କନକ ବ୍ୟୁରୋ : ପ୍ରିୟ ସାଙ୍ଗ ! କେମିତି ଅଛୁ ? ଆଶା କରୁଛି ଭଲରେ ଥିବୁ । ଅନେକ ଦିନ ହେବ ତୋ ସହ ଦେଖା ହୋଇନି । ତୋ କଥା ଭାରି ମନେ ପଡୁଛି । ପିଲାଦିନେ ସାଙ୍ଗହୋଇ ସ୍କୁଲ ଯାଉଥିଲୁ, ଟ୍ୟୁସନ ଯାଉଥିଲୁ, ଏକା ସାଙ୍ଗରେ ଖେଳୁଥିଲୁ, ନଦୀରେ ଗାଧୋଉଥିଲୁ । ଏ ସବୁ ଭାରି ମନେପଡୁଛି । ଏଥର ଘରକୁ ଆସିଲେ ନିଶ୍ଚୟ ଦେଖାହେବ । ମୁଁ ଭୋଟରେ ଛିଡା ହୋଇଛି । ୨୨ରେ ଭୋଟ ଅଛି, ତେଣୁ ଆସିକି ମତେ ଭୋଟ ଦେବ ଆଉ ମତେ ଜିତାଇବ...

Advertisment

ରହିଲି
(ଇତି)
ତୁମ ସାଙ୍ଗ
ବନିତା

ଯେତେବେଳେ ପଞ୍ଚାୟତ ନିର୍ବାଚନ ପାଖେଇଛି, ପଞ୍ଚାୟତ ପରୀକ୍ଷାରେ ପାସ୍ ହେବା ପାଇଁ ଭରସାର ଭୋଟ ଲୋଡା ପଡିଛି । ସେତେବେଳେ ମନେପଡିଛନ୍ତି ପିଲାଦିନର ସାଙ୍ଗ, ମନେପଡିଛନ୍ତି ସମ୍ପର୍କୀୟ । ତେଣୁ ଜଣ ଜଣଙ୍କୁ ଚିଠି ଲେଖି ଭୋଟ ଦେବାକୁ ଆସିବାକୁ ନିବେଦନ କରୁଛନ୍ତି, ଅନୁରୋଧ ପତ୍ର ଲେଖୁଛନ୍ତି ପ୍ରାର୍ଥୀ । କାଳେ ଦୂରରେ ରହିଥିବା କିମ୍ବା ଦାଦନ ଖଟିବାକୁ ଯାଇଥିବା ସମ୍ପର୍କୀୟଙ୍କ ପାଖରେ ଖବର ପହଞ୍ଚିବା ଡେରି ହେବ ତେଣୁ ଏବେଠୁ ସେମାନଙ୍କୁ ଖବର ଦେଲେଣି । ଯାହାର ବଡ ମାଧ୍ୟମ ସାଜିଛି ଏଇ ଚିଠି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଭୋଟ ହାତେଇବାକୁ ନିଜ ନିଜ ଅନ୍ଦାଜରେ କ୍ୟାମ୍ପେନିଙ୍ଗ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀ । ବିଭିନ୍ନ ପ୍ରାର୍ଥୀ ଭିନ୍ନ ଭିନ୍ନ ଶୈଳୀ ଆପଣାଉଥିବା ବେଳେ ଇଏ ଏମିତି ଜଣେ ପ୍ରାର୍ଥୀ ଯିଏ ଚିଠି ଲେଖି ମାଗିଛନ୍ତି ଭୋଟ । ରାୟଗଡା ଜିଲ୍ଲା ଜେମାଦେପେଣ୍ଠ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡା ହୋଇ ନିର୍ବାଚନ ଲଢୁଛନ୍ତି ବନିତା ମେଲକା । ଆସନ୍ତା ୨୨ ତାରିଖ ଦିନ ଭୋଟ ଥିବାରୁ ସେ ଘରଘର ବୁଲି ଗାଁ ଗାଁ ବୁଲି ପ୍ରଚାର ତ କରୁଛନ୍ତି ଦୂରରେ ଥିବା ଲୋକଙ୍କୁ ବି ଚିଠି ଲେଖି ଭୋଟ ଦେବାକୁ ନିଦେବନ କରିଛନ୍ତି ।

ତେବେ ଦୁଆର ଦୁଆର ବୁଲି ପ୍ରଚାର କରିବା ସମୟରେ ବନିତା ଦେଖିଥିଲେ ତାଙ୍କ ପଞ୍ଚାୟତର ଅଧିକାଂଶ ଲୋକ, ସାଙ୍ଗସାଥି ନିଜ ଅଞ୍ଚଳରେ କାମଧନ୍ଦା ନପାଇ ସୁଦୂର ଆନ୍ଧ୍ର, ତେଲେଙ୍ଗାନା ଓ କେରଳକୁ ଯାଇଛନ୍ତି । ଆଉ ସେମାନଙ୍କ ଭିତରେ ଅଧିକାଂଶ ସମ୍ପର୍କୀୟ ଏବଂ ସାଙ୍ଗଙ୍କ ପାଖରେ ମୋବାଇଲ ନଥିବାରୁ ବନିତା ନିଷ୍ପତ୍ତି ନେଲେ ଯେ ସେମାନଙ୍କୁ ଚିଠି ଲେଖି ଅନୁରୋଧ କରିବେ ଗାଁକୁ ଆସିବାକୁ । ଘରକୁ ଆସି ନିଜ ସାଙ୍ଗ ତଥା ନିଜ ଗାଁର ଝିଅକୁ ଭୋଟ ଦେବାକୁ । ମନରେ ଏହି ନିଆରା ଭାବନା ଆଣି ସେ ଖଣ୍ଡେ ଖଣ୍ଡେ ଚିଠି ଲେଖିଲେ ଆଉ ତାକୁ ଡାକ ଘରୁ ପୋଷ୍ଟ ସମସ୍ତଙ୍କ ପାଖକୁ ପଠାଇଲେ । ଯେଉଁଥିରେ ସେ ସାଙ୍ଗଙ୍କୁ ଆସିବା ପାଇଁ ତ କହିଛନ୍ତି ତା ସହ ସାଙ୍ଗମାନଙ୍କ ସହ ବିତିଥିବା ପିଲା ଦିନର ସ୍ମୃତି, ମିଠା ମୁହୂର୍ତ୍ତକୁ ମନେ ପକାଇଛନ୍ତି ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଡିଜିଟାଲ ପ୍ରଚାରକୁ ଯେତେବେଳେ ଗୁରୁତ୍ୱ ଦିଆଯାଇଛି । ମୋବାଇଲ ମାଧ୍ୟମରେ ସୋସିଆଲ ମିଡିଆରେ ପଞ୍ଚାୟତ ଯୁଦ୍ଧ ଜିତିବାର ସମର ସଜ୍ଜା ଚାଲିଛି । ପୁଳାପୁଳା ପ୍ରତିଶ୍ରୁତିର ପୁସିଂ କାର୍ଡ, ଇସ୍ତାହାରର ଲୋଭନୀୟ ଭିଡିଓ ହ୍ୱାର୍ଟଆପ, ଫେସବୁକରେ ଘୁରି ବୁଲୁଛି । ଠିକ ସେତେବେଳେ ଭୋଟରଙ୍କୁ ଘରକୁ ଡାକିବାକୁ ଏବେବି ଜଣେ ପ୍ରାର୍ଥୀ ଚିଠିର ସହାୟତା ଲୋଡିଛନ୍ତି । ୨୦୨୨ ଭଳି ଆଧୁନିକ ଯୁଗରେ ଏ ଚିଠି ପ୍ରଚାର ଅନେକ ପ୍ରଶ୍ନ ଉଠାଉଛି । ଏ ଦୃଶ୍ୟକୁ ଦେଖି ଆପଣ ବ୍ୟବସ୍ଥାର ବିଡମ୍ବନା କହିପାରନ୍ତି କିମ୍ବା ପଞ୍ଚାୟତ ପ୍ରଚାରର ନିଆରା ଷ୍ଟାଇଲ । ଦୃଷ୍ଟିଭଙ୍ଗୀ ଆପଣଙ୍କର, ବିଚାର ଆପଣଙ୍କର...