ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ସରିଯିବା ପରେ ଶଯ୍ୟାଶାୟୀ ରାଜେଶ୍ୱର । ଭାଇକୁ ଭଲ କରିଦେବା ପାଇଁ ନେହୁରା ହେଉଛନ୍ତି ଭଉଣୀ ।

309

କନକ ବ୍ୟୁରୋ: ଯେଉଁ ବିଛଣାରେ ରୋଗୀଣା ମଣିଷ, ସେହି ବିଛଣାରେ ଶଯ୍ୟାଶାୟୀ ମେସିନ୍ ଓ ସରିଯାଇଥିବା ମେଡିସିନ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅର୍ଥ ସରିଗଲା ପରେ ଜୀବନ ଯନ୍ତ୍ରଣା ମଝିରେ ଛଟପଟ ହେଉଛନ୍ତି ରୋଗୀ । ଘରର ମେରୁଦଣ୍ଡ ଶଯ୍ୟାଶାୟୀ ହେବା ପରେ ଆଖିରୁ ଲୁହ ଝରାଉଛନ୍ତି ପରିବାରବର୍ଗ ।

ପାରଳାଖେମୁଣ୍ଡି କେଉଟ ସାହିର ରାଜେଶ୍ୱର ରାଓ । ଅବିବାହିତ ରାଜେଶ୍ୱର ପୁରୁଣା ଖବର କାଗଜରୁ ଠୁଙ୍ଗା ତିଆରି ବିକ୍ରି କରୁଥିଲେ । ଯାହା ରୋଜଗାର କରିଥିଲେ ସେଥିରେ ତାଙ୍କ ଦୁଇ ଭଉଣୀଙ୍କ ବାହାଘର ମଧ୍ୟ କରିଥିଲେ । ହେଲେ ହଠାତ୍ ହୃଦରୋଗରେ ଆକ୍ରାନ୍ତ ହୋଇଗଲେ ରାଜେଶ୍ୱର । ଧିରେ ଧିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା, ଏହାପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ରାଜେଶ୍ୱରଙ୍କ ଓପନ୍ ହାର୍ଟ ସର୍ଜରୀ କରାଇଲେ ଦୁଇ ଭଉଣୀ । ହେଲେ ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଦୁଇ ଭଉଣୀ ବିଭିନ୍ନ ସ୍ଥାନରେ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି ତାଙ୍କ ପରିବାର ସହ ରାଜେଶ୍ୱରଙ୍କ ମେଡିସିନ୍ କିଣିବା ସମ୍ଭବପର ହେଉନାହିଁ । ଯେଉଁଥି ପାଇଁ ରାଜଶ୍ୱେରଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ପଡୋଶୀ ।

ଏପଟେ ରାଜେଶ୍ୱରଙ୍କ ଚିକିତ୍ସା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ ପରିବାରବର୍ଗ । ଏନେଇ ଏକ ଆବେଦନପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ଦେଇଥିଲେ ରାଜେଶ୍ୱରଙ୍କ ଭଉଣୀ । ଆଉ ଜିଲ୍ଲାପାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ମାତ୍ର ୧୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଯଦି ଆପଣ ବି ରାଜେଶ୍ୱରଙ୍କୁ ସାହଯ୍ୟ କରି ତାଙ୍କ ପରିବାରର ବୋଝ ହାଲୁକା କରିବାକୁ ଚାହାନ୍ତି ତେବେ ତାଙ୍କୁ ସହାୟତା କରିବାର ଠିକଣା ହେଉଛି…
ଆକାଉଣ୍ଟ ନଂ- ୧୬୬୩୦୧୦୦୨୭୯୩
IFSC କୋଡ୍- ଚଟଘଈଙ୧୬୬୩୨୦
ଫୋନ୍ ନଂ-୭୭୮୦୫୫୬୬୫୮

ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଚିକିତ୍ସା ଅର୍ଥ ସରିଯିବା ପରେ ବେସାହାର ହୋଇପଡ଼ିଛନ୍ତି ରାଜେଶ୍ୱର । ଏବେ ସରକାରୀ ସହାୟତା ଓ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗକୁ ଅପେକ୍ଷା କରି ଲୁହ ଗଡ଼ାଉଛନ୍ତି ପରିବାରବର୍ଗ ।