କନକ ବ୍ୟୁରୋ: ଫଟା କବାଟ, ଫଟା କପାଳ । ବିଛଣାରେ ପଡ଼ିଛି ମାଆ, ବାପା ଜାଳୁଛନ୍ତି ଜୀବନର ଚୁଲି । ପାରାଲିସିସ୍ ପାଦକୁ ଆବେଗର ଅଶ୍ରୁରେ ଆଉଁସି ଦେଉଛି ଅବିବାହିତା ଝିଅ । ଜୀବନ ମାନେ କ’ଣ, କେତେ ଯନ୍ତ୍ରଣାରେ ଜୁଝିବାକୁ ପଡ଼େ, ହୁଏତ କେନ୍ଦ୍ରାପଡ଼ା କୁତରଙ୍ଗର କାର୍ତ୍ତିକ ସେଠୀଙ୍କ ପରିବାରର ଦୁଃଖ, ଦୁର୍ଦ୍ଦଶା, ଅସହାୟତାକୁ ଦେଖିଲେ ଆପଣମାନେ ବୁଝିପାରିବେ ।

Advertisment

ଛଳ ଛଳ ଆଖିରେ ଦୁଃଖ, ଦୁର୍ଦ୍ଦଶା ଲୁହ । ସଂଘର୍ଷର ସିମେଣ୍ଟ କାନ୍ଥକୁ ଆଉଜି ବିଧାତାକୁ ଚାହିଁଛି ବାପା । କାହିଁକି ନା...ଘରେ ବଢ଼ିଲା ଝିଅ, ବିଛଣାରେ ଶଯ୍ୟାଶାୟୀ ସାତ ଜନମର ସାଥୀ । ଗୋଟିଏ ପଟେ ଝିଅର ବାହାଘର କେମିତି ହେବ? ଅନ୍ୟପଟେ ରୋଗୀଣା ସ୍ତ୍ରୀ ପାଇଁ ମେଡିସିନ୍ ଆଣିବି କେମିତି? ଭିକମାଗିଲେ ଭୋକ ମେଣ୍ଟୁଛି, ଝିଅକୁ ବାହାଦେଇ ବିଦା କରିବି କେମିତି? କଷ୍ଟକୁ କରୁଣ କଣ୍ଠରେ ବଖାଣିଛନ୍ତି ଜଣେ ଦାରିଦ୍ର ବାପା...

ସସ୍ମିତାଙ୍କ ମାଆ ଟୁନିଆ ସେଠୀ, ୬ ବର୍ଷ ହେବ ପାରାଲିସିସ୍ ରୋଗରେ ପୀଡ଼ିତ ହୋଇ ବିଛଣାରେ ପଡ଼ିରହିଛନ୍ତି । ଅଭାବ ଏମିତି ଯେ, ଆଠମାସ ହେବ ଔଷଧ ବି ଖାଇପାରିନାହାନ୍ତି । ବାପା ଯାହା ଭିକ ମାଗି ଆଣୁଥିଲେ ସେଥିରେ ମାଆର ମେଡିସିନ ବୋଝ ହାଲୁକା ହୋଇଯାଉଥିଲା । ହେଲେ ଏବେ ସେତକ ବି ସମ୍ଭବ ହୋଇପାରୁନି । ମାସିକ ୫୦୦ ଭତ୍ତ ଟଙ୍କାରେ କେବଳ ଭାତ-ଲୁଣ କଞ୍ଚା ଲଙ୍କା ଟିକେ ପେଟକୁ ଯାଉଛି । ଝିଅ ସସ୍ମିତା ପରଘରୁ ହଳେ-ଦି ହଳ ଡ୍ରେସ ମାଗିଆଣି ମନ ବୁଝାଉଛି । ଏମିତି କି ସାବୁନ ଖଣ୍ଡେ କିଣିବାକୁ ଟଙ୍କା ନାହିଁ ଝିଅକୁ ବାହାଦେବୁ କେମିତି ବୋଲି କାନ୍ଦି କାନ୍ଦି କହିଛି ରୋଗିଣା ମାଆ ।

ଏପଟେ ଏଇ କିଛିଦିନ ହେବ ଏହି ଅସହାୟ ପରିବାରକୁ ପ୍ରଶାସନ ଖଣ୍ଡେ ସ୍ୱାସ୍ଥ୍ୟକାର୍ଡ ଧରାଇଦେଇଛି । ହେଲେ ହସ୍ପିଟାଲ ଯିବାକୁ ଗାଡ଼ି ଭଡ଼ା କେଉଁଠୁ ଆଣିବେ? ମିଳୁଥିବା ରାସନ୍ ଚାଉଳରେ ଖାଲି ଭାତ ଖାଇ ବଞ୍ଚିବା ଛଡ଼ା କାର୍ତ୍ତିକଙ୍କ ପରିବାର ପାଖରେ ଉପାୟ ନାହିଁ । ହେଲେ ଘରେ ଯାହାର ବଢ଼ିଲା ଝିଅଟିଏ ଅଛି ସେ ବୁଝିପାରିବ ଜଣେ ବାପାର କଷ୍ଟ । ଅସହାୟତା ଭିତରେ ଅବିବାହିତା ଝିଅକୁ ବାହା କରାଇବାର ବ୍ୟଥା ବଖାଣି ପାରୁନାହାନ୍ତି କାର୍ତ୍ତିକ । ହେଲେ ଅନ୍ୟର ଝିଅ ବାହାଘର ଦେଖି ନିଜ ଭାଗ୍ୟକୁ କୋଷୁଥିବେ ନିଶ୍ଚିତ ।

ସତରେ ବିଧାତା ବି ଏମିତି ହୃଦୟହୀନ ହୋଇପାରେ, ଜଣେ ଗରିବୀର ଗର୍ଜନ କରୁଥିବାବେଳେ ତା’ ଉପରେ ଅସହାୟତାର ଅଙ୍କୁଶ ବି ଲଗାଇପାରେ । ଭାତ-ଲୁଣ କଞ୍ଚାଲଙ୍କାରେ କଷ୍ଟ ସିନା ମରିଯିବ, କିନ୍ତୁ ବଢ଼ିଲା ଝିଅକୁ ବିଦା ତ କରିହେବନି!!! କିଏ ବୁଝିବ ଶୁଣିବ ଜଣେ ବାପାର ବତୁରା ସ୍ୱର, କିଏ ବୁଝିବ କାର୍ତ୍ତି ବୋହୁଥିବା ପରିବାରର ବୋଝ?