ଧନରେ… ଗଣ୍ଡେ ଖାଇବାକୁ ଦେ, ସାଢ଼ୀ ଖଣ୍ଡେ ପିନ୍ଧିବାକୁ ଦେ…

727

କନକ ବ୍ୟୁରୋ; ମା’ ଆଖିରେ ଲୁହ, ଛାତିରେ ରାଗରୁଷାର କୋହ । କାହିଁକି ବା କୋହ ଆସିବନି? ତା’ ଆଖିରେ ଥିବା ଅଭିମାନର ଧାର ଲୁହ କହୁଛି ଜନ୍ମକଲା ପୁଅ ଦେଇଥିବା ଯନ୍ତ୍ରଣାର କାହାଣୀ । ଯେଉଁ ପୁଅକୁ ପେଟପୂରା ଖୁଆଇବା ପାଇଁ ପିଲାଦିନେ ତା’ ପଛରେ ଗୋଡ଼ାଇ ଗୋଡ଼ାଇ ମାଆ ହାରୁନଥିଲା, ଆଜି ସେହି ପୁଅ ପାଇଁ ଜନ୍ମଦାତ୍ରୀ ମା’ର ହୃଦୟ କାନ୍ଦୁଛି । ମା’ର ଅଳି ଏତିକି ମୋ ପୁଅ ମୋତେ ଗଣ୍ଡେ ଖାଇବାକୁ ଦେଉ ଖଣ୍ଡେ ପିନ୍ଧିବାକୁ ଦେଉ, ଆଉ ଦେହ ଖରାପ ହେଲେ ମୋ ମୁହଁରେ ମେଡିସିନ୍ ଦେବାକୁ କିଛି ଟଙ୍କା ମୋ ହାତରେ ଦେଉ । କୁନିପିଲା ପରି ଏମିତି କିଛି ଛୋଟ ଛୋଟ ଅଝଟ କରି ପୁଅ ଦୋକାନ ସାମ୍ନାରେ ଧାରଣା ଦେଇଛି ଜଣେ ଅସହାୟ ମାଆ…

ନବରଙ୍ଗପୁରର ଉମରକୋଟ ସହର, ଚକାଚକ ଆଲୁଅ ସାଙ୍ଗକୁ ଜନଗହଳି । ରାସ୍ତାକଡ଼ରେ ଥିବା ପୁଅ ଗୋପାଳ ସାହୁର ଛୋଟ ଚାଟ୍ ଦୋକାନ ସାମ୍ନାରେ ଧାରଣାରେ ବସିଥିବା ମା’ ହେଉଛନ୍ତି ଉଷାରାଣୀ ସାହୁ । ମଝିରେ ମଝିରେ ଆଖିର ଲୁହକୁ ପଣତରେ ପୋଛି ପୁଅ ସାମ୍ନାରେ ଅଝଟ କରୁଛି ଅସହାୟ ମା’ । କାରଣ ଜନ୍ମକଲା ପୁଅକୁ ଭରସାର ଭାତ ଖୁଆଇ ଭେଣ୍ଡିଆ ପୁଅ ଭଳି ବଡ଼ କଲା, ହେଲେ ପରିଣତ ବୟସରେ ପୁଅ , ମାଆର ବଂଚିବାର ରାହା ହେବ କଣ, ଓଲଟି ଦେଲା ନିର୍ଯାତନା । ଚାଟ୍ ବ୍ୟବସାୟ କରି ନିଜ ପରିବାର ଚଳାଉଥିବା ପୁଅ , ମାଆକୁ ଘରେ ରଖିଲାନି, କି ଖାଇବାକୁ ବି ଦେଲାନି ବୋଲି ମାଆ ଅଭିଯୋଗ ଆଣିଛନ୍ତି । ପୁଅ ଅଣଦେଖା ଅଧିକ ହେବାରୁ ବାଧ୍ୟ ହୋଇ ପୁଅର ଦୋକାନ ଆଗରେ ଧାରଣାରେ ବସିଛନ୍ତି ଏ ମାଆ ।

ସେପଟେ ନିଜର ସଫେଇ ରଖି କ୍ୟାମେରା ସାମ୍ନାରେ ପୁଅ କହିଛନ୍ତି ଘରେ ତାଙ୍କର ପତ୍ନୀ ଓ ମାଆଙ୍କ ମଧ୍ୟରେ କଳହ ଲାଗି ରହୁଥିବାରୁ ସେ ମାଆଙ୍କ ପାଇଁ ବାହାରେ ଘର ଭଡା ନେଇ ରଖି ଖାଇବାକୁ ଦେଉଥିଲେ । ଗତ କିଛି ଦିନ ହେବ ତାଙ୍କର ମାଆ, ଭଉଣୀ ଘରକୁ ଚାଲି ଯାଇଥିଲେ । ଏବେ ଅଜଥାରେ କିଛି କାରଣ ନାହିଁ ହଠାତ୍ ମୋ ଦୋକାନ ଆଗରେ ଧାରଣା ଦେଇଛି ମାଆ ।
ସତରେ ଜଣେ ପୁଅ ଯଦି ମା’କୁ ଏ ବୟସରେ ପାରିବାରିକ କଳହ ଯୋଗୁଁ ଯନ୍ତ୍ରଣା ଦିଏ ସେ କ’ଣ କରିବ, କେଉଁ ଆଡେ ଯିବ? ଦିନକ ପୂର୍ବରୁ ଦେବୀ ଦୁର୍ଗା ମା’ଙ୍କୁ ମେଲାଣୀ ଦେଇ ତାଙ୍କ ଆଶିଷ କାମନା କରିଥିଲେ । କିନ୍ତୁ ମା’ଙ୍କ ମୂର୍ତ୍ତି ବିସର୍ଜନ ହେବାଭଳି ଆଜିର ମୁଖାଧାରୀ ପିଲାଙ୍କ ମନ ବି ବିସର୍ଜନ ହୋଇଯାଇଥିବା ଅନୁଭବ ହେଉଛି । ନଚେତ୍ ମାଟିରେ ଗଢ଼ା ଦେବୀଙ୍କୁ ପୂଜା କରୁଛନ୍ତି ହେଲେ ରକ୍ତ-ମାଂସରେ ଗଢ଼ା ଜନ୍ମକଲା ମା’କୁ ପର କରିଦେଉଛନ୍ତି । ଜୀବନ୍ତ ମା’କୁ ଯନ୍ତ୍ରଣା ଦେଉଛନ୍ତି, ବରଷକେ ଥରେ ଆସୁଥିବା ମାଟିରେ ଗଢ଼ା ମୂର୍ତ୍ତି ସାମ୍ନାରେ ଜୀବନ ଐଶୌର୍ଯ୍ୟ ଭିକ୍ଷା ମାଗୁଛନ୍ତି ।

ସେ ଯାହା ବି ହେଉ, ଆମ କ୍ୟାମେରାକୁ ଦେଖି ସେ ଅସହାୟ ମା’ର ପୁଅ ଜଣକ ମା’ର ମନକଥା ବୁଝିଛନ୍ତି । ଦୈନିକ ମାଆଙ୍କ ଖର୍ଚ୍ଚ ବାବଦକୁ ୨୦୦ ଟଙ୍କା ଦେବାକୁ ମାଆକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଆଜିର ସଭ୍ୟ ସମାଜରେ ସ୍ମାର୍ଟ ହୋଇଯାଇଥିବା ପିଲାଙ୍କୁ ପ୍ରଶ୍ନ? ଯେଉଁ ମା’ ନିଜେ ନଖାଇ ଆମ ପେଟକଥା ବୁଝୁଥିଲା, ତାକୁ ଆମେ ପରକରିଦେବା କ’ଣ ଠିକ୍? ଯିଏ ଚିରା ଫଟା ଶାଢ଼ୀ ପିନ୍ଧି ଆମକୁ ନୂଆ ଜାମା ପିନ୍ଧାଇ ସଜେଇ ଦିଏ ତା’ ପାଇଁ କ’ଣ ୨୦୦ ଟଙ୍କିଆ ଶାଢ଼ୀ ଟିଏ କିଣିପାରିବାନି? ପରିଣତ ବୟସରେ ପେଟକୁ ଗଣ୍ଡେ ଦାନା ଦେହକୁ ଖଣ୍ଡେ କପଡ଼ା ଦେଇ, ମାଆର ମନକଥା ବୁଝୁନଥିବା ସୁନାମୁଣ୍ଡାମାନେ ନିଜ ମନକୁ ଥରେ ପ୍ରଶ୍ନ କରି ଦେଖ? ମା’କୁ ଥରେ ପଚାରିଲ, ବୋଉ ତୋ ଦେହ ଭଲ ଅଛି ତ? ତୋତେ କିଛି ଅସୁବିଧା ହେଉନି ତ? ତୋର କ’ଣ ଦରକାର ଅଛି କି? ଏଇ କେଇପଦ କଥା ମାଆ ମନରେ ଥିବା ସବୁ ରାଗରୁଷାକୁ ମହମ ଭଳି ମନରୁ ତରଳାଇ ଦେବ, ଆଉ ସେ ମାଆ ଆମକୁ କୋଳେଇ ନେବ ।