ପକୁଡ଼ି ପାଇଁ ପିଶାଚିନୀ ସାଜିଲା ମା । ଛୁଆକୁ ବାଡ଼ିରେ ପିଟିପିଟି ମାରିଦେଲା, ପୋଲିସ୍ କଲା ଚାଞ୍ଚଲ୍ୟକର ଖୁଲାସା ।

243

କନକ ବ୍ୟୁରୋ: ଯେଉଁ ହାତରେ ସ୍ନେହ ମମତା ଦେଉଥିଲା ସେହି ହାତରେ ସର୍ବନାଶ କରିଦେଲା । ଜନ୍ମକଲା ମା’ ସାଜିଗଲା ପିଶାଚିନୀ ଆଉ ନିଜ କୋମଳମତି ଝିଅକୁ ପିଟିପିଟି ଜୀବନରୁ ମାରିଦେଲା । ଏ ହତ୍ୟାକାଣ୍ଡ ଘଟିବାର ୮ ଦିନ ପରେ ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ, କାରଣ ମା’କୁ ହତ୍ୟାକାରୀ ସଜେଇଛି ସାମାନ୍ୟ କେଇଟା ପକୁଡ଼ି । ନିଜ ୯ ବର୍ଷ ଝିଅକୁ ପକୁଡ଼ି ପାଇଁ ହତ୍ୟା କଲା ମା’ । ପରେ ପ୍ରମାଣ ନଷ୍ଟ କରିବାକୁ ରଚିଥିଲା ଷଡ଼ଯନ୍ତ୍ର । ହେଲେ ପୋଲିସର ସନ୍ଦେହୀ ଆଖି ମା’ର ଅସଲ ମୁଖାକୁ ଖୋଲିଦେଲା । ପରେ ପୋଲିସକୁ ଲୋମଟାଙ୍କୁରା କାହାଣୀ ଉପରୁ ରହସ୍ୟ ଉଠାଇଛି ରାକ୍ଷସୀ ମା’ ।

ନବରଙ୍ଗପୁର ରାଇଘର ହଳଦୀ ଗାଁର ଲକ୍ଷ୍ମୀଧର ମାଝୀ ଏବଂ ତ୍ରିବେଣୀ ମାଝୀଙ୍କ ୯ ବର୍ଷର ଝିଅ ତୁଳାବାଇ ମାଝୀ । ଗତ ୧୬ ତାରିଖରେ ନାବାଳିକା ଝିଅର ଅର୍ଦ୍ଧ ଦଗ୍ଧ ଶବକୁ ରାଇଘର ପୋଲିସ ଉଦ୍ଧାର କରିଥିଲା । ଝିଅ ଆତ୍ମହତ୍ୟା କରିଥିବା ମା’ ତ୍ରିବେଣୀ କହିବା ପରେ ପୋଲିସର ସନ୍ଦେହ ବଢ଼ିବାରେ ଲାଗିଥିଲା । ଖୋଳତାଡ଼ କରିବାରୁ ପୋଲିସକୁ ପିଶାଚୀ ମା’ କହିଲା ପୂରା କାହାଣୀ ।

ଝିଅ ତୁଳାବାଇ ଖରାଛୁଟିରେ ହଷ୍ଟେଲରୁ ଘରକୁ ଆସିଥିଲେ । ଆଉ ବାପା ଲକ୍ଷ୍ମୀଧର ସନ୍ଧ୍ୟାରେ ପିଲାଛୁଆଙ୍କ ପାଇଁ ଘରକୁ ପକୁଡ଼ି ଆଣିଥିଲେ । ହେଲେ ଝିଅ ଅଧିକ ପକୁଡ଼ି ମାଗିବାରୁ ରାଗିଯାଇଥିଲେ ମା’ ତ୍ରିବେଣୀ । ଆଉ ପାଖରେ ଥିବା ଠେଙ୍ଗାରେ ଝିଅର ମୁଣ୍ଡକୁ ପିଟି ପିଟି ମାରିଦେଲା । ଘରେ ସମସ୍ତଙ୍କୁ ଝିଅ ସୌଚ ହେବାକୁ ଯାଇଥିବା କହି ପ୍ରମାଣ ନଷ୍ଟ କରିବାକୁ ପାଖ ନାଳରେ ଶବକୁ ପୋଡ଼ି ଫିଙ୍ଗିଦେଇଥିଲେ ମା’ ତ୍ରିବେଣୀ । ହେଲେ ଗାଁ ଲୋକେ ଏବଂ ପୋଲିସର ସନ୍ଧାନୀ କୁକୁରଙ୍କ ସହାୟତାରେ ବଡ଼ ଖୁଲାସା କଲା ରାଇଘର ପୋଲିସ ।

ରାଇଘର ଥାନା ପୋଲିସ ପିଶାଚୀ ମାକୁ ଆଇନ ହାତରୁ ଖସି ଯିବା ପୂର୍ବରୁ ଜେଲକୁ ପଠାଇବାରେ ସଫଳ ହୋଇଛନ୍ତି । କେମିତି ଏ ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ ସେନେଇ ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି ।