କନକ ବ୍ୟୁରୋ: ନବରଙ୍ଗପୁରର ଏହି ଚିତ୍ରକୁ ଦିନ କେଇଟା ବିତିନଥିବାବେଳେ ଏଥର ଓଡ଼ିଶାର ଉପକୂଳ ଜିଲ୍ଲାରୁ ଆସିଲା ଦୟନୀୟ ଚିତ୍ର । କୁଣ୍ଡରେ ବୁହାହୋଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯାଉଛନ୍ତି ଅସହାୟ ବୃଦ୍ଧ । କାନ୍ଧରେ ବୋହି ବୋହି ଆଣୁଛନ୍ତି ସମ୍ପର୍କୀୟ, ଡ଼ର ଲାଗୁଥିଲେ ବି ଡଙ୍ଗାରେ ବସି କିଛି ଟଙ୍କା ପାଇଁ ପରିଣତ ବୟସରେ ପାଣି ପାର ହେଉଛନ୍ତି ।

Advertisment

ଜୀବନର ଶେଷ ସମୟରେ ଜଳଯାତ୍ରା । ବ୍ୟବସ୍ଥା ଯେବେ ବାଟବଣା ହୁଏ, ସେତେବେଳେ ଭତ୍ତାଟଙ୍କା ପାଇଁ ବାଜିରେ ଲାଗେ ଜୀବନ । ଆମେ କହୁଛୁ କେନ୍ଦ୍ରାପଡା ଆଳି ବ୍ଲକ ଏକମାଣିଆ ପଞ୍ଚାୟତର ଏକାଧିକ ବୃଦ୍ଧ ବୃଦ୍ଧା ଦାରୁଣ ଦୁଃଖ । ବୃଦ୍ଧକାଳେ ଭରସା ସାଜିଥିବା ଭତା ଟଙ୍କା ପାଇଁ ନିଜ ଜୀବନକୁ ପାଣି ଛଡାଇ ଦେଉଛନ୍ତି ଏମାନେ । ବିପଦ ସଂକୁଳ ଅବସ୍ଥାରେ ଗଭୀର ନଦୀ ପାର ହେଉଛନ୍ତି । ଦିନେ କି ଦୁଇଦିନ ନୁହେଁ, ପାଖାପାଖି ବର୍ଷେ ହେଲାଣି ଏହି ଅଞ୍ଚଳର ବୟସ୍କ ମାନେ ଜଳଯାତ୍ରା କରୁଛନ୍ତି ।

ପାଖରେ ବ୍ୟାଙ୍କ ନଥିବାରୁ ଶିକା ଭାରରେ ବୁହାହୋଇ ଯାଉଛନ୍ତି । କିଛି ବାଟ ଆସିବା ପରେ ଡଙ୍ଗାରେ ବସି ନଦୀ ପାର ହେବାକୁ ପଡୁଛି । ଏପରିକି ଭତ୍ତା ଟଙ୍କାକୁ ବଳି ଯାଉଛି ଯିବା ଆସିବାର ଖର୍ଚ୍ଚ । ଏକମାଣିଆ ପଞ୍ଚାୟତ ଚାରିପଟୁ ନଦୀ ଘେରି ରହିଥିବାରୁ ମାସଶେଷରେ ହିତାଧିକାରୀଙ୍କୁ ହିନସ୍ତା ହେବାକୁ ପଡୁଛି । ବ୍ରାହ୍ମଣୀ ନଦୀରେ କୁମ୍ଭୀରଙ୍କ ପାର୍ଦୁଭାବ ଅଧିକ ଥିବାରୁ ନଦୀରେ ଗଲାବେଳେ କୁମ୍ଭୀର ଟାଣି ନେବାର ଭୟ ମଧ୍ୟ ରହିଛି । ତଥାପି ବଞ୍ଚିବାକୁ ବୃଦ୍ଧକାଳେ ସରକାରଙ୍କ ସେହି ଦୂରରେ ଥିବା ଭତ୍ତା ଟଙ୍କା ହିଁ ଭରସା ।

ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧ ବୃଦ୍ଧାଙ୍କୁ ଭତା ଟଙ୍କା ବଣ୍ଟନ କରାଯାଉଥିଲା । ଏପରିକି ଯେଉଁ ବୟସ୍କ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ଆସି ପାରୁନଥିଲେ, ସେମାନଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କ ଘରେ ନେଇ ଟଙ୍କା ଦେଇ ଆସୁଥିଲେ । ହେଲେ ନିୟମରେ ପରିବର୍ତ୍ତନ ହେବାପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଭତା ଟଙ୍କା ଆସୁଛି । କିନ୍ତୁ ଯେଉଁମାନଙ୍କ ପାଖରେ ବ୍ୟାଙ୍କ ନାହିଁ କିମ୍ବା ଗମନାଗମନର ସୁବିଧା ନାହିଁ । ସେମାନେ କିପରି ଭତା ଟଙ୍କା ପାଇବେ ତାକୁ ସରକାର ଓ ପ୍ରଶାସନ ପୁରା ଭୁଲି ଯାଇଛିନ୍ତି ।

ବିଡ଼ମ୍ବନାର ବିଷୟ ଯେ, ୨୦୦୮ରେ ମୁଖ୍ୟମନ୍ତ୍ରୀ କେରେଡାଗଡରୁ ଏକମାଣିଆ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସର ୧୫ବର୍ଷ ପରେବି ସେତୁ ନିର୍ମାଣ ପାଇଁ ଠିକାଦାର ଯୋଗାଡ଼ ହୋଇପାରୁନି । ଏପଟେ ଚାରିପଟୁ ନଦୀ ଘେରି ରହିଥିବାରୁ ଏକମାଣିଆ ପଞ୍ଚାୟତର ୩ଟି ଗାଁର ଲୋକେ ଘରୁ ବାହାରିଲେ ଏପରି ହୀନସ୍ତା ହେଉଛନ୍ତି । ଯଦି ଓଡ଼ିଶାର ବିକାଶକୁ ନେଇ ବଡ଼ ବଡ଼ ପ୍ରଚାର କରୁଛନ୍ତି ସରକାର ତେବେ ଏକମାଣିଆକୁ କାହିଁକି ଏକଘରକିଆ କରୁଛନ୍ତି ?