ବୁଲି ବୁଲି ଭିକ ମାଗିଲେ, ଭିକ୍ଷା ଟଙ୍କାରେ ମନ୍ଦିର ଗଢିଲେ । ଏବେ ପ୍ରତିଷ୍ଠା ପାଇଁ ଅର୍ଥ ସାଜିଛି ବାଧକ । ୯୯ ବର୍ଷିୟା ପଦ୍ମା ମା’ଙ୍କ ଶେଷ ଇଚ୍ଛା…

362

କନକ ବ୍ୟୁରୋ : ଏ ଭିକ ଭୋକ ପାଇଁ ନୁହେଁ ଭଗବାନଙ୍କ ପାଇଁ । ବୟସ ୯୯ ପୂରି ୧୦୦ ଛୁଇଁବାକୁ ବସିଲାଣି ହେଲେ ଭବ ସଂସାରୁ ତରିଯିବା ପୂର୍ବରୁ ଭିକ୍ଷାବୃତ୍ତି କରି ତିଆରି କରିଛନ୍ତି ଭଗବାନଙ୍କ ପାଇଁ ମନ୍ଦିର । ଗୋଟେ ନୁହେଁ ବରଂ ଭିକ ମାଗି ମାଗି ୩ଟି ମନ୍ଦିର ତିଆରି କରିଛନ୍ତି ପଦ୍ମା ମା’ । ଆଉ ଏବେ ମନ୍ଦିର ଗୁଡ଼ିକର ପ୍ରତିଷ୍ଠା କେମିତି ହେବ, ଆଖିବୁଜିବା ପୂର୍ବରୁ ପ୍ରଭୁ କେମିତି ଏହି ମନ୍ଦିରରେ ପୂଜା ପାଇବେ, ସେନେଇ ସାହାଯ୍ୟ ଅପେକ୍ଷାରେ ଲୁହ ଗଢ଼ାଉଛନ୍ତି ବୁଢ଼ୀ ମାଉସୀ ।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଧବଳହରା ଗାଁର ପଦ୍ମା ନାଥ । ଦୀର୍ଘ ୨୫ ବର୍ଷ ହେବ ସଂସାରର ମୋହମାୟା ତ୍ୟାଗ କରି ସନ୍ନ୍ୟାସ ନେଇଥିଲେ । ଏହାପରେ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ଭଦ୍ରକରୁ ଭୁବନେଶ୍ୱର, ପାରାଦୀପରୁ ପୁରୀ ଏମିତି ବିଭିନ୍ନ ଜିଲ୍ଲା ବୁଲି ବୁଲି ଭିକ୍ଷାବୃତ୍ତି କରିଥଲେ ପଦ୍ମା । ଖରା, କାକରକୁ ଖାତିର ନକରି ପାଖାପାଖି ୨୮ ଲକ୍ଷ ଭିକ୍ଷା ଅର୍ଥରେ ତୋଳିଛନ୍ତି ମା’ ଭଟ୍ଟାରିକା, ଦୂର୍ଗା ମାଧବ ଏବଂ ସାଇ ବାବାଙ୍କ ମନ୍ଦିର ।

ପଦ୍ମା ମା’ଙ୍କ କହିବା ମୁତାବକ, ତିତୋଟି ମନ୍ଦିର ମଧ୍ୟରୁ ମା’ ଭଟ୍ଟାରିକା ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ଦୂର୍ଗା ମାଧବ ଓ ସାଇ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଅପେକ୍ଷାରେ । ହେଲେ ଶତାୟୁ ଛୁଇଁବାକୁ ଥିବା ପଦ୍ମା ଆଉ ଠିକରେ ଚାଲିବୁଲି ପାରୁନଥିବାରୁ ଭିକ ମାଗିପାରୁନାହାନ୍ତି କିମ୍ବା ତାଙ୍କ ଦ୍ୱାରା ନିର୍ମିତ ହୋଇଥିବା ମନ୍ଦିରରେ ଠାକୁର/ଠାକୁରାଣୀ ପୂଜା ପାଇପାରୁନାହାନ୍ତି ।

ନିଜକୁ ପାପି କହୁଥିବା ପଦ୍ମା ବୟସର ଶେଷ ପାହାଚରେ ପଦ୍ମା ଥିବାବେଳେ ଏବେ ତାଙ୍କ ଶେଷ ଇଚ୍ଛା ଏହି ମନ୍ଦିର ପ୍ରତିଷ୍ଠା । ଯେଉଁଥିପାଇଁ କପିଳମୁନି ଆଶ୍ରମରୁ ମୋ ପରମାୟୁ ନେଇଯାଇ ଏ ମନ୍ଦିର ପ୍ରତିଷ୍ଠା କରିଦେବାକୁ ଅନୁରୋଧ କରିଛନ୍ତି ପଦ୍ମା । ଗ୍ରାମବାସୀ ବୃଦ୍ଧାଙ୍କ ଏଭଳି ଭାବଭକ୍ତି ଓ ଇଚ୍ଛାଶକ୍ତିକୁ ପ୍ରଶଂସା କରିଥିବାବେଳେ ପଦ୍ମା ମାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ସତରେ କିଏ ଅସହାୟତା ପାଇଁ ଭିକ ମାଗେ, ସହାୟତା ଲୋଡେ । କିନ୍ତୁ ପଦ୍ମା ମା’ ପ୍ରଭୁଙ୍କ ମନ୍ଦିର ପାଇଁ ହାତ ପତେଇଛନ୍ତି । ଅନେକ ସଂଘର୍ଷ ଓ ସମସ୍ୟାର ସାମ୍ନା କରିଥିଲେ ବି ହାର୍ ମାନିନାହାନ୍ତି, ଖାଲି ଆଖିବୁଜିବା ପୂର୍ବରୁ ତାଙ୍କ ସ୍ୱପ୍ନ ପୂରଣ ହୋଇଯାଉ ବୋଲି ଭିଜା ଭିଜା ଆଖିରେ ଚାହିଁ ରହିଛନ୍ତି ।