ପ୍ରତିକାତ୍ମକ ଶବରେ ଶ୍ମଶାନରେ ଜଳିଲା ଜୁଇ । ନିଖୋଜ ମଣିଷର ହେଲା ଶବ ସଂସ୍କାର ।

305

କନକ ବ୍ୟୁରୋ: କୋକେଇ ଅଛି ହେଲେ କୋକେଇରେ ଶୋଇଛି ପ୍ରତିକାତ୍ମକ ଶବ । ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ ଉପରେ ଛାତିପିଟି କାନ୍ଦୁଛି ସ୍ତ୍ରୀ । ଆଗେ ଆଗେ ବଡ଼ ପୁଅ ମୁଖାଗ୍ନୀ ଧରି ଯାଉଛି । ନାତି ଖଇ କଉଡ଼ି ବିଞ୍ଚି ବିଞ୍ଚି ଯାଉଛି ତ ବଂଧୁ ପରିଜନ ଘରୁ ଶ୍ମଶାନ ପର୍ଯ୍ୟନ୍ତ ଯାଇ ଶବ ସକ୍ରାର କରିଛନ୍ତି । ଜଗତସିଂହପୁର ଶିଖର ପଞ୍ଚାୟତର ପାଟେଣୀ ଗାଁରେ ଶବ ସକ୍ରାରକୁ ନେଇ ଚାରିଆଡେ ଚର୍ଚ୍ଚା ।

ବର୍ଷ ଧରି ନିଖୋଜ ଥିବା ବେଣୁଧର ଜେନାଙ୍କ ଏଭଳି ଢଙ୍ଗରେ ପ୍ରତୀକାତ୍ମକ ଭାବେ ଶବ ସଂସ୍କାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ବେଣୁଧର ବେଣୁଧର କୋଲକାତାର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ କାର୍ଯ୍ୟ କରୁଥିଲେ । ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ହସ ଖୁସିରେ ସଂସାର ଥିଲା । କିନ୍ତୁ କିଛି ବର୍ଷ ଧରି ସେ ଆଉ ଘରକୁ ନ ଆସିବାରୁ ପାଖ ଗାଁର କିଛି ଲୋକଙ୍କ ସହାୟତାରେ ତାଙ୍କୁ ଖୋଜିବା ପାଇଁ କୋଲକାତା ଯାଇଥିଲେ ପତ୍ନୀ ଶୋଭାବତୀ ଓ ବଡ଼ ପୁଅ ବାସୁଦେବ । କିନ୍ତୁ ବେଣୁଧର କାର୍ୟ୍ୟ କରୁଥିବା ସଂସ୍ଥାକୁ ଯାଇ ସେମାନେ ବୁଝିଲେ ଯେ ସେଠାକୁ ବି ବେଣୁଧର ଦୀର୍ଘ ଦିନ ହେବ ଆସୁନାହାନ୍ତି । ନିରାଶରେ ଗାଁକୁ ଫେରିଆସିଥିଲେ ।

ଏହାପରେ ବେଣୁଧରଙ୍କ ପରିବାର ଅନ୍ୟ ଆଡ଼େ ବି ଖୋଜାଖୋଜି କରି ନିରାଶ ହୋଇ ସେମାନେ ଗାଁକୁ ଫେରି ଆସିଥିଲେ। ସେତେବେଳକୁ ବଡ଼ ପୁଅ ବାସୁଦେବଙ୍କୁ ୨୦ ବର୍ଷ ବୟସ ହୋଇଥିଲା । ଏହାପରେ ପରିବାରର ବିଭିନ୍ନ ସମସ୍ୟାକୁ ନେଇ ବାସୁଦେବ ପୁରୀ ଯାଇ ସେଠାରେ କିଛି ପଣ୍ତିତଙ୍କ ସହ ଆଲୋଚନା କରିଥିଲେ । ପଣ୍ଡିତ ଆଉ ଜ୍ୟୋତିଷ ତାଙ୍କୁ କାର୍ତ୍ତିକ ମାସ ଏକାଦଶୀ ଠାରୁ ରୀତିନୀତି ଅନୁଯାୟୀ ୧୪ ଦିନ ପର୍ୟ୍ୟନ୍ତ ବାପାଙ୍କ କ୍ରିୟାକର୍ମ କରିବା ପାଇଁ ପରାମର୍ଶ ଦେଇଥିବା କହିଛନ୍ତି ବଡ଼ ପୁଅ ବାସୁଦେବ ।

ପଣ୍ଡିତଙ୍କ ପରାମର୍ଶନୁସାରେ ଗତ ସୋମବାର ଦିନ କୋକେଇ ବାନ୍ଧି ପଳାସ ପତ୍ରରେ ଶବ ତିଆରି କରିବା ସହିତ ସେଥିରେ ଧଳା କପଡ଼ା ଘୋଡାଇ ଦିଆଯାଇଥିଲା । ବେଣୁଧରଙ୍କ ପତ୍ନୀ ଶୋଭାବତୀ ବାହୁନି କାନ୍ଦିବା ସହିତ ଚୁଡ଼ିଶଙ୍ଖାକୁ କୋକେଇରେ ରଖି ଦେଇଥିଲେ । ବଡ଼ ପୁଅ ବାସୁଦେବ ହାତରେ ନିଆଁ ବେଣୀ ଧରି ଆଗରେ ଚାଲିବା ସହିତ କୋକେଇକୁ ୪ ଜଣ କାନ୍ଧେଇ ଗାଁ ଶ୍ମଶାନକୁ ଯାଇଥିଲେ । ଆଗରେ ସଂକୀର୍ତ୍ତନ ମଣ୍ତଳି ଝାଞ୍ଜ ମୃଦଙ୍ଗ ବଜାଇ ଯିବା ସହିତ ନାତି ଖଇକଉଡ଼ି ବିଞ୍ଚି ଥିଲେ । ଗାଁ ଶ୍ମଶାନ ଗୃହରେ ଶବ ସଂସ୍କାର କରାଗଲା। ବଡ଼ ପୁଅ ବାସୁଦେବ ମୁଖାଗ୍ନି ଦେଲେ। କାହାଣୀ ପରି ଲାଗୁଥିବା ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।