ କରିଛନ୍ତି ଏହି ବିଦେଶୀ ଯୁବକ ଯୁବତୀ । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କରି ନିଜ ଦାମ୍ପତ୍ୟ ଜୀବନ ସୁଖମୟ କରିବାକୁ ଜଗନ୍ନାଥ ଧାମରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ସେମାନଙ୍କ ପରିବାର ଲୋକେ କହିଛନ୍ତି ।

ରୋମାନ ଆଉ ନାତାଲି । ମସ୍କୋର ଏକ ଜନ୍ମାଷ୍ଟୀ ଉତ୍ସବରେ ମନ ଦିଆନିଆ ହୋଇଥିଲେ ଆଉ ପୁରୀରେ ହାତଗଣ୍ଠି ପକାଇ ପତିପତ୍ନୀ ସାଜିଲେ । କାୟ ମୋନ ବାକ୍ୟ ସହ ହୋମନିଆଁକୁ ସାକ୍ଷୀ ରଖି ଉଭୟ ଉଭୟଙ୍କୁ ନିଜର କରିଛନ୍ତି । ତେବେ ପୁରୀ ଗଙ୍ଗାମାତା ମଠରେ ଏଭଳି ଏକ ନିଆରା ବାହାଘର କରିଛି ବେଶ ଖୁସି ଅଛନ୍ତି ପୂରୋହିତ ।

ପ୍ରେମକୁ ସ୍ୱିକୃତୀ ଦେବାକୁ ସାତ ଦରିଆ ଡେଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ମସ୍କୋର ଏ ବିଦେଶୀ ପତିପତ୍ନୀ ବିବାହ ପରେ ପତିତପାବନ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି । ତେବେ ଓଡିଆ ପରମ୍ପରାରେ ବିଦେଶୀଙ୍କ ବିବାହକୁ ଏବେ ସବୁଠି ଚାଲିଛି ଚର୍ଚ୍ଚା ।